ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆମିକସ୍ କ୍ୟୁରୀଙ୍କ ମାରାଥନ ଆଲୋଚନା
  • ଗଜପତି ମହାରାଜଙ୍କୁ ଭେଟିଲେ ଆମିକସ୍ କ୍ୟୁରୀ
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗ ଦେଲେ
  • ଶ୍ରୀମନ୍ଦିରରେ ସଂସ୍କାର ପାଇଁ ଦିନ ସାରା ମନ୍ଥନ
  • ସେବାୟତଙ୍କ ମତ ଲୋଡ଼ିଲେ

ପୁରୀ ଶ୍ରୀମନ୍ଦିରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମକୋର୍ଟଙ୍କ ସଂସ୍କାର ମୂଳକ ପ୍ରସ୍ତାବ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ପୁରୀ ଆସିଛନ୍ତି ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ। ଶୁକ୍ରବାର ଦିନ ସେ ଶ୍ରୀମନ୍ଦିର ପ୍ରଶାସନ, ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଶନିବାର ଗଜପତି ମହାରାଜଙ୍କୁ ଭେଟିଥିଲେ। ଏହାସହ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗଦେଇ ଦିନ ସାରା ସଂସ୍କାରମୂଳକ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ଆମିକସ୍ କ୍ୟୁରୀ।

ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହ କରିଥିଲେ ମାରାଥନ ଆଲୋଚନା।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଯେଉଁ ୩ଟି ପ୍ରସ୍ତାବକୁ ଗ୍ରହଣ କରିବାକୁ ସେବାୟତମାନେ ରାଜି ହେଉ ନଥିଲେ ତା’ଉପରେ ଆମିକସ୍ କ୍ୟୁରୀଙ୍କ ସହ ଆଲୋଚନା ହୋଇଛି। ଶ୍ରୀମନ୍ଦିରରେ ବଂଶଗତ ସେବା ବଜାୟ ରହିବା ସହ ସେବାୟତ ସଂଖ୍ୟା ହ୍ରାସ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।”

ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ସମ୍ପୂର୍ଣ୍ଣ ବନ୍ଦ କରିବା ସହ ୪ଟି ଦ୍ୱାରରେ ହୁଣ୍ଡି ସ୍ଥାପନ କରିବାକୁ ଆମିକସ୍ କ୍ୟୁରୀ ଗୁରୁତ୍ୱ ଦେଇଛନ୍ତି। ଏହାସହ ମନ୍ଦିର ଭିତରେ ଅନ୍ନଦାନ ଆଟିକା ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବାହାର ଏବଂ ଭିତର କାଠରେ ଭକ୍ତ ଦର୍ଶନ କରିବା ବେଳେ ଯେମିତି ବାଧା ସୃଷ୍ଟି ନହୁଏ ସେଉପରେ ଆମିକସ୍ କ୍ୟୁରୀ ଗୁରୁତ୍ୱ ଦେଇଛନ୍ତି।

ସେବାୟତଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ପରିଚୟପତ୍ର  ତିଆରି କରିବା ପାଇଁ ଆମିକସ୍ କ୍ୟୁରୀ କହିଛନ୍ତି।

ଗୋପାଳ ସୁବ୍ରମଣ୍ୟମ କହିଛନ୍ତି, “ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଠିକ୍ ଭାବେ କାର୍ଯ୍ୟକାରୀ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଗଜପତି ମହାରାଜଙ୍କ ସହ ଆଲୋଚନା ହୋଇଛି। ସେମାନେ ଯାହା ମତ ଦେଇଛନ୍ତି ତାହାକୁ ସୁପ୍ରିମକୋର୍ଟରେ ଉପସ୍ଥାପିତ କରାଯିବ।”

ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ପାଇଁ ଆମିକସ୍ କ୍ୟୁରୀ ବୈଠକରେ ଆଲୋଚନା କରିଥିଲେ। ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଯିବେ ଏବଂ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

Comment