ଡକ୍ଟର ଫକୀର ମୋହନ ନାହାକ

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଓଡ଼ିଶାବାସୀଙ୍କ ପାଇଁ ଈଟିଭି ଓଡ଼ିଆ ପ୍ରଥମ ଘରୋଇ ସାଟେଲାଇଟ୍ ଚାନେଲ ହୋଇପାରେ। ଓଟିଭି, ରାଜ୍ୟରୁ ପ୍ରସାରିତ ପ୍ରଥମ ଘରୋଇ ସାଟେଲାଇଟ୍ ଚାନେଲ ଏବଂ ଓଡ଼ିଆ ଭାଷାରେ ପ୍ରସାରିତ ଦ୍ୱିତୀୟ ଘରୋଇ ସାଟେଲାଇଟ୍ ଚାନେଲ ହୋଇପାରେ। କିନ୍ତୁ ଉଭୟ ଚାନେଲ ୨୪ ଘଣ୍ଟିଆ ନ୍ୟୁଜ୍ ଚାନେଲ୍ ଭାବେ ପ୍ରସାରଣ ସେବା ଆରମ୍ଭ କରିନଥିଲେ। ଉଭୟ ଚାନେଲ ଥିଲେ ସୂଚନା ଓ ମନୋରଞ୍ଜନ ଧର୍ମୀ ବା ଇନଫୋଟେନମେଣ୍ଟ ଶ୍ରେଣୀର। ତେଣୁ ଏଠାରେ ୨୪ ଘଣ୍ଟା ନ୍ୟୁଜ୍ ଏବଂ କରେଣ୍ଟ ଆଫେୟାର୍ସ କାର୍ଯ୍ୟକ୍ରମ ପାଇଁ ଏତେ ସୁବିଧା ନଥିଲା। ଓଟିଭି ଦ୍ୱିତୀୟ ଘରୋଇ ସାଟେଲାଇଟ୍ ଚାନେଲ ରୂପେ ପ୍ରସାରିତ ହେବାର ପ୍ରାୟ ଅଢ଼େଇ ବର୍ଷ ପରେ ରାଜ୍ୟର ପ୍ରଥମ ୨୪ ଘଣ୍ଟିଆ ନ୍ୟୁଜ୍ ଚାନେଲ ଜନ୍ମ ନେଇଥିଲା।

୨୮ ଫେବ୍ରୁଆରି ୨୦୦୯ରେ ଆତ୍ମପ୍ରକାଶ କରିଥିଲା ରାଜ୍ୟର ପ୍ରଥମ ଘରୋଇ ସାଟେଲାଇଟ୍ ୨୪x୭ ନ୍ୟୁଜ୍ ଚାନେଲ- ନକ୍ଷତ୍ର ନ୍ୟୁଜ୍ । ଭୁବନେଶ୍ୱରର ନୂଆପଲ୍ଲୀ ଆଇଆରସି ଭିଲେଜରେ ଥିବା ନକ୍ଷତ୍ର ନ୍ୟୁଜ୍ ଚାନେଲର ମୁଖ୍ୟାଳୟରୁ ଆରମ୍ଭ ହୋଇଥିଲା ଏହି ପ୍ରସାରଣ ସେବା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସାଂସଦ ପ୍ୟାରୀମୋହନ ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାନେଲକୁ ଉଦଘାଟନ କରିବା ସହ ସର୍ବସାଧାରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।Television Kathaବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ଶିକ୍ଷାବିତ୍ ଇଞ୍ଜିନିୟର ପ୍ରଭାତ ରଞ୍ଜନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ଏନ୍.କେ. ମିଡିଆ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଦ୍ୱାରା ଆରମ୍ଭ କରାଯାଇଥିଲା ଏହି ନକ୍ଷତ୍ର ନ୍ୟୁଜ୍। ଏହାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ର। ଚାନେଲ ପ୍ରସାରଣ ଆରମ୍ଭ କରିବା ପୂର୍ବରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଲେ ରତିକାନ୍ତ ଶତପଥୀ। କିନ୍ତୁ ଏହା ପ୍ରସାରଣ ଆରମ୍ଭ କରିଲା ବେଳକୁ ଏହି ଦାୟିତ୍ୱ ନେଇସାରିଥିଲେ ପ୍ରତାପ ଆଦିତ୍ୟ ମିଶ୍ର। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ନାଁ ନଗେନ୍ ବାରିକ ଆରମ୍ଭରୁ ହିଁ ନକ୍ଷତ୍ର ନ୍ୟୁଜର ପରାମର୍ଶଦାତା ରୂପେ ଦାୟିତ୍ୱ ନିର୍ବାହ କରୁଥିଲେ। ଚାନେଲ ଆରମ୍ଭ ହେଲା ବେଳକୁ ମୋଟ କର୍ମଚାରୀ ଥିଲେ ୮୪ ଜଣ। ଯେମିତି ଓଟିଭି ଆରମ୍ଭ କରିବା ପାଇଁ ତାଲିମପ୍ରାପ୍ତ ସାମ୍ବାଦିକ ଓ ସମ୍ପାଦକୀୟ ଟିମ୍ ଆବଶ୍ୟକ ଥିଲା ଏବଂ ଏହାକୁ ପୂରଣ କରିଥିଲା ଈଟିଭି, ଅନୁରୂପ ଭାବରେ, ନକ୍ଷତ୍ର ନ୍ୟୁଜ ଆରମ୍ଭ ବେଳେ ଏହାର ସମ୍ପାଦକୀୟ ଟିମ୍ ଏବଂ ରିପୋର୍ଟିଂ ଟିମ୍ ପାଇଁ ଯୋଗ ଦେଇଥିଲେ ବହୁ ସଂଖ୍ୟାରେ ଈଟିଭି କର୍ମଚାରୀ।

ଫେବ୍ରୁଆରିରେ ପ୍ରସାରଣ ସେବା ଆରମ୍ଭ କରିବାର ଢେର ପୂର୍ବରୁ ନିଜେ ସମ୍ପାଦକ ଅଶୋକ ମହାପାତ୍ର ହାଇଦ୍ରାବାଦ ଯାଇ, ସେଠାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ। କାରଣ, ଈଟିଭି ଓଡ଼ିଆର ପ୍ରସାରଣ ହାଇଦ୍ରାବାଦରେ ଥିବା ରାମୋଜୀ ଫିଲ୍ମ ସିଟିରୁ ଚାଲୁଥିଲା। ତେଣୁ ସେଠାରେ କାମ କରୁଥିଲା ପୂରା ସମ୍ପାଦକୀୟ ଟିମ୍। ସେଠାରୁ ଛୁଟିନେଇ ଓଡ଼ିଶା ଆସି, ନିଯୁକ୍ତି ପାଇଁ ସାକ୍ଷାତକାର ଦେବା ସମସ୍ତଙ୍କ ପାଇଁ ସମ୍ଭବ ନଥିଲା। ତେଣୁ, ହାଇଦ୍ରାବାଦରେ ହିଁ ନିଯୁକ୍ତି ସୁଯୋଗ ପ୍ରଦାନ କରିଥିଲେ ସମ୍ପାଦକ। ସେହିଭଳି ଭୁବନେଶ୍ୱର ବ୍ୟୁରୋରୁ ବି କିଛି ସମ୍ପାଦକୀୟ ଓ ରିପୋର୍ଟିଂ ଟିମ୍ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏଥିରେ ଈଟିଭିରୁ ଆସି ଯୋଗ ଦେଇଥିଲେ ଭୂଦୀପ ମହାନ୍ତି, ଜୟଦେବ ବେହେରା, ଅଶୋକ ସାହୁ, ବିଶ୍ୱଜିତ୍ ସାହୁ, ପ୍ରେମାନନ୍ଦ ଦାସ, ସବ୍ୟସାଚୀ ଅମିତାଭ, ନରସିଂହ ରାଓ ଏବଂ ଋତୁ ଟହଲ। ଏହା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶରତ ମିଶ୍ର ଭରଦ୍ୱାଜ ଇନପୁଟ୍ ଏଡିଟର ଭାବେ କାମ କରୁଥିଲା ବେଳେ ଭୂଦୀପ ମହାନ୍ତି ତାଙ୍କୁ ସହାୟତା କରୁଥିଲେ। ସେହିଭଳି ପ୍ରେମାନନ୍ଦ ଦାସ ଆଉଟପୁଟ୍ ଏଡିଟର ଭାବେ ଦାୟିତ୍ୱ ନିର୍ବାହ କରୁଥିଲା ବେଳେ ସବ୍ୟସାଚୀ ଅମିତାଭ ତାଙ୍କୁ ସହଯୋଗ କରୁଥାନ୍ତି। ସମ୍ପାଦକୀୟ ଟିମରେ ଯୋଗ ଦେଇଥିଲେ ଆଉ ଜଣେ ଦକ୍ଷ ତଥା ଯୁବ ସାମ୍ବାଦିକ ନିହାର ରଞ୍ଜନ ପଢ଼ିହାରୀ।ଏ ତ ଥିଲା ମାନବସମ୍ବଳ କଥା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ବୈଷୟିକ ବ୍ୟବସ୍ଥା ଦୃଷ୍ଟିରୁ ନକ୍ଷତ୍ର ନ୍ୟୁଜ୍ ସେ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା। ସେ ସମୟରେ ସ୍ୱୟଂଚାଳିତ ନ୍ୟୁଜରୁମ୍ ବା ନ୍ୟୁଜ୍ ରୁମ୍ ଅଟୋମେସନ୍ ସାଙ୍ଗକୁ ରାଜ୍ୟରୁ ପ୍ରସାରିତ ପ୍ରଥମ ଚାନେଲ ଭାବେ ଅନ୍ ଲାଇନ୍ ଗ୍ରାଫିକ୍ସ ବ୍ୟବସ୍ଥା କରିଥିଲା ନକ୍ଷତ୍ର ନ୍ୟୁଜ୍। ନ୍ୟୁଜ୍ ରୁମ୍ ପାଇଁ ଫର୍କ୍ ଅଟୋମେସନ୍ (FORK AUTOMATION)ସହ ଅନଲାଇନ୍ ଗ୍ରାଫିକ୍ସ ପାଇଁ ୱାସ୍ପ ଥ୍ରୀ ଡି (WASP 3D) ବ୍ୟବହାର କରିଥିଲା ଏହି ଚାନେଲ୍। ଏହା ସହ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ଏପିଟିଏନ୍ (APTN- Associated Press Television News)କୁ ନ୍ୟୁଜ୍ ରୁମ୍ ସହିତ ଇଣ୍ଟିଗ୍ରେଟ୍ କରାଯାଇଥିଲା। ଯାହାଫଳରେ ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣାର ସୂଚନା ଓ ଚିତ୍ର ଏକା ସାଙ୍ଗରେ ନ୍ୟୁଜ୍ ରୁମରେ ଉପଲବ୍ଧ ହୋଇପାରୁଥିଲା। ଓଡ଼ିଆ ଚାନେଲ ଭାବେ ସେତେବେଳେ ଏହି ନ୍ୟୁଜ୍ ଏଜେନ୍ସି କେବଳ ଈଟିଭି ଓଡ଼ିଆ ପାଖରେ ଉପଲବ୍ଧ ଥିଲା। ଏତେ ସବୁ ବୈଷୟିକ ବ୍ୟବସ୍ଥା ଫଳରେ ସେ ସମୟରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ଚାନେଲଗୁଡ଼ିକ ଭଳି ଦେଖାଯାଉଥିଲା ନକ୍ଷତ୍ର ନ୍ୟୁଜ୍। ଟେଲିଭିଜନ୍ ପରଦା ଅତ୍ୟନ୍ତ ଗତିଶୀଳ ଏବଂ ଜୀବନ୍ତ ଲାଗୁଥିଲା। କେବଳ ସେତିକି ନୁହେଁ, ଜଣେ ଅତ୍ୟନ୍ତ ସୃଜନଶୀଳ ବ୍ୟକ୍ତିତ୍ୱ ଭାବେ ଜଣାଶୁଣା ଏହାର ପ୍ରଥମ ସମ୍ପାଦକ ଅଶୋକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାନେଲ ଏତେ ସଂଖ୍ୟାରେ ପ୍ରୋମୋ (PROMO) ପ୍ରସ୍ତୁତ କରିଥିଲା ଯେ, ତାହା ସାରା ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ସେ ସମୟରେ ଚାନେଲ କର୍ତ୍ତୃପକ୍ଷ ଦିଲ୍ଲୀରେ ଥିବା କନସଲଟାଣ୍ଟ ସାମ୍ ସାଲଭିଙ୍କୁ ପ୍ରଦାନ କରିଥିଲେ ଚାନେଲ୍ ଡିଜାଇନିଂ ଏବଂ ପ୍ରତିଷ୍ଠା ଦାୟିତ୍ୱ। ତେଣୁ ସାମ୍ ସାଲଭି ହିଁ ଏହି ଚାନେଲର ଡିଜାଇନିଂ କରିଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପରେ ଫେରିଥିଲେ।

ନ୍ୟୁଜ୍ ରୁମ୍, ପ୍ରଡକ୍ସନ୍ କଣ୍ଟ୍ରୋଲ ରୁମ୍ (PCR), ମାଷ୍ଟର କଣ୍ଟ୍ରୋଲ ରୁମ୍ (MCR) ଏ ସବୁ ଦେଖିଲେ, ଯେ କେହି କହିବ ଯେ, ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ପ୍ରକ୍ରିୟାରେ ପ୍ରତିଷ୍ଠା ହୋଇଥିଲା ନକ୍ଷତ୍ର ନ୍ୟୁଜ୍। ପାନେଲ ପ୍ରଡକ୍ସନ୍ ଦାୟିତ୍ୱ ସମ୍ଭାଳିବା ପାଇଁ ଏଥିରେ ଯୋଗ ଦେଇଥିଲେ ଈଟିଭିରୁ ନରସିଂହ ରାଓ ଏବଂ ଋତୁ ଟହଲ। ଏହାସହ ସେତେବେଳେ ଦିଲ୍ଲୀରେ କାମ କରୁଥିବା ଜ୍ଞାନରଞ୍ଜନ ପଢ଼ିହାରୀ ଏବଂ ଜ୍ଞାନରଞ୍ଜନ ଧଳ ବି ଏହି ଟିମରେ ଯୋଗ ଦେଇଥିଲେ। ସେହିଭଳି କରେଣ୍ଟ ଆଫାୟାର୍ସ ଦାୟିତ୍ୱ ତୁଲାଉଥିଲେ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଏବଂ ପୂର୍ଣ୍ଣେନ୍ଦୁ ପଟ୍ଟନାୟକ। ଦୁର୍ଗାପ୍ରସାଦ ସେତେବେଳକୁ ଈଟିଭି ଓଡ଼ିଆରେ ପ୍ରସାରିତ କିଛି ଧାରାବାହିକରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ସହଯୋଗୀ ରୂପେ କାମ କରିସାରିଥିଲେ। ଅନୁରୂପ ଭାବେ ଈଟିଭିର ପ୍ରୋଗ୍ରାମିଂ ଟିମରେ  କାମ କରୁଥିଲେ ପୂର୍ଣ୍ଣେନ୍ଦୁ ପଟ୍ଟନାୟକ।ସେ ସମୟରେ ନକ୍ଷତ୍ର ନ୍ୟୁଜ୍ କେବଳ ରାଜ୍ୟର ପ୍ରଥମ ୨୪ ଘଣ୍ଟିଆ ନ୍ୟୁଜ୍ ଚାନେଲ ନଥିଲା ବରଂ ଏକ ବହୁଭାଷୀ ନ୍ୟୁଜ୍ ଚାନେଲ ରୂପେ ବି କାର୍ଯ୍ୟ ଆରମ୍ଭ କରିଥିଲା। ରାଜ୍ୟ ବାହାରର ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ରାଜ୍ୟରେ ଥିବା ଅଣଓଡ଼ିଆ ଦର୍ଶକଙ୍କ ଆବଶ୍ୟକତାକୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଥିଲା ନକ୍ଷତ୍ର ନ୍ୟୁଜ୍। ଓଡ଼ିଆ ନ୍ୟୁଜ୍ ସାଙ୍ଗକୁ ସମ୍ବଲପୁରୀ ବୁଲେଟିନ୍, ହିନ୍ଦୀ ବୁଲେଟିନ୍ ଏବଂ ଇଂରାଜୀ ବୁଲେଟିନ୍ ବି ଆରମ୍ଭ କରିଥିଲା ଏହି ଚାନେଲ୍। ବ୍ରହ୍ମ ମହାନ୍ତି, ଶ୍ୱେତପର୍ଣ୍ଣା ମହାନ୍ତି ପ୍ରମୁଖ ଇଂରାଜୀ ନ୍ୟୁଜ୍ ଟିମରେ କାମ କରୁଥାନ୍ତି।

ମୋଟାମୋଟି କହିବାକୁ ଗଲେ, ରାଜ୍ୟର ପ୍ରଥମ ଚବିଶ ଘଣ୍ଟିଆ ନ୍ୟୁଜ୍ ଚାନେଲ ଭାବେ ନକ୍ଷତ୍ର ନ୍ୟୁଜ୍ ତେର ବର୍ଷରୁ ଅଧିକ ସମୟ ଧରି ଆଜି ବି ନିଜ ପ୍ରସାରଣ ସେବା ଅବ୍ୟାହତ ରଖିଛି। କିନ୍ତୁ ଏହାରି ଭିତରେ ଚାନେଲକୁ ଅନେକ ଘାତ ପ୍ରତିଘାତ ଭିତର ଦେଇ ଗତି କରିବାକୁ ପଡ଼ିଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସାମ୍ବାଦିକମାନେ ଏହି ଚାନେଲର ମଙ୍ଗ ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି। ଏହାର ମୁଖ୍ୟ ସମ୍ପାଦକର ଦାୟିତ୍ୱ ନିର୍ବାହ କରିଛନ୍ତି। ତେବେ ସେମାନଙ୍କୁ କଣ ସବୁ ପ୍ରତିବନ୍ଧକର ସମ୍ନା କରିବାକୁ ପଡ଼ିଛି ସେ ସମ୍ପର୍କରେ ଆଲୋଚନା କରିବା ପରବର୍ତ୍ତୀ ଅଧ୍ୟାୟରେ। ଏହାସହ ଏତିକି ଦିନ ଭିତରେ କେଉଁ ସବୁ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ନକ୍ଷତ୍ର ନ୍ୟୁଜ୍, ସେ ସମ୍ପର୍କରେ ବି ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #NaxatraNews #ETV #ETVOdia #OdiaTelevision #OdishaMedia

Comment