ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ଶେଷ ସୁଦ୍ଧା ନୂଆ ଦଳ ଗଠନ କରିବେ ଡାକ୍ତର ଦାମୋଦର ରାଉତ।

ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଗଢ଼ିବେ ନୂଆ ରାଜନୈତିକ ଦଳ। ଏନେଇ ସେ ଆଜି ସ୍ପଷ୍ଟ କରିଛନ୍ତି। ବିଜୁ ଅନୁଗତମାନଙ୍କୁ ନେଇ ଦାମ ଦଳ ଗଢ଼ିବେ ଏବଂ ବିଜୁଙ୍କ ନାଁରେ ଦଳ ଗଠନ କରିବେ ଦାମ। ଅକ୍ଟୋବର ଶେଷ ସୁଦ୍ଧା ଦଳର ନାଁ ଘୋଷଣା କରାଯିବ।

“ବିଜେଡିରେ ଏବେ ଆଉ କେହି ବିଜୁ ଅନୁଗତ ନାହାଁନ୍ତି। ଯେଉଁମାନେ ଅଛନ୍ତି ସେମାନେ ସବୁ ନକଲି। ଅସଲି ବିଜୁ ଅନୁଗତଙ୍କୁ ନେଇ ଦଳ ଗଠନ କରାଯିବ। ବିଜୁ ଅନଗୁତଙ୍କ ସହ ଆଲୋଚନା ଚାଲିଛି। ଶୁଭ ବେଳା ଦେଖି ଦଳର ନାଁ ଘୋଷଣା କରାଯିବ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

କେଉଁ ବିଜୁ ଅନୁଗତଙ୍କ ସହ ସେ ସମ୍ପର୍କରେ ଅଛନ୍ତି ତାହା କହିବାକୁ ମନା କରି ଦେଇଛନ୍ତି ଦାମ। ସମୟ ଆସିଲେ ଦଳ ଏବଂ ଦଳର ସଦସ୍ୟଙ୍କ ନାଁ ଘୋଷଣା କରାଯିବ ବୋଲି କହିଛନ୍ତି ଡାକ୍ତର ରାଉତ।

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ନୂଆ ଆଞ୍ଚଳିକ ଦଳ ଗଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ବିଜୁ ଅନୁଗତମାନେ ଏକାଠି ହେବା ନେଇ ଆଲୋଚନା ହେଉଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନଥିଲେ ଦାମ। ନୂଆ ଦଳ ଗଢ଼ିବା ପାଇଁ ଟଙ୍କାର ଅଭାବ ବୋଲି କହି ଆସୁଥିଲେ ଦାମ। କିନ୍ତୁ ଗାନ୍ଧି ଜୟନ୍ତୀରେ ମାହାଙ୍ଗାରେ ସମାବେଶ ଏବଂ କଂଗ୍ରେସ ଭବନରେ ଏକ ବୈଠକରେ ଯୋଗ ଦେବା ପରେ ଆଜି ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ଫଳରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବିଜେଡି ଶିବିରକୁ ଗୋଟିଏ ପରେ ଗୋଟିଏ ବାଣ ମାରି ଚାଲିଥିଲେ। ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ହମ୍‌ଲା କରିଥିଲେ। କିନ୍ତୁ କୁଜଙ୍ଗରେ ବିଜେଡି ମହିଳା ସମାବେଶ କରିବା ପରେ ସମୀକରଣ ବଦଳିଥିଲା। ଦାମ ପ୍ରଥମ ଥର ପାଇଁ ମାହାଙ୍ଗାରେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ଉପରେ ବର୍ଷିଥିଲେ। ଏହାସହ ସେହିଦିନ ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସିପିଆଇ ଏବଂ ସିପିଆଇ(ଏମ୍‌) ନେତାମାନେ ଉପସ୍ଥିତ ଥିଲେ। ଏମାନଙ୍କ ଗହଣରେ ଦାମଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ହେଉଥିଲା ଯେ ୨୦୧୯ ପାଇଁ ମେଣ୍ଟ ମୂଳଦୁଆ ପଡ଼ିଲା। କଂଗ୍ରେସ ନେତୃତ୍ୱରେ ଏହି ମେଣ୍ଟ ତିଆରି ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହାର ଦିନକ ପରେ ଦାମ ନୂଆ ଦଳ ଗଠନ କରିବା ସମ୍ପର୍କରେ କହିବା ପରେ ରାଜନୀତି ପାଣିପାଗ ଉଷ୍ମ ହୋଇଯାଇଛି।

Comment