ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୋପାଳରେ କଂଗ୍ରେସକୁ ସିଧା ନିଶାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

“କଂଗ୍ରେସ ପାର୍ଟି ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛି। ସମାଲୋଚନାରେ ଏମିତି ଶବ୍ଦ ବ୍ୟବହାର କରିଛନ୍ତି ଯେ ଶବ୍ଦକୋଷରୁ ଶବ୍ଦ ଶେଷ ହୋଇଯାଇଛି। ହେଲେ କଂଗ୍ରେସ ବିଜେପି ଉପରକୁ ଯେତେ କାଦୁଅ ଫିଙ୍ଗିଛି ସେତେ ପଦ୍ମ ଫୁଟିଛି। ଆଗକୁ ମଧ୍ୟ ଯେତେ କାଦୁଅ ଫିଙ୍ଗିବେ ସେତେ ପଦ୍ମ ଫୁଟିବ। ସାରା ଦେଶ ପଦ୍ମମୟ ହୋଇଯିବ। ପ୍ରତି ଘରେ ଘରେ ପଦ୍ମ ହସିବ”, ଭୋପାଳରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ହୋଇଥିଲା ବିଜେପିର କର୍ମକର୍ତ୍ତା ମହାକୁମ୍ଭ। ଏଥିରେ ଆଜି ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରିୟ ସଭାପତି ଅମିତ ଶାହ। ଏହି ସମାବେଶରେ ମୋଦି ଆଜି କଂଗ୍ରେସ ଉପରେ ଜମେଇକି ବର୍ଷିଛନ୍ତି।

ମୋଦି କହିଛନ୍ତି ଯେ କଂଗ୍ରେସ ମହାମେଣ୍ଟ କରିବ ବୋଲି ପ୍ରସ୍ତୁତି ଚଳାଇଛି। ହେଲେ ଏଥିରେ ସେ ସମ୍ଭବ ହେଉନାହିଁ। ଯଦି ବି ମହାମେଣ୍ଟ ଗଠନ ହୋଇଯାଏ ତାହାଲେ କିଛି ଲାଭ ହେବନି।

“କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ଦେଶରେ ଭୋଟବ୍ୟାଙ୍କ ପଲିଟିକ୍ସ କରୁଛନ୍ତି। ଏହା ଭାରତର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ଏହାକୁ ଶେଷ କରିବାର ବେଳ ଆସିଛି”, କହିଛନ୍ତି ମୋଦି।

ଖାଲି ସେତିକି ନୁହେଁ ମୋଦି ବିକାଶ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦେଶର ବିକାଶ ସମ୍ପର୍କରେ ଆଲୋଚନା କରୁ। ଅଯଥାରେ କାଦୁଅ ଫିଙ୍ଗି ରାଜନୀତି ନକରିବାକୁ ମୋଦି ଆହ୍ୱାନ କରିଛନ୍ତି।

୨୦୧୮ ଡିସେମ୍ବର ମାସରେ ମଧ୍ୟପ୍ରଦେଶ ବିଧାନସଭା ଭୋଟ ହେବାକୁ ଯାଉଛି। ଏହା ପୂର୍ବରୁ ମୋଦି ଭୋପାଳରେ କଂଗ୍ରେସ ଉପରେ ବର୍ଷି ରାଜନୀତିକୁ ଗରମ କରିଛନ୍ତି।

Comment