ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ସତ ଖୋଜିବା ଏବଂ ଏହାକୁ ଲୋକ ଲୋଚନକୁ ଆଣିବା ଗଣମାଧ୍ୟମର ପ୍ରଥମ କର୍ତ୍ତବ୍ୟ। ଏହି ବ୍ୟବସ୍ଥା ଗଣମାଧ୍ୟମର ଜନ୍ମରୁ ହିଁ ତା’ର ଗୋଟିଏ ଦାୟିତ୍ୱ ବା କର୍ତ୍ତବ୍ୟ ଭାବେ ରହି ଆସିଛି। କିନ୍ତୁ ବେଳେ ବେଳେ ଅନ୍ୟମାନଙ୍କ ପଛରେ ଗୋଡ଼ାଣିଆ ହୋଇ ବା ନିଜ ଉତ୍ତେଜନାକୁ ନିୟନ୍ତ୍ରଣ କରିନପାରି କିଛି ଗୋଟାଏ ବିରାଟ କଥା କରିଦେବାର ଉତ୍କଣ୍ଠାରେ ଭୁଲ୍ କରିପକାନ୍ତି ଲୋକେ। ଏହା କେବଳ କୌଣସି ସାମାଜିକ ଜୀବନ, ରାଜନୈତିକ ଜୀବନର କଥା ନୁହେଁ। ଅନେକ ସମୟରେ ଦେଖାଯାଇଛି, ଏହା ସାମ୍ବାଦିକମାନଙ୍କୁ ବି ପ୍ରଭାବିତ କରିଛି।

୨୦୦୭ ମସିହା ମଇ ୨୫ ତାରିଖ। ସେ ସମୟର ଏକ ଜାତୀୟ ଗଣମାଧ୍ୟମ ତଥା ଲୋକପ୍ରିୟ ଟେଲିଭିଜନ୍ ଚାନେଲ ସାହାରା ସମୟ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଦାରିଦ୍ର୍ୟର ଚିତ୍ରକୁ ଉପସ୍ଥାପନ କରିବାକୁ ଯାଇ ଏମିତି ଏକ ରିପୋର୍ଟ ପ୍ରସାରଣ କଲା, ଯାହା କି ପୂରା ରାଜ୍ୟକୁ ଦୋହଲାଇ ଦେଇଥିଲା। ଖବରଟି ପ୍ରକୃତରେ ସମସ୍ତଙ୍କୁ ଚକିତ କଲା ଭଳି ଥିଲା। ଏକଦା ଅନାହାର ମୃତ୍ୟୁ ପାଇଁ ପିଲା ବିକ୍ରି କରିବା ଘଟଣାକୁ ନେଇ ପଶ୍ଚିମ ଓଡ଼ିଶାକୁ ନିନ୍ଦିତ କରାଯିବା କଥାକୁ କେହି ଭୁଲି ନଥିଲେ। ଗଣମାଧ୍ୟମର ରିପୋର୍ଟ ଆଧାରରେ ସବୁଦିନ ପାଇଁ ଏହି ଅଞ୍ଚଳ ଉପରେ ଏକ ଦାଗ ଲାଗିଯାଇଥିଲା। କିନ୍ତୁ ନୂଆପଡ଼ାର ଏହି ଖବର ଥିଲା କିଛି ଭିନ୍ନ।

ନୂଆପଡ଼ା ଜିଲ୍ଲାର ନଙ୍ଗଲଘାଟ ଗାଁରେ ରହୁଥିବା ପହରିଆ ଜନଜାତିର ଲୋକମାନେ ଭୟଙ୍କର ଅନାହାର ଜନିତ ସମସ୍ୟାରେ ପୀଡ଼ିତ। ସେମାନଙ୍କ ପାଖରେ କୌଣସି ସର୍ବନିମ୍ନ ସୁବିଧା ପହଞ୍ଚି ପାରୁନାହିଁ। ସମସ୍ତ ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ ହେବା ପରେ ଦୀର୍ଘ ଦିନ ଧରି ଖାଇବା ପିଇବା କିଛି ନମିଳିବା କାରଣରୁ ଲୋକମାନେ ଖଳି ପଥର ବା ରେଙ୍ଗଟା ପଥର ବା ଚୂନ ପଥର ଖାଇ ଜୀବନ ନିର୍ବାହ କରୁଛନ୍ତି। ଦୀର୍ଘ ଦଶ ବର୍ଷ ଧରି ଲୋକମାନେ ଚୁନପଥର ଖାଇ ବଞ୍ଚୁଛନ୍ତି ବୋଲି ଏହି ରିପୋର୍ଟରେ ଉପସ୍ଥାପନ କରାଯାଇଥିଲା।

ଏହି କଥା ଜଣାପଡ଼ିଲା ପରେ ଈଟିଭିର ନୂଆପଡ଼ା ରିପୋର୍ଟର ବିଜୟ ସହିସ୍ ସେହି ଘଟଣାସ୍ଥଳକୁ ଯାଇ ଲୋକମାନଙ୍କ ସହିତ ଆଲୋଚନା କଲେ। ପଚାରିବାରୁ ଜଣା ପଡ଼ିଲା, ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ସହିତ ଅନ୍ୟ ଜଣେ ବାହାରୁ ଆସି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେମାନେ ଏହି ଜନଜାତି ବର୍ଗର ନୀରିହ, ଗରିବ ଲୋକମାନଙ୍କୁ ସରକାରୀ ସହାୟତା ଦେବାର ପ୍ରଲୋଭନ ଦେଖାଇ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚୂନ ପଥରକୁ ଖାଇବା ପାଇଁ ପ୍ରବର୍ତ୍ତାଇଛନ୍ତି। ତା’ ପରେ ସେମାନେ ସେହି ପଥର ଖଣ୍ଡ ପାଟିରେ ପୂରାଇ ଚୋବାଇବାର ଚିତ୍ର ଉତ୍ତୋଳନ କରିଛନ୍ତି। ଦାରିଦ୍ର୍ୟକୁ ଅତି ସୁନ୍ଦର ଭାବେ ଯେତେବେଳେ ଅତିରଞ୍ଜନ କରି ଉପସ୍ଥାପନ କରାଯାଏ, ତାହା ଆପେ ଆପେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରେ।

ଏହା ସହ ସମ୍ପୃକ୍ତ ଅଞ୍ଚଳର ପ୍ରଶାସନ ଓ ରାଜ୍ୟ ଚଳାଉଥିବା ସରକାରଙ୍କୁ ବି ସମାଲୋଚନାର କାଠଗଡ଼ାରେ ଠିଆ କରାଇବାକୁ ବାଧ୍ୟ କରାଏ। ଏହି ରିପୋର୍ଟରେ ତାହା ହିଁ ହୋଇଛି। ବର୍ଷ ବର୍ଷ ଧରି ସରକାରୀ ଉଦାସୀନତାର ଶିକାର ହୋଇଥିବା ପହରିଆ ଜନଜାତିର ଲୋକମାନେ ଯେତେବେଳେ ଏହି ଗଣମାଧ୍ୟମ ରିପୋର୍ଟ ସମ୍ପର୍କରେ ଜାଣିଲେ, ସେତେବେଳେ ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ନୂଆପଡ଼ାର ତତ୍କାଳୀନ ଜିଲ୍ଲାପାଳ ମୃଣାଳିନୀ ଦର୍ଶୱାଲ ଏହି ଘଟଣାରେ ଏତେ ମାତ୍ରାରେ ବିରକ୍ତି ପ୍ରକାଶ କରିଥିଲେ ଯେ, ସାମ୍ବାଦିକଙ୍କୁ ଚାଲେଞ୍ଜ କରିଥିଲେ। ଡାକ୍ତରୀ ଛାତ୍ରୀ ଭାବେ, ସେ କହିଲେ, ଯଦି କେହି ମାତ୍ର ଗୋଟିଏ ଦିନର ଗୋଟିଏ ଥର ପାଇଁ ପଥର ଖାଇ ବଞ୍ଚି ପାରିବ, ତା’ହେଲେ ସେ ନିଜ ପଦବୀ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି।

ସାଧାରଣ ଲୋକ ଏବଂ ଜିଲ୍ଲାପାଳଙ୍କ ଏହି ପ୍ରତିକ୍ରିୟା ସହିତ ଈଟିଭି ଓଡ଼ିଆ, ପ୍ରକୃତରେ ସେଠାରେ ବାସ୍ତବ ଚିତ୍ର କ’ଣ, ତାକୁ ନେଇ ଏକ ସ୍ୱତନ୍ତ୍ର ଷ୍ଟୋରି ପ୍ରସ୍ତୁତ କରିଥିଲା। ୨୦୦୭ ମଇ ୨୮ ତାରିଖରେ ଈଟିଭି ଓଡ଼ିଆ ନିଜର ପ୍ରସ୍ତୁତ ଷ୍ଟୋରି ପ୍ରସାରଣ କଲା। ଏହା ଦର୍ଶାଇଲା ଯେ, ରାଷ୍ଟ୍ରୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଭୁଲ୍। ଏହା କପୋଳକଳ୍ପିତ ଏବଂ ସତ୍ୟ ଆଧାରିତ ନୁହେଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଖବର ପ୍ରସାରଣର ଦୁଇ ଦିନ ପରେ ଅର୍ଥାତ୍ ୨୦୦୭ ମଇ ୩୧ ତାରିଖ ସନ୍ଧ୍ୟାରେ ପ୍ରସାରିତ ପ୍ରତିଦିନ ବୁଲେଟିନରେ ଓଟିଭି ସେହି ରାଷ୍ଟ୍ରୀୟ ଗଣମାଧ୍ୟମର ରିପୋର୍ଟ ଆଧାରରେ ହିଁ ନିଜ ରିପୋର୍ଟ ପ୍ରସ୍ତୁତ କରି ପ୍ରସାରଣ କରିଥିଲା। ଅର୍ଥାତ୍, ଈଟିଭି ଓଡ଼ିଆର ଗ୍ରାଉଣ୍ଡ ରିପୋର୍ଟ ଉପରେ ଆଦୌ ଚିନ୍ତା ନକରି ସେହି ଦାରିଦ୍ର୍ୟର ଚିତ୍ରକୁ ଉପସ୍ଥାପନ କରିଥିଲା।

ନଙ୍ଗଲଘାଟ ଗାଁରେ ଗୃହ କମିଟି

ସେହି ସମୟରେ ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥାଏ। ଏହି ଖବର ଗଣମାଧ୍ୟମକୁ ଆସିଲା ପରେ ବିରୋଧୀ ଦଳ ନେତା ଜାନକୀବଲ୍ଲଭ ପଟ୍ଟନାୟକ ଏହାକୁ ଗୃହରେ ଉଠାଇଥିଲେ। ବିରୋଧୀ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଜୁନ୍ ପହିଲାରେ ଦାବି କରିଥିଲେ। ତେବେ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ନ ଶୁଣିବାରୁ ଶେଷରେ ବାଧ୍ୟ ହୋଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ। ତେଣୁ ଗୃହକୁ ବାରମ୍ବାର ତିନି ଥର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ତଥାପି କୌଣସି ଫଳ ମିଳିନଥିଲା। ବିଜେଡି-ବିଜେପିର ମିଳିତ ସରକାରରେ ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ବିଧାନସଭାରେ ଏହି ପ୍ରସଙ୍ଗରେ ନିଜର ମତ (ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ରିପୋର୍ଟ ଆଧାରରେ ପ୍ରସ୍ତୁତ) ଉପସ୍ଥାପନ କରିଥିଲେ। କିନ୍ତୁ କେହି ବି ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ।

ଏହି ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇବାକୁ ଚାହୁଁଥିବା ବିରୋଧୀମାନଙ୍କ ହୋ ହଲ୍ଲା ଦେଖି, ବାଚସ୍ପତି ମହେଶ୍ୱର ମହାନ୍ତି ଏକ ସ୍ୱତନ୍ତ୍ର ଗୃହକମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ବିରୋଧୀ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ବିଧାୟକମାନେ ସଦସ୍ୟ ଥିଲେ। ନୂଆପଡ଼ା ଜିଲ୍ଲାର ନଙ୍ଗଲଘାଟ ଗାଁକୁ ଯାଇ ଲୋକମାନଙ୍କ ସହିତ ଆଲୋଚନା କରିବା ସହ ସବୁ କଥା ପଚାରି ବୁଝିଥିଲା ବିଧାନସଭା ଗୃହ କମିଟି। ଅନ୍ୟପକ୍ଷରେ ଭୁଲ୍ ରିପୋର୍ଟିଂ ଦ୍ୱାରା ଜିଲ୍ଲା ତଥା ରାଜ୍ୟର ମାନହାନୀ କରିବା ଏବଂ ପ୍ରତିଷ୍ଠା ନଷ୍ଟ କରିବା ଅଭିଯୋଗରେ ଦୁଇ ଜଣ ସାମ୍ବାଦିକଙ୍କୁ ରାଜଦ୍ରୋହ ଆଇନ ବଳରେ ଗିରଫ କରିଥିଲା ଜିଲ୍ଲା ପ୍ରଶାସନ।

ଏଭଳି ସରକାରୀ କାର୍ଯ୍ୟାନୁଷ୍ଠାନ ଘୋଷଣା ହେବା ପରେ ଓଟିଭିର ତତ୍କାଳୀନ ସାଧାରଣ ପରିଚାଳକ ପରଦା ଉପରକୁ ଆସି ଘୋଷଣା କରିଥିଲେ ଯେ, ସ୍ୱଚ୍ଛ ଓ ନିରପେକ୍ଷ ଖବର ଉପସ୍ଥାପନ କରିବାକୁ ଚାହୁଁଥିବା ଓଟିଭି ଏଭଳି ରିପୋର୍ଟକୁ ସମର୍ଥନ କରେ ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ ରିପୋର୍ଟରଙ୍କୁ ଓଟିଭିରୁ ବିଦା କରାଯାଇଛି ବୋଲି ଘୋଷଣା କରିଥିଲେ। ଏତିକି ବେଳେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ କହିଥିଲେ ଯେ, କିଛି ଗଣମାଧ୍ୟମ କପୋଳକଳ୍ପିତ ତଥା ମନଗଢ଼ା ମିଛ ଖବର ପ୍ରସ୍ତୁତ କରି ପହରିଆ ଜନଜାତିଙ୍କ ଅସ୍ମିତା ଓ ଆତ୍ମସମ୍ନାନ ହାନୀ କରିଛନ୍ତି। ଲୋକମାନଙ୍କୁ ବାଟବଣା କରିଛନ୍ତି।

ସାଟେଲାଇଟ୍ ଚାନେଲ ହେବାର ମାତ୍ର ଛଅ ମାସ ଭିତରେ ଏଭଳି ଏକ ଖବରକୁ ନେଇ ଚର୍ଚ୍ଚିତ ହୋଇଥିବା ଓଟିଭି, ପରବର୍ତ୍ତୀ ସମୟରେ ଅନେକ ସତର୍କତାର ସହିତ କାର୍ଯ୍ୟ କରିଛି। ୨୦୦୭ ମସିହାର ଏହି ଘଟଣା ପରେ ଆଉ କୌଣସି ସମୟରେ ଏଭଳି ଖବର ପ୍ରସାରଣ କରିଥିବା ନଜିର ନାହିଁ। ବରଂ ପ୍ରତି ପାଦରେ ଖବରର ସତ୍ୟାସତ୍ୟ ଯାଞ୍ଚ କରି, ତାକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇଛି ଓଟିଭି। ଭୁଲ୍ ତ କେହି ବି କରିପାରନ୍ତି। କିନ୍ତୁ ଭୁଲ୍ ବୋଲି ଜାଣିବା ପରେ, ତାକୁ ଯେତେବେଳେ ସଂଶୋଧନ କରାଯାଏ ଏବଂ ତା’ ପରବର୍ତ୍ତୀ ସମୟରେ ଆଉ କେବେ ସେମିତି ଭୁଲ୍ କରାଯାଏ ନାହିଁ, ତା’ଠୁ ବଳି ବଡ଼ ସଫଳତା ଆଉ କିଛି ନାହିଁ। ଯେଉଁ ସଫଳତା ଆଜି ଓଟିଭିକୁ ମିଳିପାରିଛି।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #MistakesinSeekingTruth #Television #Media #Reporting #ETV #OTV

Comment