ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଉତ୍‌ଥାନ ପତନ ପରେ ଧୀରେ ଧୀରେ ଲୋକପ୍ରିୟତାର ଶୀର୍ଷକୁ ଉଠିବାରେ ଲାଗିଲା ଓଟିଭି। ଏହି ଧାରା ଆରମ୍ଭ ହେବା ପଛରେ କେବଳ ନିୟମିତ ନ୍ୟୁଜ୍ ବୁଲେଟିନ୍ ନଥିଲା। ଏହାକୁ ଅଧିକ ସମୃଦ୍ଧ କରିବାରେ ସହାୟକ ହୋଇଥିଲା କିଛି କାର୍ଯ୍ୟକ୍ରମ। ସେହି ସବୁ କାର୍ଯ୍ୟକ୍ରମ ସମୟ କ୍ରମେ ପାଲଟିଗଲା ଦର୍ଶକଙ୍କ ମନପସନ୍ଦର କାର୍ଯ୍ୟକ୍ରମ। ତେବେ ସୂଚନା ଓ ମନୋରଞ୍ଜନ ବ୍ୟତୀତ ଯେତେବେଳେ ଗୋଟିଏ କାର୍ଯ୍ୟକ୍ରମ ଅନେକ ଲୋକଙ୍କ ଜୀବନଧାରା ଏବଂ ଜୀବନ ଧାରଣର ମାନରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବ, ସେତେବେଳେ ସେହି କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ମନରେ ଦୁର୍ବଳତା ଏବଂ ଆଗ୍ରହ ଆସିବା ସ୍ୱାଭାବିକ କଥା।

କିନ୍ତୁ ସବୁଠୁ ବଡ଼କଥା ହେଉଛି, ଟେଲିଭିଜନ୍ ମିଡିଆ ସମ୍ପୂର୍ଣ୍ଣ ରୂପେ ଗ୍ଲାମର ଏବଂ ଚାକଚକତ୍ୟାକୁ ଆଧାର କରି ଚାଲୁଥିଲା ବେଳେ, ସେଠାରେ ମଳିମୁଣ୍ଡିଆ, ଦୀନ, ଦରିଦ୍ର, ନିଷ୍ପେଷିତ, ଅବହେଳିତ, ଅପମାନିତ ଏବଂ ଉପେକ୍ଷିତ ଲୋକମାନଙ୍କୁ ସ୍ଥାନ ଦେବା ବା ସେମାନଙ୍କ ଦୁଃଖ ଦାରିଦ୍ର୍ୟର କଥା କହିବା କିଛି କମ୍ କଥା ନୁହେଁ। ଗତ ବାର ବର୍ଷ ଧରି ଏମିତି ହିଁ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରି ଆସୁଛି ଓଟିଭି। ଯାହା ସାଧାରଣ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି ଏବଂ ସାଧାରଣ ଲୋକଙ୍କ ସ୍ୱର ପାଲଟିପାରିଛି, ସେମିତି ହିଁ ଏକ କାର୍ଯ୍ୟକ୍ରମ – ‘ଆପଣ ଏକା ନୁହନ୍ତି’। 

ଟେଲିଭିଜନରେ କ୍ରାଇମ୍ (ଅପରାଧ), କ୍ରିକେଟ୍ ଏବଂ ସିନେମା (Three “C”s – Crime, Cricket & Cinema) ସବୁଠୁ ଅଧିକ ବିକ୍ରି ହେଉଥିବାବେଳେ ବା ଏହିସବୁ କାର୍ଯ୍ୟକ୍ରମର ଏକାଧିପତ୍ୟ ଥିଲାବେଳେ ବିକାଶମୂଳକ ସାମ୍ବାଦିକତାର ନିଦର୍ଶନ ସ୍ୱରୂପ ‘ଆପଣ ଏକା ନୁହନ୍ତି’ ଏକ ବ୍ୟତିକ୍ରମ। ଏହି ଲେଖକ ନିଜର ଉପାଧ୍ୟୁତ୍ତର ଶିକ୍ଷା ବେଳେ ଓଟିଭି ଉପରେ କରିଥିବା ଗବେଷଣାରୁ ଜାଣି ପାରିଥିଲା ଯେ, ପ୍ରତିଦିନ ପରିବେଷିତ ହେଉଥିବା ନ୍ୟୁଜ୍ ବୁଲେଟିନରେ ଆବଶ୍ୟକତା ଅନୁସାରେ ବିକାଶମୂଳକ ସାମ୍ବାଦିକତାକୁ ସ୍ଥାନ ମିଳୁନଥିଲା। ଏହା କେବଳ ଓଡ଼ିଶାର ସ୍ଥିତି ନୁହେଁ, ବିଶ୍ୱର ପ୍ରାୟ ଅଧିକାଂଶ ଟେଲିଭିଜନରେ ଏହି ସମାନ ଅବସ୍ଥା। ସାଧାରଣ ଲୋକମାନଙ୍କ କଥା ବା ସେମାନଙ୍କ ବିକାଶର କଥା କହିବା ପାଇଁ ଗ୍ଲାମରସ୍ ମିଡିଆ ଟେଲିଭିଜନ ପାଖରେ ଯଥେଷ୍ଟ ସମୟ ନାହିଁ। କିନ୍ତୁ ଏମିତି ଏକ ଧାରଣାର ସମ୍ପୂର୍ଣ୍ଣ ବିପରୀତ ‘ଆପଣ ଏକା ନୁହନ୍ତି’।

ଓଟିଭିର ଜଣେ ବରିଷ୍ଠ ସଦସ୍ୟ ସ୍ୱାଧୀନ ରାଉତ ଏବଂ ମାନସ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରତିସପ୍ତାହରେ କେବଳ ଗୋଟିଏ ଏପିସୋଡ୍ ପ୍ରସ୍ତୁତ କରିବା ବି ବଡ଼ ଚାଲେଞ୍ଜର ବିଷୟ। କାରଣ ପ୍ରତିସପ୍ତାହରେ ଗୋଟିଏ ନୂଆ କାହାଣୀ, ନୂଆ ଚରିତ୍ର ଏବଂ ଉପେକ୍ଷା ଓ ଅଣଦେଖାର ନୂଆ ଘଟଣା ଖୋଜିବା କେତେ କଷ୍ଟକର ଥରେ ଭାବିଲେ ଦେଖି। ତଥାପି ଓଟିଭି ନିୟମିତ ଭାବେ ଏହି ଏପିସୋଡ୍ ପ୍ରସ୍ତୁତ କରି ଆସିଛି। ଓଟିଭିର ଏହି କାର୍ଯ୍ୟକ୍ରମ ଜରିଆରେ ଅନେକ ଲୋକଙ୍କ ସମସ୍ୟାର କଥା କହିବା ଏବଂ ପ୍ରଶାସନର ଦୃଷ୍ଟି ଏଥି ପ୍ରତି ଆକର୍ଷିତ କରିବା ହିଁ ଏକମାତ୍ର ଉଦ୍ଦେଶ୍ୟ।

କଥାରେ ଅଛି କାନ ଥିଲେ ନୋଳି ନାହିଁ, ଆଉ ନୋଳି ଥିଲେ କାନ ନାହିଁ। ଏକଥାଟା ଅନେକ ସ୍ଥାନରେ ଶହେରେ ଶହେ ପ୍ରତିଶତ ସତ। ଆମ ରାଜ୍ୟରେ ଏମିତି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନେ କି ଉଚ୍ଚଶିକ୍ଷା ପାଇବା ପାଇଁ ହକଦାର। କିନ୍ତୁ ଦାରିଦ୍ର୍ୟ ସେମାନଙ୍କ ପାଇଁ ପାଲଟିଛି ଏକ ମୁଖ୍ୟ ପ୍ରତିବନ୍ଧକ। ଏଭଳି ସ୍ଥଳେ ‘ଆପଣ ଏକା ନୁହନ୍ତି’ କାର୍ଯ୍ୟକ୍ରମ ଜରିଆରେ ଗାଁ ଗହଳିର ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଓ ବେସରକାରୀ ସହାୟତା ପାଇ ଉଚ୍ଚଶିକ୍ଷା ହାସଲ କରିବାରେ ସମର୍ଥ ହୋଇପାରିଛନ୍ତି। ସେହି ସବୁ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱର ପାଲଟିଥିଲା ଓଟିଭି। ସେହିପରି କିଏ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ, ତ ଆଉ କିଏ ଦରିଦ୍ରତା କାରଣରୁ ଡାକ୍ତର ଦୁଆର ଚକଡ଼ି ପାରେନି। ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଏମିତି ଶହ ଶହ ଲୋକଙ୍କ ଅସମୟର ବନ୍ଧୁ ପାଲଟି, ସେମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲର ବନ୍ଦୋବସ୍ତ କରିବା ଯାଏଁ ସବୁ କ୍ଷେତ୍ରରେ ସହାୟକ ହୋଇପାରିଛି ଏହି କାର୍ଯ୍ୟକ୍ରମ। 

ଏମିତି ହିଁ ପୁରୁଣା ଦିନର ଦୁଖ ଦାରିଦ୍ର୍ୟ କଥା କହିଲା ବେଳେ ଓଟିଭିର ବରିଷ୍ଠ ସଦସ୍ୟ ସ୍ୱାଧୀନ ରାଉତ କହନ୍ତି, ଯେ କିଛି ଗାଁକୁ ସଂଯୋଗ କରୁଥିବା ଏକମାତ୍ର ପୋଲ ଭୁଶୁଡ଼ି ପଡ଼ିଲା ବୋଲି ଜାଣିବା ପରେ ସେଠାରୁ ରିପୋର୍ଟିଂ କରିଥିଲା ଓଟିଭି। ଆଉ ସେହି ଖବର ପ୍ରସାରଣ ପରେ ତାହା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ଫଳରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ସେଠାରେ ପୋଲ ନିର୍ମାଣ ହୋଇପାରିଥିଲା। ଏମିତି ହିଁ ଅନେକ ଗାଁକୁ ରାସ୍ତାର ଅଭାବ ବା ଗାଁରେ ବିଦ୍ୟୁତ୍ ସଂଯୋଗର କୌଣସି ଲକ୍ଷଣ ନଥିଲା ବେଳେ ‘ଆପଣ ଏକା ନୁହନ୍ତି’ ସେହି ସବୁ ସମସ୍ୟାକୁ ଲୋକଲୋଚନକୁ ଆଣିଥିଲା।

ଯାହାଫଳରେ ଲୋକମାନଙ୍କ ପାଇଁ ରାସ୍ତା ଏବଂ ବିଦ୍ୟୁତ୍ ସଂଯୋଗ କରାଇବା ସମ୍ଭବ ହୋଇପାରିଛି। ଏମିତି ଅନେକ ଲୋକଙ୍କ କାହାଣୀ କହିଛି ଏହି କାର୍ଯ୍ୟକ୍ରମ ଯେଉଁଠି କାହାକୁ ବର୍ଷ ବର୍ଷ ଧରି ପେନସନ୍ ମିଳିନି ତ ଆଉ କାହାର ଫାଇଲ୍ ସରକାରୀ ନାଲିଫିତା ତଳେ କାହିଁ କେତେ ବର୍ଷରୁ ପଡ଼ି ରହିଛି। କେଉଁଠି ସରକାରୀ ବାବୁମାନେ କାହାର ଫାଇଲକୁ ନିଜ ଚଉକି ତଳେ ଚାପି ଦେଇଛନ୍ତି ବା ଲାଞ୍ଚ ଲୋଭରେ ସମ୍ପୃକ୍ତ ବ୍ୟକ୍ତିକୁ ବାରମ୍ବାର ଦୌଡ଼ାଇଛନ୍ତି, ସେହିଭଳି କ୍ଷେତ୍ରରେ ‘ଆପଣ ଏକା ନୁହନ୍ତି’ ସେହି ଲୋକମାନଙ୍କ ପାଇଁ ତ୍ରାଣକର୍ତ୍ତା ପ୍ରତୀୟମାନ ହୋଇଛି। ଆଉ ସେଥିଯୋଗୁଁ ସେମାନଙ୍କ ବର୍ଷ ବର୍ଷର ସମସ୍ୟାର ସମାଧାନ ହୋଇପାରିଛି।

ଲୋକଙ୍କ ପୀଡ଼ା, ସମସ୍ୟା ଏବଂ ଦୈନ୍ୟତା ସମ୍ପର୍କରେ ତଥ୍ୟ ପରିବେଷଣ କରିବା ପରେ ଯେ, ଏ ଦିଗରେ କେବଳ ସରକାରୀ କଳ ବା ପ୍ରଶାସନ ତତ୍ପର ହୋଇଛି ଏବଂ ସହାୟତା ଯୋଗାଇଛି ତା ନୁହେଁ, ଏହି ସୂଚନା ପାଇବା ପରେ ଦେଶ ବିଦେଶର ବିଭିନ୍ନ ଭାଗରେ ଥିବା ବଦାନ୍ୟ ବ୍ୟକ୍ତିମାନେ ସହାୟତାର ହାତ ବଢ଼ାଇଛନ୍ତି। ଯାହା ଫଳରେ ସମ୍ପୃକ୍ତ ପୀଡ଼ିତ ଜଣକ ତୁରନ୍ତ ଆଶ୍ୱସ୍ତ ହୋଇପାରିଛି।

୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ସାପ୍ତାହିକ କାର୍ଯ୍ୟକ୍ରମ ରୂପେ ଆଜି ବି ପ୍ରସାରିତ ହେଉଛି। ଏହାରି ଭିତରେ ପ୍ରାୟ ୬୦୦ ଏପିସୋଡ୍ ପ୍ରସାରିତ ହୋଇ ସାରିଲାଣି। ପ୍ରଥମେ ଏହି କାର୍ଯ୍ୟକ୍ରମକୁ ଭବାନୀ ଶଙ୍କର ମହାପାତ୍ର ଉପସ୍ଥାପନ କରୁଥିଲାବେଳେ ପରବର୍ତ୍ତୀ ସମୟରେ ନିଜେ ପ୍ରଯୋଜକ ସ୍ୱାଧୀନ ରାଉତ, ଅପୂର୍ବ ରଞ୍ଜନ ପଣ୍ଡା ଏବଂ ସଚ୍ଚିତ୍ରାନନ୍ଦ ପଣ୍ଡା ଏହାକୁ ଉପସ୍ଥାପନ କରିଛନ୍ତି। ଚିରାଚରିତ ଟେଲିଭିଜନ୍ ରିପୋର୍ଟିଂଠାରୁ ସାମାନ୍ୟ ଦୂରରେ ଏହି କାର୍ଯ୍ୟକ୍ରମ।

ବିକାଶମୂଳକ ସାମ୍ବାଦିକତା ଉପରେ ଗବେଷଣା କରିବାକୁ ଚାହୁଁଥିବା ଗବେଷକମାନଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ କାର୍ଯ୍ୟକ୍ରମ। କେବଳ ଏହାକୁ ନେଇ ଅନେକ କେସ୍ ଷ୍ଟଡି କରାଯାଇପାରିବ। ‘ଆପଣ ଏକା ନୁହନ୍ତି’ ନାଁରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ଢେର୍ ପୂର୍ବରୁ ଓଟିଭି ଯେତେବେଳେ ଏକ କେବୁଲ୍ ଟେଲିଭିଜନ୍ ଚାନେଲ ଥିଲା, ସେତେବେଳେ ଏହା ଚାଲୁଥିଲା ଭିନ୍ନ ଏକ ନାଁରେ – ଓଟିଭି ହେଲପ୍ ଲାଇନ୍ ଭାବରେ। କିନ୍ତୁ ଏହି ପରିବର୍ତ୍ତିତ ନାଁକୁ ମିଳିଛି ଅଧିକ ଲୋକପ୍ରିୟତା। ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ସୂଚନା ଓ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଥିଲା ବେଳେ, ଏହି କାର୍ଯ୍ୟକ୍ରମଟି ସାଧାରଣ ଲୋକଙ୍କ ସ୍ୱରରେ ପରିଣତ ହୋଇପାରିଛି।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #ApanaEkaNuhanti #OdishaTelevision #OTv #Programme

Comment