ଡକ୍ଟର ଫକୀର ମୋହନ ନାହାକ

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ସର୍ବସାଧାରଣ ଜୀବନରେ ବା ବିଭିନ୍ନ ପଦପଦବିରେ ରହି ଅନେକ ଲୋକ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥାନ୍ତି। କିଛି ଲୋକ ଏଭଳି ଭାବେ ପ୍ରଭାବିତ ହୁଅନ୍ତି ଯେ, ସେମାନଙ୍କ ସାମ୍ନାରେ ଥିବା ସେହି ଜଣାଶୁଣା ବା ପ୍ରଭାବଶାଳୀ ଲୋକଟିକୁ ସେମାନେ ନିଜର ଆଦର୍ଶ ରୂପେ ମାନିନିଅନ୍ତି। ତେବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ଲୋକଟିର ବାହାର ଦୁନିଆ ସମ୍ପର୍କରେ ଅନେକ ଲୋକ ଅନେକ କଥା ଜାଣିଥାନ୍ତି। କିନ୍ତୁ ସେମାନଙ୍କ ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଖୁବ୍ କମ୍ ଲୋକଙ୍କ ପାଖରେ ଖବର ଥାଏ। ତେଣୁ ନିଜର ଆଦର୍ଶ ବୋଲି ଯଦି ଜଣକୁ କେହି ଗ୍ରହଣ କରିଛି, ସେହି ଆଦର୍ଶ ସମ୍ପର୍କରେ ଅଧିକ ଜାଣିବାର ଉତ୍କଣ୍ଠା ସମସ୍ତଙ୍କ ମନରେ ଥାଏ। ସେହିଭଳି ଯଦି କେହି କୌଣସି ସଫଳତା ପାଇ ଶ୍ରେଷ୍ଠ ସ୍ଥାନରେ ପହଞ୍ଚୁଛି ଏବଂ ରାତାରାତି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟୁଛି, ସେମିତି ବ୍ୟକ୍ତିତ୍ୱ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ସାଧାରଣ ଲୋକଙ୍କ ମନରେ ଜିଜ୍ଞାସା ବଢ଼ିବା ସ୍ୱାଭାବିକ କଥା। ତେଣୁ ଏହିଭଳି ବ୍ୟକ୍ତିମାନେ ହେଉଛନ୍ତି ନ୍ୟୁଜ୍ ମେକର। ସେଇମାନଙ୍କୁ ନିଜ ପାଖକୁ ଆଣି ଷ୍ଟୁଡିଓରେ ବସାଇ ସେମାନଙ୍କ ସ୍ୱତନ୍ତ୍ର ସାକ୍ଷାତକାର କରିବା ନିଶ୍ଚିତ ଭାବେ ଦର୍ଶକୀୟ ଆଦୃତି ପାଇବା ଦିଗରେ ଏକ ପଦକ୍ଷେପ।

ଏହା ବ୍ୟତୀତ ଟେଲିଭିଜନରେ ସାକ୍ଷାତକାର ଅନେକ ସମୟରେ ଚାନେଲ ଚଳାଉଥିବା ସମ୍ପାଦକୀୟ ଟିମ୍ ଏବଂ କରେଣ୍ଟ ଆଫାୟର୍ସ ଟିମ୍ ପାଇଁ ଏକ ବରଦାନ ସାଜେ। କାରଣ ଅନେକ ସମୟରେ ପାଞ୍ଚମିନିଟର ଗୋଟିଏ ଷ୍ଟୋରୀ ପ୍ରସ୍ତୁତ କରିବା କାଠିକର ପାଠ ପାଲଟିଯାଏ। ଏଥିରେ ଆବଶ୍ୟକତା ମୁତାବକ ଚିତ୍ର ନ ମିଳିବା କାରଣରୁ ତାହା ଠିକ୍ ଭାବେ ସମ୍ପାଦିତ ହୋଇପାରେ ନାହିଁ। କିନ୍ତୁ ସାକ୍ଷାତକାର ମାଧ୍ୟମରେ ଏମିତି କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଯାଏ, ଯାହା ସମ୍ପୃକ୍ତ ଚାନେଲରେ ସମୟ ପରିଚାଳନା ସାଙ୍ଗକୁ ଏକ ନିଜସ୍ୱ ପରିଚୟ ସୃଷ୍ଟି କରିବାରେ ଅନେକ ମାତ୍ରାରେ ସହାୟକ ହୋଇଥାଏ।

ଏକ ଇନଫୋଟେନମେଣ୍ଟ ଚାନେଲ ଭାବେ ଈଟିଭି ଓଡ଼ିଆ ଆସିବା ପରେ, ଏହାର ମନୋରଞ୍ଜନ କାର୍ଯ୍ୟକ୍ରମ ବିଭାଗରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲା ଦୁଇଟି ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ- ନେପଥ୍ୟ ନାୟକ ଏବଂ କିଛି ସ୍ମୃତି କିଛି ଅନୁଭୂତି। ପ୍ରଣୟ ଜେଠୀ ‘ନେପଥ୍ୟ ନାୟକ’କୁ ପ୍ରସ୍ତୁତ କରୁଥିଲା ବେଳେ ‘କିଛି ସ୍ମୃତି କିଛି ଅନୁଭୁତି’ କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିଲେ ଅତସୀ ପରିଚ୍ଛା ପଟ୍ଟନାୟକ। ମୂଳତଃ ଏହି ସାକ୍ଷାତକାର ଥିଲା ସିନେମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଭାଗର ଦିଗଜମାନଙ୍କ ସହିତ।Television Katha

ତେବେ ୨୦୦୪ ମସିହା ମେ’ ମାସରେ ଦେଶରେ ସାଧାରଣ ନିର୍ବାଚନ ସାଙ୍ଗକୁ ଓଡ଼ିଶାରେ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ଶେଷ ହେଲା ପରେ ଈଟିଭି ଓଡ଼ିଆର ନ୍ୟୁଜ୍ ଟିମ୍ ସ୍ଥିର କରିଥିଲା ଏକ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ କରିବା ପାଇଁ। ଏହା ସପ୍ତାହକୁ ଥରେ ପ୍ରସାରିତ ହେଉଥିଲା, ଆଉ ଯାହାର ନାଁ ଥିଲା ‘ସିଧାକଥା’। ସେତେବେଳେ ଭୁବନେଶ୍ୱର ବ୍ୟୁରୋର ଦାୟିତ୍ୱରେ ଥିବା ଶିଶିର କୁମାର ଭଟ୍ଟମିଶ୍ର ଏହାକୁ ଆରମ୍ଭ କରିଥିଲେ। ପ୍ରଥମ ସିଧାକଥାର ଅତିଥି ଥିଲେ ବିଶିଷ୍ଟ ମନସ୍ତତ୍ତ୍ୱବିତ୍ ଡକ୍ଟର ଜେ. ପି. ଦାସ। ଟେଲିଭିଜନରେ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନାକୁ ଦର୍ଶକମାନେ ଅତି ଆନନ୍ଦର ସହ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରିଷ୍ଠ ବ୍ୟକ୍ତି ଏବଂ ସଫଳ ବ୍ୟକ୍ତିତ୍ୱ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଉପସ୍ଥାପନା କରିଥିଲେ ଦେବପ୍ରସାଦ ଦାଶ ଏବଂ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ।

ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ହୁଅନ୍ତୁ ବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଅଥବା ପ୍ରଖ୍ୟାତ ଔପନ୍ୟାସିକ ବାରିଷ୍ଟର ଗୋବିନ୍ଦ ଦାସ, ସେ ସଂଗୀତଜ୍ଞ ରଘୁନାଥ ପାଣିଗ୍ରାହୀ ହୁଅନ୍ତୁ ବା ବିଗତ ଦିନର ଲୋକପ୍ରିୟ ସିନେ ଅଭିନେତା ହେମନ୍ତ ଦାସ, ସେ ଯାତ୍ରା ଜଗତର ଶ୍ରେଷ୍ଠ ଖଳନାୟକ ଦୈତ୍ୟାରି ପଣ୍ଡା ହୁଅନ୍ତୁ ବା ସେ ସମୟରେ ଓଡ଼ିଶା ରାଜନୀତିର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ର, ସେ ତତ୍କାଳୀନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହୁଅନ୍ତୁ ବା ଅଭିନେତ୍ରୀ ଡଲି ଜେନା, ସମସ୍ତେ ଆସିଛନ୍ତି ଈଟିଭିର ଷ୍ଟୁଡିଓକୁ। ବିଭିନ୍ନ ସମୟରେ ଏବଂ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସେମାନେ ପାଲଟିଛନ୍ତି ନ୍ୟୁଜ୍ ମେକର୍। ଆଉ ସେମାନଙ୍କୁ ଶୁଣିବା ପାଇଁ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଛନ୍ତି ଦର୍ଶକ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ରାଜନୀତି, ପ୍ରଶାସନ, କଳା, ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ବା ସଫଳତାର ଶୀର୍ଷକୁ ଛୁଇଁ ଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଉଥିଲା। କେବଳ ସେତିକି ନୁହେଁ, ଯେଉଁମାନେ ଏହି ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହୁଥିଲେ, ସେମାନଙ୍କୁ ବି ଏହି ସିଧାକଥା କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯାଉଥିଲା ଏବଂ ସେମାନଙ୍କ ସାକ୍ଷାତକାର ନିଆଯାଉଥିଲା।

ସିଧାକଥା କାର୍ଯ୍ୟକ୍ରମ ବେଳେ ଷ୍ଟୁଡିଓରେ ସୁଟିଂ ସମୟରେ ଅନେକ ଲୋକ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଏଇ ଯେମିତି ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଉପନ୍ୟାସ ‘ଅମାବାସ୍ୟାର ଚନ୍ଦ୍ର’ରେ ଥିବା ବହୁ ଚର୍ଚ୍ଚିତ ‘କାଉଲ୍’ ଚରିତ୍ର ସେ ନିଜେ ବୋଲି ସ୍ୱୀକାର କରିଥିଲେ ଏହାର ରଚୟିତା ଏବଂ ଚରିତ୍ରର ସ୍ରଷ୍ଟା ବାରିଷ୍ଟର ଗୋବିନ୍ଦ ଦାସ। ସେହିଭଳି ସିଧାକଥା କାର୍ଯ୍ୟକ୍ରମରେ ହିଁ ଡାଲି ଦୁର୍ନୀତି ସମ୍ପର୍କରେ କଥା ବାହାରକୁ ଆସିଲା ଏବଂ ପରବର୍ତ୍ତୀ ସମୟରେ ନିଜର ମନ୍ତ୍ରୀ ପଦ ହରାଇଥିଲେ ତତ୍କାଳୀନ ମନ୍ତ୍ରୀ ପ୍ରମୀଳା ମଲ୍ଲିକ। ପ୍ରାୟ ୧୮ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପସ୍ଥାପକମାନେ ଉପସ୍ଥାପନା କରିଛନ୍ତି।

ଈଟିଭିକୁ ଭାୟାକମ୍ ଏଇଟିନ୍ ଗ୍ରୁପ୍ ଅକ୍ତିଆର କରିନେଲା ପରେ ଈଟିଭି ଓଡ଼ିଆ ଚାନେଲ କଲର୍ସ ଓଡ଼ିଆରେ ପରିଣତ ହୋଇଥିଲା ଏବଂ ପରେ ନ୍ୟୁଜ୍ ଏଇଟିନ୍ ପୃଷ୍ଠପୋଷକତାରେ ଏହା ଈଟିଭି ନ୍ୟୁଜ୍ ଓଡ଼ିଆ ଭାବେ ଏକ ନୂଆ ଚାନେଲ ରୂପରେ ଆତ୍ମପ୍ରକାଶ କରିଥିଲା। ୨୦୧୫ ମେ’ ୪ ତାରିଖରେ ଏହି ଚାନେଲ ପ୍ରସାରଣ ଆରମ୍ଭ କରିବା ପରେ ଏଥିରେ ସେହି ସିଧାକଥାକୁ ଉପସ୍ଥାପନ କରିଥିଲେ ତତ୍କାଳୀନ ସମ୍ପାଦକ ନୀଳାମ୍ବର ରଥ। ପରେ ପରେ ସତ୍ୟପ୍ରକାଶ ନାୟକ, ଭକ୍ତ ତ୍ରିପାଠୀ ଏବଂ ଶରତ ପାଇକରାୟ ବି ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଛନ୍ତି। ତେବେ ଈଟିଭି ନ୍ୟୁଜ୍ ଓଡ଼ିଆ ପୁଣି ଥରେ ନ୍ୟୁଜ୍-୧୮ ଓଡ଼ିଆରେ ପରିବର୍ତ୍ତିତ ହୋଇଛି। ତଥାପି ସେହି ସିଧାକଥା କାର୍ଯ୍ୟକ୍ରମ ଏଥିରେ ବି ଜାରି ରହିଛି। ଯୁବ ସାମ୍ବାଦିକ ଥବିର ସାମଲ ଏହାକୁ ଉପସ୍ଥାପନ କରୁଛନ୍ତି।

ଅନୁରୂପ ଭାବରେ ୨୦୦୬ ଡିସେମ୍ବରରେ ଏକ ସାଟେଲାଇଟ୍ ଚାନେଲ ଭାବେ ଓଟିଭି ଆତ୍ମପ୍ରକାଶ କରିବା ପରେ ୨୦୦୭ରେ ଓଟିଭି ଆରମ୍ଭ କରିଥିଲା ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ‘ଖୋଲାକଥା’। ତତ୍କାଳୀନ ସମ୍ପାଦକ ଦୟାନିଧି ଦାଶ ଏହାକୁ ପ୍ରଥମେ ଉପସ୍ଥାପନ କରୁଥିଲେ। ପ୍ରଥମ ଅଧ୍ୟାୟରେ ବିଶିଷ୍ଟ ଓଡ଼ିଆ ସିନେ ତାରକା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ରାଜନେତା ପ୍ରଶାନ୍ତ ନନ୍ଦ ଥିଲେ ଅତିଥି। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ମିଶ୍ର, ସତ୍ୟଜିତ୍ ମିଶ୍ର, ଭବାନୀ ଶଙ୍କର ମହାପାତ୍ର ଉପସ୍ଥାପନ କରିଛନ୍ତି। କିନ୍ତୁ ଗତ ପ୍ରାୟ ପାଞ୍ଚ ବର୍ଷ ହେଲାଣି ଏହାର ଉପସ୍ଥାପକ ଅଛନ୍ତି ମନୋରଞ୍ଜନ ଯୋଷୀ। ରାଜନେତା, ଲେଖକ, କବି, ସଂଗୀତଜ୍ଞ, କଣ୍ଠଶିଳ୍ପୀ, ଶିକ୍ଷାବିତ୍, ପ୍ରଶାସକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଚାଷୀ ନେତା, ଫୁଟବଲ ଖେଳାଳି, ହକି ତାରକା, ସମାଜସେବୀ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷ ଛୁଇଁଥିବା ମହିଳା ଏବଂ ପୁରୁଷଙ୍କୁ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି ଏବଂ ସେମାନଙ୍କ ସାକ୍ଷାତକାର କରାଯାଇଛି।

ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ଦିବଙ୍ଗତ ପ୍ରଦୀପ ମହାରଥୀ, ପଶ୍ଚିମ ଓଡ଼ିଶାର ଲୋକ କବି ହଳଧର ନାଗ ଏବଂ କଳାହାଣ୍ଡିର ଡୋଲେ ରକରଙ୍କ ଯାଏଁ ସମସ୍ତେ ଆସିଛନ୍ତି ଏହି କାର୍ଯ୍ୟକ୍ରମକୁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଟିଭିର ଏହି କାର୍ଯ୍ୟକ୍ରମରେ ଉପସ୍ଥାପନା ଶୈଳୀରେ ସେମିତି କୌଣସି ଧରାବନ୍ଧା ନିୟମ ନାହିଁ ଯେ, ଏହା କେବଳ ଷ୍ଟୁଡିଓ ଭିତରେ ହିଁ ସୁଟିଂ କରାଯିବ ଏବଂ କାର୍ଯ୍ୟକ୍ରମକୁ ଉପସ୍ଥାପନ କରାଯିବ। ସେଥିପାଇଁ ଅନେକ ସମୟରେ କାର୍ଯ୍ୟକ୍ରମର ଉପସ୍ଥାପକମାନେ ଷ୍ଟୁଡିଓରୁ ବାହାରକୁ ଯାଇ, ବେଳେ ବେଳେ ଅତିଥିଙ୍କ ନିଜ ସ୍ଥାନକୁ ଯାଇ ସେମାନଙ୍କ ସାକ୍ଷାତକାର କରିଛନ୍ତି। କେବେ ୱାକ୍ ଦ ଟକ୍ ଶୈଳୀରେ ତ ପୁଣି କେବେ ଅନୌପଚାରିକ ଶୈଳୀରେ ସାକ୍ଷାତକାର କରାଯାଇଛି।

ଏହି ‘ଖୋଲାକଥା’ କାର୍ଯ୍ୟକ୍ରମ ଦିନେ ହଠାତ୍ ଜାତୀୟ ଗଣମାଧ୍ୟମର ଚର୍ଚ୍ଚାକୁ ଆସିଯାଇଥିଲା ଏବଂ ଓଡ଼ିଆ ଦର୍ଶକଙ୍କ ବ୍ୟତିରେକ, ଅଣଓଡ଼ିଆ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସଂବେଦନଶୀଳ ଘଟଣାକୁ ନେଇ। ୨୪ ଅଗଷ୍ଟ ୨୦୨୧ରେ ଏହି କାର୍ଯ୍ୟକ୍ରମର ସୁଟିଂ ପାଇଁ ଷ୍ଟୁଡିଓରେ ଉପସ୍ଥିତ ଥାଆନ୍ତି ଏହାର ଉପସ୍ଥାପକ ମନୋରଞ୍ଜନ ଯୋଷୀ ଏବଂ ଅତିଥି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। କ୍ୟାମେରା, ଷ୍ଟୁଡିଓ, ଟେକ୍ନିସିଆନ୍ ସମସ୍ତେ ପ୍ରସ୍ତୁତ ଥାଆନ୍ତି।

ସୁଟିଂ ଆରମ୍ଭ କରିବା ପୂର୍ବରୁ ମନୋରଞ୍ଜନ ନିଜର ମୋବାଇଲ୍ ଫୋନକୁ ଫ୍ଲାଇଟ୍ ମୋଡରେ ରଖିବା ପାଇଁ ଯାଉଥିଲା ବେଳେ ହଠାତ୍ ତାଙ୍କର ଜଣେ ବନ୍ଧୁଙ୍କ କଲ୍ ଆସିଲା। ସେପଟୁ ସେ କହିଲେ, ଯେ ମନୋରଞ୍ଜନଙ୍କ ମା’ଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ଆମ୍ବୁଲାନସରେ ଆଣିଲା ବେଳେ ବାଟରେ ହୃଦଘାତରେ ତାଙ୍କ ପରଲୋକ ଘଟିଛି। ସୁଟିଂ ଆରମ୍ଭ କରିବା ପୂର୍ବରୁ ମା’ ଚାଲିଯିବା ଖବରଟା ଶୁଣିଲା ପରେ ସତେ ଯେମିତି ତାଙ୍କ ପାଦତଳୁ ପୃଥିବୀଟା ଖସି ଯାଇଥିଲା। ସେ ନିଜର କୋହକୁ ସମ୍ଭାଳି ପାରୁନଥିଲେ। ଏତିକି ବେଳେ ନିଜେ ଅତିଥି ତାରା ପ୍ରସାଦ ବାହିନୀପତି ଏବଂ ଅନ୍ୟ ସହଯୋଗୀମାନେ ସୁଟିଂ ବନ୍ଦ କରିବା ପାଇଁ ମନୋରଞ୍ଜନଙ୍କୁ ପରାମର୍ଶ ଦେଇଥିଲେ।

ମାତ୍ର କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିବା ମନୋରଞ୍ଜନ ସଙ୍ଗେ ସଙ୍ଗେ କହିଲେ, “ନା.. ସୁଟିଂ ବନ୍ଦ ହେବ ନାହିଁ। ମୁଁ ଯଦି ଏହି କାର୍ଯ୍ୟକ୍ରମ ଶେଷ କରିପାରିବି, ତା’ହେଲେ ମୋ ମା’ ନିଶ୍ଚିତ ଖୁସି ହେବେ।” ନିଜ କାମ ପ୍ରତି ମନୋରଞ୍ଜନଙ୍କର ଏହି ସମର୍ପଣ ଭାବ ପାଇଁ ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ।

ଏହି ଖୋଲାକଥା କାର୍ଯ୍ୟକ୍ରମରେ ଶେଷ ୫ ବର୍ଷ ଭିତରେ ଏକ ନୂଆ କଥା ଦେଖିବାକୁ ମିଳିଛି। କୌଣସି କାରଣବଶତଃ ରାଜ୍ୟର କ୍ଷମତାସୀନ ବିଜେଡି ଏବଂ ରାଜ୍ୟ ସରକାର ଓଟିଭିକୁ ବର୍ଜନ କରିବା ଫଳରେ ଶାସକ ଦଳର କୌଣସି ନେତା କିମ୍ବା ସରକାରଙ୍କ କୌଣସି ମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆସୁନାହାନ୍ତି। ତେଣୁ ସରକାରଙ୍କ ଉଦ୍ଦେଶ୍ୟରେ ପଚରାଯିବାକୁ ଥିବା ବିଭିନ୍ନ ପ୍ରଶ୍ନ ଅନେକ ସମୟରେ ବିରୋଧୀ ଦଳର ନେତାମାନଙ୍କୁ ପଚରାଯାଉଛି। ମାନେ ବିରୋଧୀଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ପରୋକ୍ଷ ଭାବରେ ପ୍ରଶ୍ନ କରାଯାଉଛି।

ମୋଟାମୋଟି କହିବାକୁ ଗଲେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଏବଂ ଉପସ୍ଥାପନ କ୍ଷେତ୍ରରେ ‘ସିଧାକଥା’ ଯେଉଁ ଧାରା ସୃଷ୍ଟି କରିଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ‘ଖୋଲାକଥା’ ତାକୁ ଆହୁରି ଦୁଇ ପାଦ ଆଗକୁ ନେଇଛି। ଏହା ସହିତ ଲୋକପ୍ରିୟତା ଅର୍ଜନ କରିବାରେ ଉଭୟ କାର୍ଯ୍ୟକ୍ରମ ସଫଳ ହୋଇଛନ୍ତି।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #OTV #ETV #Television #Media #Reporting #Interview #TelevisionInterview #Kholakatha #SidhaKatha

Comment