ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପରଦାକୁ ଆସୁଛି ପ୍ରକୃତି ମିଶ୍ରଙ୍କ ଅଭିନୀତ ଫିଲ୍ମ ପପୁଲ୍।

ବାପା ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର, ଅଭିନେତା ଓ ନିର୍ମାତା। ମାଆ ଜଣେ କଣ୍ଠଶିଳ୍ପୀ ଓ ସମ୍ବାଦ ପାଠିକା। ଉଭୟ  ରାଜନୀତିରେ ବି ସକ୍ରିୟ। ଏ ଦୁହିଁଙ୍କ କନ୍ୟା ହେଲେ ଜଣେ ଲୋକପ୍ରିୟ ନାୟିକା।

ମନ୍ମଥ ମିଶ୍ର ଓ କ୍ରିଷ୍ଣା ମିଶ୍ରଙ୍କ ଝିଅ ହେଲେ ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ର। ପ୍ରକୃତି ବି ଜଣେ ଗାୟିକା-ନାୟିକା। ସେ ଅବଶ୍ୟ ଅଭିନୟ କ୍ଷେତ୍ରରେ ଆଜିକାଲି ସକ୍ରିୟ।

ପ୍ରକୃତି ମିଶ୍ର ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରନ୍ତି ୨୦୦୩ର ସିନେମା ‘ସାବତମା’ରୁ। ଏହାର ନିର୍ଦ୍ଦେଶକ ଥିଲେ ଶିଶିର ମିଶ୍ର। ଏଥିରେ ଅନୁ ଚୌଧୁରୀଙ୍କ ପିଲାଦିନର ଚରିତ୍ରର ଅବତୀର୍ଣ୍ଣ ହୋଇଥିଲେ ପ୍ରକୃତି। ତା’ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ‘ହରିଭାଇ ହାରେନା’ ଓ ଆପୁ କାନୁନଗୋଙ୍କ ‘ସାତ ସୁରେ ବନ୍ଧା ଏ ଜୀବନ’ରେ ବି ନଜର ଆସିଥିଲେ ଶିଶୁ କଳାକାର ରୂପେ।

ନାୟିକା ଭାବେ ପ୍ରକୃତିଙ୍କ ଅଭିନୀତ ପ୍ରଥମ ସିନେମା ହେଲା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଥୁକୁଲ୍‌’। ଏହାପରେ ପ୍ରକୃତି ପ୍ରେମିକା, ଏସିପି ସାଗରିକା, ଓମ୍, ଆଇ ଆମ୍ ନଟ୍ ଏ ଗଡ୍, ଓମ୍‌ ସାଇରାମ୍‌ ଓ ‘ମିଠା ମିଠା’ ଆଦି ଓଡ଼ିଆ ସିନେମାରେ ବି ନାୟିକା ଭୂମିକାରେ ନଜର ଆସିଛନ୍ତି।

ହ୍ୟାଲୋ ଆର୍‌ସୀ’ ଓଡ଼ିଆ ସିନେମା ପାଇଁ ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ର ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ। ଏ ବର୍ଷ ସେଥିପାଇଁ ସେ ଖୁବ୍‌ ଚର୍ଚ୍ଚାରେ ଥିଲେ। ଏହି ଫିଲ୍ମ ପାଇଁ ସେ ସ୍ୱତନ୍ତ୍ର ସମ୍ମାନର ଅଧିକାରିଣୀ ହୋଇଥିଲେ।

ଏହାଛଡ଼ା ପ୍ରକୃତି ହିନ୍ଦୀ ମେଗା ଧାରାବାହିକ ‘ତିନ୍ ଦେବୀୟାଁ’ରେ ଅଭିନୟ କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ। ହେଲେ ଏବେ ଏହି ଲୋକପ୍ରିୟ ନାୟିକା ଏକ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି।

ହଁ ପ୍ରକୃତିଙ୍କ ଏକ ନୂଆ ଓଡ଼ିଆ ସିନେମା ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ। ଏହି ଓଡ଼ିଆ ସିନେମାରେ କାମ ୨୦୧୪ରେ ଆରମ୍ଭ ହୋଇଥିଲା, ହେଲେ ତା’ ଅଧାରେ ଅଟକି ରହିଥିଲା। ସେ ଯାହା ହେଉନା କାହିଁକି, ପ୍ରକୃତି ମିଶ୍ରଙ୍କ ଅଭିନୀତ ଏହି ସିନେମାର ସବୁ କାମ ସରିଛି।

ଖାଲି ସେତିକି ନୁହେଁ, ଇତିମଧ୍ୟରେ ଏହି ଫିଲ୍ମର ଅଡିଓ ରିଲିଜ୍‌ ମଧ୍ୟ ହୋଇସାରିଛି। ଏଠାରେ ଯେଉଁ ଓଡ଼ିଆ ସିନେମା କଥା କୁହାଯାଉଛି ତା’ର ଟାଇଟଲ୍ ହେଲା ‘ପପ୍‌ଲୁ’।

ଜଗନ୍ନାଥ ପାଟଯୋଶୀ ମହାପାତ୍ରଙ୍କ ପ୍ରଯୋଜିତ ଏହି ସିନେମାରେ ପ୍ରକୃତି ମିଶ୍ରଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଅନୀଷା। ସେ ଜଣେ ମୁସଲିମ୍ ଯୁବତୀ।

‘ପପ୍‌ଲୁ’ରେ ପ୍ରକୃତିଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି ନବାଗତ ଅଭିଷେକ ବେଉରା। ଏଥିରେ ଅଭିଷେକ ଅଛନ୍ତି ପପ୍‌ଲୁ ଭୂମିକାରେ। ପପ୍‌ଲୁ ଜଣେ ଗରିବ ସେବାୟତ ଓ ରିକ୍ସା ଚାଳକ ମଧ୍ୟ। ଥରେ ଅନୀଷା ପୁରୀ ଆସିଥାଏ, ସେହି ସମୟରେ ପପ୍‌ଲୁ ସହିତ ତା’ର ଦେଖାହୁଏ।

ସେଇଠି ଦୁହିଁଙ୍କର ପ୍ରେମ କାହାଣୀ ଆରମ୍ଭ ହୁଏ। ପରିଶେଷରେ କ’ଣ ହୁଏ,ତାହା ଜଣାପଡ଼ିବ ‘ପପଲୁ’ର କ୍ଲାଇମାକ୍ସରେ। ଏହି ଫିଲ୍ମରେ ମିହିର ଦାସ, ଅପରାଜିତା, ଦୈତାରି ପଣ୍ଡା ଓ ପପୁ ପମ୍‌ପମ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ରାମ ପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ ଓ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।

Comment