ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲିସକୁ ଚିଠି ଲେଖି ନୋଟିସ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗ ନେଇଛି ନୂଆ ମୋଡ଼। ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଲୋ ଫ୍ଲାଇଙ୍ଗ କରିବା ଅଭିଯୋଗରେ ବୈଜୟନ୍ତଙ୍କ ନାଁରେ ପୁରୀ ଅରଖକୁଦ ମେରାଇନ ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ରାଜନୀତି ସରଗରମ୍ ରହିଥିବା ବେଳେ ପୋଲିସକୁ ପାଲଟା ପ୍ରଶ୍ନ କରି ଚିଠି ଲେଖିଛନ୍ତି ବୈଜୟନ୍ତ। ଏହି ଚିଠିକୁ ସେ ନିଜ ଟୁଇଟର ହ୍ୟାଣ୍ଡେଲରରେ ପୋଷ୍ଟ କରିଛନ୍ତି। ପୁରୀ ପୋଲିସ ତାଙ୍କୁ ନୋଟିସ ଦେଇ କନଫ୍ୟୁଜନରେ ପକାଇଛି ବୋଲି ବୈଜୟନ୍ତ ଚିଠିରେ ଲେଖିଛନ୍ତି।

“ପୋଲିସ ହେଲିକପ୍ଟର ଉଡ଼ାଇବା ପ୍ରସଙ୍ଗକୁ ଅଧିକ ଜଟିଳ କରୁଛି। ପୋଲିସ ନୋଟିସ ମତେ କନଫ୍ୟୁଜନ କରିଛି। ୨୧ ତାରିଖରେ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଅରଖକୁଦ ମେରାଇନ ଥାନା ପୋଲିସ ମତେ ନୋଟିସ କରିଥିଲେ। କିନ୍ତୁ ପୁରୀ ଏସ୍‌ପି ୨୪ ତାରିଖରେ ହାଜର ହେବାକୁ ଗଣମାଧ୍ୟମରେ କହିଛନ୍ତି। ପୋଲିସର ଏହି ଦୁଇଟି ତାରିଖ ମତେ ଅଡ଼ୁଆରେ ପକାଇଛି”, ଚିଠିରେ ଲେଖିଛନ୍ତି ବୈଜୟନ୍ତ।

ଡିଜିସିଏ ତଦନ୍ତକୁ ଅପେକ୍ଷା କରିବା କିମ୍ବା ତାଙ୍କୁ ପକ୍ଷ ରଖିବା ପାଇଁ ଚାରି ସପ୍ତାହ ସମୟ ଦେବା ଲାଗି ପୋଲିସକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ବୈଜୟନ୍ତ।

ଖାଲି ସେତିକି ନୁହେଁ, ଏହି ଚିଠିରେ ବୈଜୟନ୍ତ ପୁରୀ ପୋଲିସକୁ ପ୍ରଶ୍ନ କରିଛନ୍ତି। ସେ ପଚାରିଛନ୍ତି ଯେ ତାଙ୍କର ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ହୋଇଛି। ହେଲେ ହ୍ୟାଙ୍ଗରରୁ ତିନୋଟି ହେଲିକପ୍ଟର କାହିଁକି ସିଜ୍‌ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତ ୧୫ ତାରିଖରେ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ବୈଜୟନ୍ତଙ୍କ ହେଲିକପ୍ଟର ଲୋ ଫ୍ଲାଇଙ୍ଗ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁରୀ ପୋଲିସ ଏୟାରପୋର୍ଟରେ ଥିବା ଇମ୍ଫା ହ୍ୟାଙ୍ଗରୁ ସିଜ୍ କରିଥିଲା। ୧୯ ତାରିଖରେ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ବୈଜୟନ୍ତଙ୍କୁ ନୋଟିସ ଦେଇଥିଲା ପୋଲିସ। କିନ୍ତୁ ପକ୍ଷ ରଖିବାକୁ ଯାଇ ନଥିଲେ ବୈଜୟନ୍ତ। ଇମ୍ଫାର ଆଭିଏସନ ମ୍ୟାନେଜର ଏବଂ ଓକିଲ ଯାଇଥିଲେ ପକ୍ଷ ରଖିବାକୁ। ହେଲେ ବୈଜୟନ୍ତ ନିଜେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପୋଲିସ ପୁଣି ନୋଟିସ ଦେଇଛି।

Comment