ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କଲା କଂଗ୍ରେସ।

୨୦୧୯ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି କଂଗ୍ରେସ ନିର୍ବାଚନ ମୁହାଁ ହୋଇଛି। ବାକି ୧୦୩ଟି ଆସନରେ ଖୁବ୍‌ ଶୀଘ୍ର ପ୍ରାର୍ଥୀ ଚୂଡ଼ାନ୍ତ କରାଯିବ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା ଉପରେ ଜୋର୍ ଦେଇଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ୫୦ ପ୍ରତିଶତ ଆସନରେ ଆଗୁଆ ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିଥିଲେ ପ୍ରଭାରୀ ଜିତେନ୍ଦ୍ର ସିଂ। ହେଲେ ସେପ୍ଟେମ୍ବର ଶେଷ ହୋଇଯାଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନଥିଲା। କାହାକୁ କେଉଁଠି ପ୍ରାର୍ଥୀ କଲେ କଂଗ୍ରେସ ବିଜୟୀ ହେବ ସେନେଇ ଦ୍ବନ୍ଦ୍ବ ଉପଜିଥିଲା।

ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପାଇଁ ଆଜି କଂଗ୍ରେସ ଭବନରେ ବସିଥିଲା ପିଇସି ବୈଠକ। ଦିନ ତମାମ୍ ୨୦୧୯ ନିର୍ବାଚନ ମନ୍ଥନ କରିଥିଲେ କଂଗ୍ରେସ ନେତା। ଶେଷରେ ୪୪ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିଲା। ହେଲେ କେଉଁ ୪୪ଟି ଆସନ ପାଇଁ ଦଳ କାହାକୁ ପ୍ରାର୍ଥୀ କରିଛି ତାହା ପ୍ରକାଶ କରାଯାଇନି। ଖୁବ୍‌ ଶୀଘ୍ର ଏହା ଘୋଷଣା କରାଯିବ ବୋଲି ଦଳ ତରଫରୁ ସୂଚନା ମିଳିଛି।

“ପିଇସି କମିଟି ବୈଠକରେ ୪୪ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ବିଜୟ ସମ୍ଭାବନା ଏବଂ ଲୋକଙ୍କ ସହ ସମ୍ପର୍କ ରଖୁଥିବା ନେତାଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପୂର୍ବରୁ ସ୍କ୍ରିନିଂ କମିଟି ପାଖକୁ ପ୍ରାର୍ଥୀ ତାଲିକା ଅନୁଧ୍ୟାନ ପାଇଁ ପଠାଯିବ। ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

Comment