କପିଳାସ ଭୂୟାଁ

ଦୀର୍ଘସ୍ଥାୟୀ ଭିତ୍ତିଭୂମି କଥା କହିଲେ ଆମକୁ ଟିକିଏ ପଛକୁ ଫେରିବାକୁ ପଡ଼ିବ। 

ଭୁବନେଶ୍ଵରଠାରେ ଓଡ଼ିଶାର ନୂଆ ରାଜଧାନୀ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଦ୍ଵାରା ୧୩.୦୪.୧୯୪୮ରେ ଭିତ୍ତିପ୍ରସ୍ଥ ସ୍ଥାପନ ହେଲା।  ଏହି ଭିତ୍ତି ଫଳକଟି ବିଧାନ ସଭା ପାଚେରୀରେ ପି.ଏମ୍‌.ଜି ଛକ ପଟକୁ ରହିଛି। ସେଥିପାଇଁ ସେଠାରେ ସାରା ବର୍ଷ ୧୪୪ ଧାରା ବଳବତ୍ତର ରହୁଥିବା ସତ୍ତ୍ୱେ ୧୯୯୨ ମସିହାଠାରୁ ପ୍ରତି ବର୍ଷ ମହା ସମାରୋହରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଆସୁଛି। ଏହା ସରକାରଙ୍କ ସହଯୋଗରେ ହେଉଛି।

ଏହା ପୂର୍ବରୁ ଓଡ଼ିଶାର ସମସ୍ତ ରାଜନୈତିକ କାର୍ଯ୍ୟକଳାପ କଟକଠାରେ ହେଉଥିଲା। ଉପକୂଳ ଅଞ୍ଚଳର ନେତାମାନେ ଅଧିକ କ୍ଷମତାଶାଳୀ ଥିଲେ। ଦେଶ ସ୍ଵାଧୀନ ହେବା ପରେ ଆଉ ଗୋଟିଏ ନୂଆ ଜାଗାରେ ରାଜଧାନୀ ପ୍ରତିଷ୍ଠା କରିବା ପ୍ରସଙ୍ଗ ଉଠିଲା। ଦକ୍ଷିଣ ଓଡ଼ିଶାର ନେତୃବର୍ଗ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ନୂଆ ରାଜଧାନୀ ପ୍ରତିଷ୍ଠା କରିବା ପାଇଁ ଆଗ୍ରହୀ ଥିଲେ। ତେବେ ଉପକୂଳ ଅଞ୍ଚଳର ନେତାମାନେ ପୂର୍ବବତ କଟକଠାରେ ହିଁ ରାଜଧାନୀ ରହୁ ବୋଲି ଚାହୁଁଥିଲେ। କିନ୍ତୁ ଚାରି ପାଖରେ ନଦୀ ଦ୍ଵାରା ପରିବେଷ୍ଟିତ ହୋଇ ରହି ଥିବାରୁ ଭବିଷ୍ୟତରେ ରାଜଧାନୀ ସଂପ୍ରସାରଣ ହେବା ସହଜ ହେବ ନାହିଁ ବୋଲି ସେ ସମୟର ଜଣେ ଶକ୍ତିଶାଳୀ ନେତା ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଜଣାଥିଲା।

ସେ ସମୟରେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରକୁ କେନ୍ଦ୍ର କରି ରହିଥିଲା ଭୁବନେଶ୍ଵର ଓ କପିଳେଶ୍ଵର ପରି ସ୍ଥାନ। ସେଠାରୁ ଆରମ୍ଭ କରି ଜାଗମରା, ଘାଟିକିଆ, ଚନ୍ଦକା, ବରମୁଣ୍ଡା, ନୂଆପଲ୍ଲୀ, ପଟିଆ, ମଞ୍ଚେଶ୍ଵର, ରସୁଲଗଡ଼, ବମିଖାଲ, ଝାରପଡ଼ା, ଲକ୍ଷ୍ମୀସାଗର, ବଡ଼ଗଡ଼, ଟଙ୍କପାଣି ଓ ସାମନ୍ତରାପୁର ଆଦି ଗାଁଗୁଡ଼ିକ ଚକ୍ରାକାରରେ ଘେରି ରହିଥିଲା ବେଳେ ଏହାର ମଧ୍ୟ ଭାଗରେ ଥିବା ବିରାଟ ଅଞ୍ଚଳରେ କୌଣସି ଜନବସତି ନଥିଲା। ଏହି ସ୍ଥାନ ଥିଲା ଜଙ୍ଗଲିଆ, ମାଟି ଥିଲା ନାଲି ଓ ଭୂମି ଥିଲା ପଥୁରିଆ, ନଚେତ ପାହାଡିଆ। ନାଲି ମାଟି ହୋଇଥିବାରୁ ଏହି ସ୍ଥାନରେ ବିଶେଷ କିଛି ଚାଷବାସ ହେଉ ନଥିଲା। ଡକ୍ଟର ହରେକୃଷ୍ଣ ମହତାବ ଏହି ଅଞ୍ଚଳକୁ ଓଡ଼ିଶାର ନୂଆ ରାଜଧାନୀ ସ୍ଥାପନ ପାଇଁ ପ୍ରକୃଷ୍ଟ କ୍ଷେତ୍ର ବୋଲି ଭାବିଲେ। ଗୋଟିଏ ନୂଆ ସହର ସ୍ଥାପନ କଲେ ତାହାର ପାଣି ଆବଶ୍ୟକତାକୁ ତୁଲାଇବା ପାଇଁ ଏହି ଅଞ୍ଚଳର ଗୋଟିଏ ପଟେ କୁଆଖାଇ ନଦୀ ଥିଲାବେଳେ ଅନ୍ୟପଟେ ରହିଥିଲା ଗଙ୍ଗୁଆ ନଦୀ।

ଡକ୍ଟର ହରେକୃଷ୍ଣ ମହତାବ ସେ ସମୟରେ ଓଡ଼ିଶାରେ ରହୁ ନଥିଲେ ମଧ୍ୟ ତାଙ୍କର ତୀକ୍ଷ୍ମ ବୁଦ୍ଧିମତ୍ତାର ଉପଯୋଗରେ ଓଡ଼ିଶାର ନୂଆ ରାଜଧାନୀ ଏଠାରେ ସ୍ଥାପନ ହେବା ପାଇଁ ନିର୍ଣ୍ଣୟ କରାଗଲା, ଯାହାର ନାଁ ହେଲା ଭୁବନେଶ୍ଵର, ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଘେରି ରହିଥିବା ଜନପଦ ଆପେ ଆପେ ପାଲଟିଗଲା ପୁରୁଣା ଭୁବନେଶ୍ୱର ବା ଓଲ୍ଡ ଟାଉନ।

ଭୁବନେଶ୍ଵରରେ ଓଡିଶାର ନୂଆ ରାଜଧାନୀର ଭିତ୍ତିପ୍ରସ୍ଥର ସ୍ଥାପନ କରିବା ପରେ ପଣ୍ଡିତ ନେହେରୁ ଏହି ସହରର ରୂପରେଖ ପ୍ରସ୍ତୁତ କରିବା ପାଇଁ ପଠାଇଲେ ଜଣେ ଜର୍ମାନ ଟାଉନ ପ୍ଲାନରଙ୍କୁ ଓ ତାଙ୍କ ନାଁ ହେଲା ଓଟୋ କୋଏନିଗ୍ସବର୍ଜ୍ଜର। ରାଜଧାନୀ ଭୁବନେଶ୍ୱରର ଯେଉଁ ମୂଳ ନକ୍ସା ସେ ପ୍ରସ୍ତୁତ କଲେ ତାହାକୁ କୁହାଗଲା ମାଷ୍ଟର ପ୍ଳାନ।

ଏଠାରେ ତିଆରି ହେବାକୁ ଥିବା କୋଠାବାଡ଼ିଗୁଡ଼ିକର ନକ୍ସା ପ୍ରସ୍ତୁତି ପାଇଁ ଆସିଲେ ଗୋଆରେ ଜନ୍ମିତ ଆଙ୍ଗ୍ଲୋଇଣ୍ଡିଆନ ସ୍ଥପତି ଜୁଲିୟସ ଭାଜ। ରାଜଧାନୀ ଭୁବନେଶ୍ୱର ଗୋଟିଏ ନୂଆ ଓ ଆଧୁନିକ ସହର ରୂପେ ଉଭା ହେବାକୁ ଯାଉଥିଲେ ମଧ୍ୟ ସେ ଏଠାକାର କୋଠାବାଡ଼ିଗୁଡ଼ିକର ବ୍ୟାହିକ ରୂପକୁ ମନ୍ଦିରମାଳିନୀ ପୁରୁଣା ଭୁବନେଶ୍ୱରର ମନ୍ଦିରଗୁଡ଼ିକ ସହ ସାଦୃଶ୍ୟ ରଖି ନକ୍ସା ପ୍ରସ୍ତୁତ କଲେ। ତାହାର ଉଦାହରଣଗୁଡ଼ିକ ହେଲା ମେନ ମାର୍କେଟ ବିଲଡିଙ୍ଗର ଉଭୟ ଇଷ୍ଟର୍ନ ଓ ୱେଷ୍ଟର୍ନ ଟାୱାର, ସବୁ ୟୁନିଟ ଗୁଡ଼ିକରେ ଥିବା ୟୁପି ସ୍କୁଲ ଓ ଗାର୍ଲ୍ସ ହାଇସ୍କୁଲ, କ୍ୟାପିଟାଲ ଥାନା ଓ ରେଡ ବିଲଡିଙ୍ଗ, ଇତ୍ୟାଦି। ଅବଶ୍ୟ ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ ରେଡ ବିଲଡିଙ୍ଗ ଏବେ ଆଉ ରେଡ ହୋଇ ନାହିଁ, ତାହାର ରଙ୍ଗ ଏବେ ଧଳା ଓ ତାହା ଏବେ ରାଜ୍ୟ ସଚିବାଳୟର ଅଂଶବିଶେଷ। ଅଧିକାଂଶ କୋଠାବାଡ଼ିର ରଙ୍ଗ ମଧ୍ୟ ଢାଉ ରଙ୍ଗ କରାଯାଇଥିଲା, ଯାହା ଦ୍ଵାରା ନୂଆ ରାଜଧାନୀ ଓ ପୁରୁଣା ଭୁବନେଶ୍ଵର ମଧ୍ୟରେ ଏକ ଦୃଶ୍ୟଗତ ସାମଞ୍ଜସ୍ୟ ରହି ପାରିବ ।

ଅନ୍ୟପକ୍ଷରେ ଓଟୋ କୋଏନିଗ୍ସବର୍ଜ୍ଜର ରାଜଧାନୀ ଭୁବନେଶ୍ୱରର ମାଷ୍ଟର ପ୍ଲାନକୁ ଆଇରନ ଗ୍ରୀଲ ପଦ୍ଧତିରେ ୪୦ ହଜାର ଜନସଂଖ୍ୟା ପାଇଁ ଏକ ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଜୁଲିୟସ ଭାଜ ମାଷ୍ଟର ପ୍ଲାନକୁ ପରିବର୍ଦ୍ଧିତ କରିଥିଲେ। କହିବା ଅନାବଶ୍ୟକ ଯେ ୧୯୯୦ ଦଶକ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର ବାସିନ୍ଦାମାନେ କଥା ଛଳରେ ଏହି ମାଷ୍ଟର ପ୍ଳାନ କଥା କେମିତି ସମସ୍ତେ ଭୁଲି ଯାଉଛନ୍ତି ଓ ବେନିୟମ ଭାବେ କୋଠବାଡ଼ି ନିର୍ମାଣ କରୁଛନ୍ତି ତାହାର ଉଲ୍ଲେଖ କରି ଆସୁଥିଲେ। ଏବେ ଅବଶ୍ୟ ସେହି ମାଷ୍ଟର ପ୍ଳାନ ବଦଳି ସହରର ନୂଆ ଟାଉନ ପ୍ଳାନ ପ୍ରସ୍ତୁତ କରା ଗଲାଣି। ତେଣୁ ସେହି ପୁରୁଣା ମାଷ୍ଟର ପ୍ଳାନ ହୁଏତ ଅନେକଙ୍କୁ ଏକ ଅନାବଶ୍ୟକ କାଗଜାତ ପରି ମନେ ହୋଇପାରେ।

ଅବଶ୍ୟ ୨୦୫୦ ମସିହା ବେଳକୁ ଏବେ ସ୍ମାର୍ଟ ସିଟିକୁ ରୂପାନ୍ତରିତ ହେଉଥିବା ରାଜଧାନୀ ଭୁବନଶ୍ଵରର ରୂପ ସଂପୂର୍ଣ୍ଣ ବଦଳି ଏକ ଅତ୍ୟାଧୁନିକ ସହର ପାଲଟି ଯାଇଥିବ। ତେବେ ସୁଦ୍ଧା ବି ଓଟୋ କୋଏନିଗ୍ସବର୍ଜ୍ଜର ଓ ଜୁଲିୟସ ଭାଜଙ୍କ ମୂଳ ମାଷ୍ଟର ପ୍ଳାନ ଯେ ନିଶ୍ଚିତ ରୂପେ ସେହି ଭବିଷ୍ୟତ ବଡ ସହରର ଆତ୍ମା ସଦୃଶ ରହିବ ହିଁ ରହିବ, ସେଥିରେ କୌଣସି ସନ୍ଦେହ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment