ଓଡ଼ିଶାଲାଇଭ୍ ବ୍ୟୁରୋ

କମିଲା ତୈଳ ଦର। ତୈଳ ଦରରୁ ଶୁଳ୍କକୁ ବାଦ ଦେବାଲାଗି ଅପିଲ କରିଛନ୍ତି କେନ୍ଦ୍ର ସରକାର।

ତୈଳ ଦର ଗତ କିଛିଦିନ ଧରି ହୁ ହୁ ହୋଇ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିରୁ ଆଶ୍ୱସ୍ତି ପାଇବେ ଗ୍ରାହକ। ଗୁରୁବାର ଦିନ କେନ୍ଦ୍ର ସରକାର ତେଲ ଦରକୁ ନେଇ ବଡ଼ ଘୋଷଣା କରିଛନ୍ତି।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପେଟ୍ରୋଲ ଓ ଡିଜେଲ ଦରକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏଣୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା ଶୁଳ୍କ ହ୍ରାସ ପାଇଛି।

ଏହାଛଡ଼ା ବିଭିନ୍ନ ରାଜ୍ୟ ସରକାରଙ୍କୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କା ୫୦ ପଇସା ହ୍ରାସ କରିବାକୁ ଅପିଲ କରିଛନ୍ତି ଅରୁଣ ଜେଟଲୀ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଉପରେ ୧ ଟଙ୍କା ୫୦ ପଇସା କାଟିବାକୁ ଘୋଷଣା କରିଥିବା ବେଳେ ବିଭିନ୍ନ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରେ ୧ ଟଙ୍କା ଲେଖାଏଁ ଦର ହ୍ରାସ କରିବେ।

ଯଦି କେନ୍ଦ୍ର ସରକାରଙ୍କର ଏହି ଅପିଲକୁ ରାଜ୍ୟ ସରକାର ମାନି ନିଅନ୍ତି, ତେବେ ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ଟଙ୍କା ରିହାତିରେ ପାଇପାରିବେ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦରକୁ କମ କରାଯାଉଛି। ଏହାବ୍ୟତୀତ କଂଗ୍ରେସ କହିଛି, “ରାଜନୈତିକ ଚାପ ପଡ଼ିବାରୁ କେନ୍ଦ୍ର ସରକାର ତେଲ ଦର କମାଇବାକୁ ବାଧ୍ୟ ହୋଇଛନ୍ତି।“

Comment