ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କ୍ୟାରିଅର୍ ଠିକ୍ ନାହିଁ, ଏଣେ ତାଙ୍କ ହାତରୁ ଲଗାତାର ତିନିଟି ଫିଲ୍ମ ଖସିଗଲାଣି। କାହିଁକି ଏମିତି ହେଉଛି ଆସନ୍ତୁ ଜାଣିବା?

ବଲିଉଡର ଲୋକପ୍ରିୟ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ହେଉଛି ଯେ, ତାଙ୍କ ହାତରୁ ଫିଲ୍ମ ଖସି ଯାଉଛି। କହିବାର ଅର୍ଥ ହେଲା ଯେ, ତାଙ୍କ ପାଖକୁ ଭଲ ଅଫର୍ ଆସୁଛି, ହେଲେ କୌଣସି ନା କୌଣସି କାରଣରୁ ତାହା ତାଙ୍କ ହାତରୁ ଖସିଯାଉଥିବା ନେଇ ଚର୍ଚ୍ଚା ଲାଗି ରହିଛି। ଆସନ୍ତୁ ପ୍ରଥମେ ଜାଣିବା କେଉଁ ସିନେମା ତାଙ୍କ ହାତରୁ ଖସିଛି…

ବୋ କୌନ୍ ଥି

୧୯୬୪ରେ ସୁପରହିଟ୍ ହରର ସିନେମା ‘ବୋ କୌନ୍ ଥି’ର ରିମେକ୍ ନିର୍ମାଣ କରିବାକୁ ଚାହୁଁଛି ଆରର୍ଜ ଏଣ୍ଟରଟେନମେଣ୍ଟ୍। ଏହାର ମୂଳ ସିନେମାରେ ସାଧନା, ମନୋଜ କୁମାର ଓ ପ୍ରେମ ଚୋପ୍ରା ମୁଖ୍ୟ ଭୂମିକାରେ ଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ହିଟ୍ ମେକର ରାଜ୍ ଖୋସଲା।

‘ବୋ କୌନ୍ ଥି’ର ରିମେକ୍‌ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେବା ଲାଗି ପ୍ରଯୋଜନା ସଂସ୍ଥା ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଏହି ସିନେମାରେ ଐଶ୍ୱର୍ଯ୍ୟାଙ୍କୁ ଦୁଇଟି ଭୂମିକାରେ ଦେଖିବାକୁ ମିଳିଥାନ୍ତି।

କାରଣ ଏହାର କାହାଣୀ ହେଉଛି ଦୁଇ ଯାଆଁଳା ଭଉଣୀଙ୍କ ଉପରେ ଆଧାରିତ। ଗତବର୍ଷ ଐଶ୍ୱର୍ଯ୍ୟାଙ୍କୁ ଏହି ଫିଲ୍ମର ଅଫର୍‌ ଦିଆଯାଇଥିଲା। ହେଲେ ସେ ଝୁଲାଇ ରଖିଲେ।

ଅବଶେଷରେ ପ୍ରଯୋଜକ ‘ବୋ କୌନ୍ ଥି’ ସିନେମାରେ ଐଶ୍ୱର୍ଯ୍ୟାଙ୍କ ବଦଳରେ ହରର୍ କୁଇନ୍‌ ବିପାଶା ବାସୁଙ୍କୁ ନିଆଯାଇଛି। ଅର୍ଥାତ୍‌ ଐଶ୍ୱର୍ଯ୍ୟାଙ୍କ ହାତରୁ ଖସିଯାଇଛି ଏହି ସିନେମା। ଏଥିରେ ନିଜେ ନିର୍ମାତା ଅର୍ଜୁନ ଏନ୍ କପୁର ନାୟକ ଭୂମିକା ନିଭାଇବେ ବୋଲି କୁହାଯାଉଛି।

ଜାସ୍ମିନ୍

ଗୋଲିଓଁ କା ରାସ୍ ଲୀଲା’ ଓ ‘ଟଏଲେଟ୍ ଏକ ପ୍ରେମ କଥା’ ଭଳି ସୁପରହିଟ୍ ସିନେମାର ଲେଖକ ଯୋଡ଼ି ଗାରିମା-ସିଦ୍ଧାର୍ଥ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ‘ଜାସ୍ମିନ୍’ ଟାଇଟଲରେ ଏକ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ।

ଏହାର ନିର୍ଦ୍ଦେଶନା ଦେଇଥାନ୍ତେ ଦୁହେଁ। ହେଲେ ଐଶ୍ୱର୍ଯ୍ୟା ଜଣେ ସରୋଗେଟ୍ ମଦର ହେବାକୁ ଚାହୁଁନାହାନ୍ତି ବୋଲି କହି ଫିଲ୍ମରୁ ନିଜକୁ ଦୂରେଇ ଦେଇଥିବା ଜଣାଯାଇଛି।

ଗୁଲାବ୍ ଜାମୁନ୍

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କୁ ନେଇ ‘ଗୁଲାବ୍ ଜାମୁନ୍’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିବାର ଆଗ୍ରହ ଦେଖାଇଥିଲେ। ହେଲେ ଏହି ପ୍ରୋଜେକ୍ଟରେ ଉଭୟେ ଆଗ୍ରହ ଦେଖାଇଲେନି।

ଶୈଲେଶ ସିଂହଙ୍କ ଫିଲ୍ମ

ନିର୍ମାତା ଶୈଲେଶ ସିଂହ ଉତ୍ତରପ୍ରଦେଶର ଏକ ଆଇପିଏସ୍ ଅଫିସର ଦମ୍ପତ୍ତିଙ୍କ କାହାଣୀକୁ ନେଇ ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମରେ ଉଭୟେ ସ୍ୱାମୀ-ସ୍ତ୍ରୀ ଆଇପିଏସ ଅଫିସର। ଶୈଲେଶ ଏହି ଫିଲ୍ମ ପାଇଁ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଅଫର୍ ଦେଇଥିଲେ।

ହେଲେ ଦୁହେଁଙ୍କୁ କାହାଣୀ ପସନ୍ଦ ଆସିନଥିଲା ବୋଲି କୁହାଗଲା। ଏବେ ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ପାଇଁ ଉଦ୍ଦିଷ୍ଟ ଭୂମିକାରେ ତାପସୀ ପାନୁଙ୍କୁ ନିଆଯାଉଥିବା ଜଣାଯାଇଛି।

କାହିଁକି ଏମିତି ଘଟୁଛି

ବଲିଉଡର ଭିତିରି ସୂତ୍ରରୁ ଜଣାଯାଇଛି ଯେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି କେବଳ ମହିଳା ପ୍ରଧାନ ସିନେମାରେ କାମ କରିବାକୁ ଚାହୁଁଛନ୍ତି। ଏଣୁ କାହାଣୀରେ ଅଦଳବଦଳ କରିବାକୁ କହୁଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ଅଭିନୀତ ପୂର୍ବ ସିନେମା ସରବଜିତ୍, ଜଜ୍‌ବା ଓ ଫନ୍ନେ ଖାନ୍‌ ଆଦି ଫ୍ଲପ୍ ହେବା ପରେ ମଧ୍ୟ ସେ ନିଜର ପ୍ରାଇସ୍‌ କମ୍ କରୁନାହାନ୍ତି କି ଏଥିରେ କଂପ୍ରୋମାଇଜ୍ କରିବା ମୁଡ଼ରେ ନାହାନ୍ତି ବୋଲି ବି କୁହାଯାଉଛି।

ଏହାଫଳରେ ଆଜିକାଲି ଆଉ ପ୍ରଯୋଜକ ନିର୍ଦ୍ଦେଶକମାନେ ଐଶ୍ୱର୍ଯ୍ୟାଙ୍କୁ ନିଜ ନିଜ ସିନେମାରେ କାଷ୍ଟ କରିବାକୁ ଚାହୁଁନାହାନ୍ତି। ଏଭଳି ଅବସ୍ଥା ହେଲେ ଐଶ୍ୱର୍ଯ୍ୟାଙ୍କ କ୍ୟାରିଅର୍ ପାଇଁ ସତର୍କ ଘଣ୍ଟି ବାଜିଯିବ।

Comment