ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ ୨୦୧୯ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୪ ଜଣ ପ୍ରାର୍ଥୀଙ୍କ ନାଁ ରେଡ୍ଡି କରିଥିବା ବେଳେ ଦୁଇ ଜଣ ନେତା ଦଳ ଛାଡ଼ିବା ପାଇଁ ସଜବାଜ ହେଉଛନ୍ତି।

ଓଡ଼ିଶାରେ କଂଗ୍ରେସ ନାମକ ଦଳଟି ଏବେ ଏକ ବିଚିତ୍ର ପରିସ୍ଥିତି ଦେଇ ଗତି କରୁଛି। ଅବସ୍ଥା ଏପରି ହୋଇଛି ଯେ କିଏ କ’ଣ କରୁଛନ୍ତି ତାହା ଜାଣିବା ମୁସ୍କିଲ ହୋଇପଡ଼ିଛି। ପ୍ରାର୍ଥୀ ତାଲିକା ଘୋଷଣାରେ ବାରମ୍ବାର ବିଳମ୍ବ, ଶେଷ ମୁହୂର୍ତ୍ତରେ ଉଚ୍ଚ ପଦବୀରେ ଅଦଳବଦଳ ଓ କିଛି ବିଧାୟକଙ୍କ ଦଳରେ ରହିବା ନରହିବା ଏହିଭଳି ଆଶଙ୍କା ଓ ଅନିଶ୍ଚିତତା ଭିତରେ ଚାଲିଛି ନିରଞ୍ଜନ ପଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଦଳ।

ନିରଞ୍ଜନ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଯେତେବେଳେ ଘୋଷଣା ହେଲା ଯେ ଏକ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ୨୦୧୯ ନିର୍ବାଚନ ପାଇଁ ପ୍ରଥମ ୫୦ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରି ଦିଆଯିବ,ଏଥିରେ ଶାସକ ବିଜେଡି ସମେତ ଅନ୍ୟ ଦଳ ମାନଙ୍କରେ ଭ୍ରୁକୁଞ୍ଚନ ହୋଇଥିଲା। ହେଲେ ଇତି ମଧ୍ୟରେ ଦୁଇଟି ତାରିଖ ଗଡ଼ି ଯାଇଥିଲେ ହେଁ ପ୍ରଥମ ୫୦ ପ୍ରାର୍ଥୀ କିଏ ତାହା ଫଇସଲା ହୋଇ ପାରୁନାହିଁ। ପ୍ରଥମେ ଅଗଷ୍ଟ ୩୧ ତାରିଖ ଦିନ ନିର୍ଦ୍ଧାରଣ ହୋଇଥିଲା କିନ୍ତୁ ପରେ ସେପ୍ଟମ୍ବର ୨୦ ବୋଲି କୁହାଗଲା। ଏବେ ଶୁଣାଯାଉଛି ୫ ତାରିଖରେ ତାଲିକା ପ୍ରକାଶ ପାଇବ। ଇତି ମଧ୍ୟରେ ସୋମବାର ଦିନ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏନେଇ ଆଲୋଚନା ହୋଇଥିଲା।

ଏଣେ ନିର୍ବାଚନ କମିଟି ବୈଠକ ବସିଥିଲା ବେଳେ ଖବର ଆସୁଛି ଯେ ଅନ୍ତତଃ ଦୁଇ ଜଣ ବିଧାୟକ – ନବ କୁମାର ଦାସ ଓ କୃଷ୍ଣ ସାଗରିଆ – ଦଳ ଛାଡ଼ିବା ଛାଡ଼ିବା ହେଉଛନ୍ତି। ଏହି ଲମ୍ଫ ପ୍ରଦାନ ଯେ କୌଣସି ସମୟରେ ହୋଇପାରେ ବୋଲି କୁହାଯାଉଛି। ଏହି ଦୁଇ ଜଣ ବିଧାୟକ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି କହିବାର ଆବଶ୍ୟକତା ନାହିଁ। କହିବା ଜରୁରୀ ହୋଇଛି ତାଙ୍କ ଭଳି ଆଉ କେତେ ଜଣ ଡିଆଁ ମାରିବେ ଓ କେବେ?

କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରସଙ୍ଗରେ ଯାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇଛି ତାହା ହେଉଛି ୨୦୧୪ରେ ଯେତେ ଜଣ ଟିକେଟ ପାଇଥିଲେ ସେ ସମସ୍ତଙ୍କୁ ପୁଣି ଥରେ ଟିକେଟ ମିଳିବ। ତେବେ ଏତିକିରେ ଯେ କଥାର ସମାଧାନ ହେବ ତାହା ନୁହେଁ। ବ୍ୟବସ୍ଥା ଅନୁଯାୟୀ ଏଠି ନିର୍ବାଚନ କମିଟି ନାମ ଚୂଡ଼ାନ୍ତ କରି ସାରିବା ପରେ ଏହାକୁ ଏଆଇସିସିର ସ୍କ୍ରିନିଂ କମିଟି ତଦାରଖ କରିବ ଓ ତା’ପରେ ଯାଇ ଘୋଷଣା ପ୍ରକାଶ ପାଇବ।

କଂଗ୍ରେସର ପ୍ରାର୍ଥୀ ଚୟନ ପାଇଁ ଆଉ କେତୋଟି ନିୟମ ମଧ୍ୟ ଏଥର ସ୍ଥିର କରାଯାଇଛି। ଗୋଟିଏ ନିୟମ ହେଉଛି ଯେ କୌଣସି ପ୍ରାର୍ଥୀ ଟିକେଟ ପାଇଁ ଲବି କରିବେ ନାହିଁ। ଦ୍ୱିତୀୟ, କୌଣସି ପରିବାରର ଦୁଇ ଜଣ ସଦସ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ। ଏହି ନୀତି କିନ୍ତୁ ପ୍ରତିଷ୍ଠିତ ନେତାଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ।

ମୋଟାମୋଟି ଭାବେ କୁହାଗଲେ ପ୍ରସାଦ ହରିଚନ୍ଦନଙ୍କ ଅପସାରଣ ପରେ ଓଡ଼ିଶା କଂଗ୍ରେସରେ କିଛି ପରିବର୍ତ୍ତନ ହୋଇନାହିଁ। କାୟା ପରିବର୍ତ୍ତନ ହୋଇଛି ସତ ହେଲେ ମାୟାମୋହ ଯେମିତି ଥିଲା ସେମିତି ରହିଛି। ଦଳ ଭିତରେ ଗୋଷ୍ଠୀ କନ୍ଦଳ ପ୍ରବଳ ଚାଲିଥିବା ବେଳେ ଗତ ଥର ବିଧାନସଭା ନିର୍ବାଚନ ଫଳାଫଳ ତୁଳନାରେ ଏଥର ଦଳ ଆହୁରି ଖରାପ କରିବ ବୋଲି ଏବେଠାରୁ ଆକଳନ କରାଗଲାଣି।

Comment