ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ପୁରୀରେ ସୃଷ୍ଟି ହୋଇଥିବା ଲଙ୍କାକାଣ୍ଡ ପରେ ଧାଡ଼ି ଦର୍ଶନରୁ ବାଦ ପଡ଼ିଛନ୍ତି ପୁରୀ ବାସିନ୍ଦା।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଶେଷରେ ମୁଣ୍ଡ ନୁଆଇଁଛନ୍ତି। ସ୍ଥାନୀୟ ଲୋକଙ୍କ ଚାପ ଓ ବୁଧବାର ଦିନ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ପରେ ଧାଡ଼ି ଦର୍ଶନରୁ ପୁରୀ ବାସିନ୍ଦାଙ୍କୁ ବାଦ ଦିଆଯାଇଛି। ପୁରୀ ପ୍ରଶାସନର ନିଷ୍ପତ୍ତି ଅନୁସାରେ ପୁରୀ ସହରର ଲୋକଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ଏବେ ଆଉ ଧାଡ଼ି ବାନ୍ଧି ଠିଆ ହେବାକୁ ପଡ଼ିବ ନାହିଁ।

ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଞ୍ଚ ଜଣିଆ ଶାନ୍ତି କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ବୁଧବାର ଦିନ ଯେଉଁ ପୋଡ଼ାଜଳା ହୋଇଥିଲା ତାହାର ମୂଳ କାରଣ ଏହା ଥିଲା।

ନିଷ୍ପତ୍ତି ଅନୁସାରେ, ସ୍ଥାନୀୟ ଲୋକମାନେ ପୋଲିସକୁ ନିଜ ନିଜ ପରିଚୟ ପତ୍ର ଦେଖାଇ ଅନ୍ୟ ତିନି ଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିପାରିବେ। ବିଶେଷ କରି ଯେଉଁମାନେ ମନ୍ଦିର ଚାରିପଟ ବସବାସ କରନ୍ତି, ସେମାନେ ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ୱାର ଦେଇ ବେଢ଼ା ଭିତରକୁ ଯାଇପାରିବେ।

ଜିଲ୍ଲାପାଳ କହିଲେ ଯେ, ସିସିଟିଭି ଦେଖିବା ପରେ ଯେଉଁମାନେ ଗଣ୍ଡଗୋଳରେ ଲିପ୍ତ ଥିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ରାଞ୍ଚଳ ଆଇଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମାମଲାର ଯାଞ୍ଚ ଚାଲିଛି ଓ ଖୁବ୍ ଶୀଘ୍ର କେସ ରୁଜୁ ହେବ।

ଉଲ୍ଲେଖଯୋଗ୍ୟ ଯେ, ଧାଡ଼ି ଦର୍ଶନକୁ ବିରୋଧ କରି ବୁଧବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଏହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ମନ୍ଦିର ଭିତରକୁ ଧସେଇ ପଶିବା ବ୍ୟତୀତ କିଛି ଦୁର୍ବୃତ୍ତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଭିତରକୁ ପଶି ଭୀଷଣ ଲୁଟତରାଜ ଚଳାଇଥିଲେ।

ଏହି ବନ୍ଦ ଡାକରା ଜଗନ୍ନାଥ ସେନା ନାମକ ଏକ ସଂଗଠନ ଦ୍ୱାରା ଦିଆଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଧାଡ଼ି ବାନ୍ଧି ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ ଓ ଅନ୍ୟ ଯେ କୌଣସି ତିନି ଦ୍ୱାର ପାଖରୁ ବାହାରକୁ ଯିବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଥିଲା କିନ୍ତୁ ପୁରୀର ଲୋକେ ଏହାକୁ ବିରୋଧ କରିଥିଲେ।

Comment