ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ
  • ୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ୬ ମହଲା କୋଠା
  • ତାମିଲନାଡ଼ୁ ସରକାର ଯୋଗାଇ ଦେଲେ ଜମି
  • ୨୦୧୨ରେ ହୋଇଥିଲା ଶିଳାନ୍ୟାସ
  • ଜୟଲଳିତାଙ୍କୁ ମନେପକାଇଲେ ନବୀନ

ଚେନ୍ନାଇରେ ଉଦଘାଟିତ ହେଲା ଓଡ଼ିଶା ଭବନ। ଏହାକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୨ କୋଟି ଟଙ୍କା ବ୍ୟୟରେ ଚେନ୍ନାଇରେ ନିର୍ମାଣ ହୋଇଛି ୬ ମହଲା ବିଶିଷ୍ଟ ଓଡ଼ିଶା ଭବନ। ଏହି ଭବନ ନିର୍ମାଣ ପାଇଁ ତାମିଲନାଡ଼ୁ ସରକାର ଯୋଗାଇ ଦେଇଥିଲେ ଜମି।

ଚେନ୍ନାଇରେ ନବ ନିର୍ମିତ ଓଡ଼ିଶା ଭବନରେ ୨୧ଟି ରୁମ୍ ଏବଂ ଗୋଟିଏ ସମ୍ମିଳନୀ କକ୍ଷ ରହିଛି। ୨୧ଟି ରୁମ୍‌ ଭିତରୁ ୧୬ଟି ହେଉଛି ଡବଲ୍ ବେଡ୍ ରୁମ୍। ଏହି ସମ୍ମିଳନୀ କକ୍ଷରେ ଏକାସାଙ୍ଗରେ ୩୦୦ ଲୋକ ବସି ପାରିବାର ସୁବିଧା ରହିଛି। ଜୟଲଳିତା ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୨ ମେ’ ୧୧ ତାରିଖରେ ଓଡ଼ିଶା ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ରାଜ୍ୟ ବାହାରେ ଏହା ହେଉଛି ଷଷ୍ଠ ଓଡ଼ିଶା ଭବନ।

ଦିଲ୍ଲୀରେ ୩ଟି, ମୁମ୍ବାଇ ଏବଂ କୋଲକାତାରେ ଗୋଟିଏ ଲେଖାଏଁ ଓଡ଼ିଶା ଭବନ ରହିଛି। ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ମନେ ପକାଇଛନ୍ତି।

“ଚେନ୍ନାଇ ହେଉଛି ଭାରତର ଅନ୍ୟତମ ପ୍ରମୁଖ ସହର। ଓଡ଼ିଶାର ଜନସାଧାରଣଙ୍କୁ ଏହି ସହର ବିଶେଷ ଭାବେ ଆକର୍ଷିତ କରିଥାଏ। ଚେନ୍ନାଇରେ ବହୁତ ଓଡ଼ିଆ ଲୋକ ରହିଛନ୍ତି। ଚେନ୍ନାଇର ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଲୋକେ ନିଯୁକ୍ତି ପାଇଛନ୍ତି। ଏହାସହ ଓଡ଼ିଶାରେ ମଧ୍ୟ ତାମିଲନାଡ଼ୁର ବହୁତ ଲୋକ ବସବାସ କରୁଛନ୍ତି। ଏହି ଭବନ ନିର୍ମାଣ ହେବା ପରେ ଓଡ଼ିଶା ଏବଂ ତାମିଲନାଡ଼ୁ ଭିତରେ ଏକ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ହୋଇପାରିଛି। ଆଗାମୀ ଦିନରେ ଦୁଇ ରାଜ୍ୟ ଭିତରେ ସମ୍ପର୍କ ଆହୁରି ମଜଭୁତ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା ଭବନ ଉଦଘାଟନ ଉତ୍ସବରେ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀ ଥିନୁ ଜୟକୁମାର, ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍‌ ବାଲାକ୍ରିଷ୍ଣନ, ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେବେ। ଏଠାରେ ସେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କରିବେ। ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରିତ କରିବେ। ଏହାସହ ଚେନ୍ନାଇରେ ଏକ ରୋଡ ସୋ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ନବୀନ।

Comment