ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସ୍ତରର ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ଆଜି ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ବସିଥିଲା। ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଗୋଟିଏ ଖବରକାଗଜ ଓ ଟିଭି ଚ୍ୟାନେଲର ସମ୍ପାଦକଙ୍କୁ ସମନ ଜାରି କରାଯାଇଛି।
୨୮ ତାରିଖ ସୁଦ୍ଧା ଏମାନେ ଗୃହ କମିଟିରେ ପକ୍ଷ ରଖିବାକୁ ସମନ କରାଯାଇଛି। ସେମାନେ ଗୃହ କମିଟିରେ ତଥ୍ୟ ଦେବା ପରେ ତଦନ୍ତ ଆଗକୁ ଯିବ।
ନରସିଂହ ମିଶ୍ର କହିଛନ୍ତି, “ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆସିଛି। ତାଙ୍କ ବିରୋଧରେ ପ୍ରମାଣ ଦାଖଲ ପାଇଁ ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଗଣମାଧ୍ୟମ ସମ୍ପାଦକଙ୍କୁ ସମନ କରାଯାଇଛି। ସେମାନେ ଗୃହ କମିଟିରେ ତଥ୍ୟ ଦେବେ। ଏହି ତଥ୍ୟକୁ ତର୍ଜମା କରାଯିବ। ଏହାପରେ ସୃପୃକ୍ତ ବ୍ୟକ୍ତିଙ୍କୁ ପକ୍ଷ ରଖିବା ପାଇଁ ନୋଟିସ ଦିଆଯିବ।”
ଅଭିଜିତ ଆୟାର ମିତ୍ର ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏ ସମ୍ପର୍କରେ ଗୃହରେ ସରଗରମ୍ ଆଲୋଚନା ହୋଇଥିଲା। ହେଲେ ଅଭିଜିତ ବିଧାୟକମାନଙ୍କୁ ବୁଦୁ କହିଥିଲେ। ଏହାକୁ ନେଇ ପ୍ରତିବାଦ ଉଠିଥିଲା। ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନେ ଏକାଠି ହୋଇଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ। ଏହାକୁ ବାଚସ୍ପତି ଗ୍ରହଣ କରିବା ସହ ଗୃହ କମିଟି ଗଠନ କରିଥିଲେ।
ଗୃହ କମିଟିର ଅଧ୍ୟକ୍ଷ ରହିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏଥିରେ ସଦସ୍ୟ ଅଛନ୍ତି ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ବିଜେଡି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରମିଳା ମଲ୍ଲିକ।















