ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଦେଶର ସୀମାନ୍ତରେ ଏ ଦେଶର ଯବାନ ନିଜ ରକ୍ତକୁ ପାଣି ଫଟାଇ ଦିନ ରାତି ପ୍ରହରା ଦିଏ। ଶତ୍ରୁ ସୈନ୍ୟର ସୀମା ଅତିକ୍ରମଣକୁ ପ୍ରତି ପାଦରେ ପ୍ରତିହତ କରେ। ସେହି ଯବାନର ତ୍ୟାଗ ଏବଂ ସମର୍ପଣର ଫଳ ସ୍ୱରୂପ ନିଶ୍ଚିନ୍ତରେ ରାତିରେ ଶୋଇପଡ଼ନ୍ତି ଏ ଦେଶର ଅଧିବାସୀ। କିନ୍ତୁ, ଆମେ ଯେତେବେଳେ ଆମ ଦେଶରେ କୌଣସି ଗୋଟିଏ ରାଜ୍ୟର ସୀମାନ୍ତ କଥା କହୁ, ସେତେବେଳେ ଆମ ସାମ୍ନାକୁ ଆସନ୍ତି ଆମ ପଡ଼ୋଶୀ ରାଜ୍ୟ। ସେହିମାନେ ରାଜ୍ୟର ସୀମାରେ ଥାଆନ୍ତି।

ରାଜ୍ୟ ସୀମାନ୍ତରେ ଗୋଟିଏ ପଟୁ ଅନ୍ୟପଟକୁ ଯିବାରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ। ଏଇଠି କେହି କାହାର ଶତ୍ରୁ ନୁହନ୍ତି। ସେ ଭାଷା ଭିତ୍ତିରେ ହେଉ ବା ସାମାଜିକ, ସାଂସ୍କୃତିକ ଅଥବା ପ୍ରାଶାସନିକ ଦୃଷ୍ଟିକୋଣରୁ ଭାରତ ଭଳି ଏକ ବିରାଟ ଭୂଖଣ୍ଡକୁ କେତେ ଗୁଡ଼ିଏ ରାଜ୍ୟରେ ବିଭାଜନ କରାଯାଇଛି। କିନ୍ତୁ ଏହି ବିଭାଜନ ଭିତରେ ଯେତେବେଳେ ଦୁଇଟି ପଡ଼ୋଶୀ ରାଜ୍ୟର ସୀମାନ୍ତରେ ଥିବା ମଣିଷମାନଙ୍କ କଥା ବିଚାର କରାଯାଏ, ସେତେବେଳେ ମନେହୁଏ ସତେ ଯେମିତି ସେମାନେ ସମାଜର ମୁଖ୍ୟସ୍ରୋତରୁ ଅନେକ ଦୂରରେ।

କାଗଜକଲମ ଓ ମାନଚିତ୍ରରେ ଏକ ଭୂଖଣ୍ଡକୁ ଭାଗ ବାଣ୍ଟିଥିବା ଲୋକମାନେ କେବେହେଲେ ଦେଖିନାହାନ୍ତି ଯେ, ଗୋଟିଏ ଗାଁର ଦାଣ୍ଡ ମଝିରେ ଗୋଟିଏ ରାଜ୍ୟର ସୀମାରେଖା ଅତିକ୍ରମ କରିଛି। ଯାହାର ଫଳସ୍ୱରୂପ ସେହି ଗାଁର ଗୋଟିଏ ସାହି ଗୋଟିଏ ରାଜ୍ୟରେ ତ ଆଉ ଗୋଟିଏ ପଡ଼ୋଶୀ ରାଜ୍ୟରେ। ଅନୁରୂପ ଭାବରେ ଆମ ରାଜ୍ୟ ଓଡ଼ିଶାର କେବଳ ପୂର୍ବପଟେ ପ୍ରାୟ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମିକୁ ଛାଡ଼ିଦେଲେ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଏବଂ ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ ସହିତ ସୀମା ଯୋଡ଼ି ହୋଇ ରହିଛି। ଏହି ସବୁ ଅଞ୍ଚଳର ବିଭିନ୍ନ ଗାଁରେ ରହୁଥିବା ଲୋକମାନେ କେମିତି ଜୀବନ ଜୀବିକା ନିର୍ବାହ କରୁଛନ୍ତି, ସେମାନଙ୍କ ନିକଟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେତେ ଦୂର ପହଞ୍ଚି ପାରୁଛି ଏବଂ ଲୋକମାନେ ସରକାରଙ୍କ ବିଭିନ୍ନ ପଦକ୍ଷେପରେ କେତେ ସନ୍ତୁଷ୍ଟ, ସେ ସମ୍ପର୍କରେ ଜାଣିବା ପାଇଁ ଏକ ଅଭିନବ ପଦକ୍ଷେପ ନେଇଥିଲା ଓଟିଭି।

ରାଜ୍ୟର ବିଭିନ୍ନ ସୀମାନ୍ତରେ ଥିବା ଭିନ୍ନ ଭିନ୍ନ ଗାଁକୁ ଯାଇ ଏବଂ ସୀମାନ୍ତରେ ରହୁଥିବା ଲୋକମାନଙ୍କ ଜୀବନଚର୍ଯ୍ୟା, ଚାଲିଚଳଣି, ନିତିଦିନିଆ ପ୍ରତିବନ୍ଧକ, ସମସ୍ୟା ଆଦିକୁ ନେଇ ପ୍ରସ୍ତୁତ ହେଉଥିଲା ଏହି କାର୍ଯ୍ୟକ୍ରମ- ‘ସୀମାରେ ଜୀବନ’। ୨୦୧୪ ମସିହାର ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଥିଲେ ମନୋରଞ୍ଜନ ଯୋଷୀ। ଏହାର ପ୍ରଯୋଜନା ଓ ପ୍ରସ୍ତୁତି ଦାୟିତ୍ୱରେ ଥିଲେ ଓଟିଭିର କ୍ୟାମେରାମ୍ୟାନ୍ ସୁନୀଲ ପ୍ରଧାନ। ଏହାର ଆଲେଖ୍ୟ ଓ ବର୍ଣ୍ଣନା ମୁଖ୍ୟତଃ ରଙ୍ଗାଧର ପଣ୍ଡା ଏବଂ ରାଧାମାଧବ ମିଶ୍ର କରିଥିଲେ। ଅନେକ ଘାତ ପ୍ରତିଘାତ ଭିତରେ ରାଜ୍ୟର ବିଭିନ୍ନ ସୀମାନ୍ତରେ ଥିବା ଗାଁକୁ ଯାଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଏକ କାଠିକର ପାଠ ଥିଲା। ତଥାପି ସଫଳତାର ସହିତ ସେହି ସବୁ ଗାଁରୁ ଅନେକ ଅନାଲୋଚିତ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିପାରିଥିଲେ ମନୋରଞ୍ଜନ। 

ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ କହନ୍ତି ଯେ, ସେ ତାଙ୍କ ଜୀବନକାଳ ଭିତରେ କରିଥିବା ବିଭିନ୍ନ ରିପୋର୍ଟିଂ ଭିତରେ ସର୍ବଶ୍ରେଷ୍ଠ କାମ ଥିଲା ସୀମାରେ ଜୀବନ। ଏହା ତାଙ୍କ ସାମ୍ବାଦିକତା ବୃତ୍ତି ଓ ଜୀବନକୁ ସାର୍ଥକ କରିଛି ବୋଲି ସେ କହନ୍ତି। ସୀମାରେ ଜୀବନ କାର୍ଯ୍ୟକ୍ରମ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ। ଏ ହେଉଛି ସେହି ବିଚ୍ଛିନ୍ନାଞ୍ଚଳ ଯେଉଁଠି ଅପହଞ୍ଚ ସରକାରୀ କଳ। ନିକଟସ୍ଥ ସହରଠୁ ଦୂରରେ ଜଳଭଣ୍ଡାର ଭିତରେ ଏମାନଙ୍କ ସ୍ଥିତି ଦେଖିଲେ ଲାଗେ, ସତେ ଯେମିତି ଏମାନେ ନିଜେ ନିଜେ ନିଜକୁ ହିଁ ବନ୍ଦୀ କରି ଦେଇଛନ୍ତି ଏଇଠି। ଏମିତି ହିଁ ଗାଁ ଦର୍ଲାବେଡ଼ା ଏବଂ ଯୋଡ଼ାଆମ୍ବ।

ହଠାତ୍ କିଛି ଆବଶ୍ୟକ ପଡ଼ିଲେ ଏମାନଙ୍କୁ ଜଳଭଣ୍ଡାର ଅତିକ୍ରମ କରି ଚିତ୍ରକୋଣ୍ଡା ଯିବାକୁ ହୁଏ। ତେବେ ଅକାତକାତ ପାଣିଥିବା ଏତେ ବିଶାଳ ଜଳଭଣ୍ଡାରକୁ ଅତିକ୍ରମ କରିବା ପାଇଁ ଏମାନଙ୍କୁ ପ୍ରାୟ ଛଅ ଘଣ୍ଟା ସମୟ ଲାଗିଯାଏ। ସମସ୍ତ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଏଠାକାର ଅଧିବାସୀ। ଆଉ ଏହାର ଫାଇଦା ଉଠାନ୍ତି ଲାଲ୍ ବାହିନୀ। ଅର୍ଥାତ୍, ଏହି ସବୁ ଅଞ୍ଚଳକୁ  ସରକାରୀ ଅଧିକାରୀମାନେ ଅଣଦେଖା କରିବା ଏବଂ ଏଠାରେଥିବା ଲୋକମାନେ ସମାଜର ମୁଖ୍ୟସ୍ରୋତ ଦ୍ୱାରା ଉପେକ୍ଷିତ ହେବାର ସୁଯୋଗ ନେଇ ସକ୍ରିୟ ହୋଇଉଠନ୍ତି ମାଓବାଦୀ। ଦିଗନ୍ତବିସ୍ତାରୀ ଜଙ୍ଗଲ ଭିତରେ ରାସ୍ତା କିମ୍ବା ଅନ୍ୟ କୌଣସି ସଂକେତ ଥାଉ କି ନଥାଉ, ନକ୍ସଲଙ୍କ ସହିଦ ସ୍ମାରକୀଟିଏ ନିଶ୍ଚିତ ଭାବେ ଥିବ। ଏଇଠି ଥିବା ଲୋକମାନେ ନିଜ ରାଜ୍ୟ ବା ନିଜ ଜିଲ୍ଲାର ସଦର ମହକୁମାରେ ପହଞ୍ଚିବାରେ ହୁଏତ କଷ୍ଟ ସମ୍ମୁଖୀନ କରିବାକୁ ପଡ଼ିପାରେ, କିନ୍ତୁ ପାଣି ବାଟରେ ଏମାନଙ୍କ ପାଇଁ ଆନ୍ଧ୍ରପ୍ରଦେଶ। ତେଣୁ ପ୍ରତି ସୁଖଦୁଃଖରେ ସେମାନେ ଆନ୍ଧ୍ର ଦୁଆରେ ହାଜର।

ସ୍ୱାସ୍ଥ୍ୟକର୍ମୀ, ଶିକ୍ଷା ସହାୟକ, ପ୍ରାଥମିକ ଶିକ୍ଷକ, ଗ୍ରାମସେବକ, ତହସିଲଦାର ବା ଅନ୍ୟକୌଣସି ସରକାରୀ ଅଧିକାରୀ ବର୍ଷ ବର୍ଷ ଧରି ଏଠାକୁ ଯାଆନ୍ତି ନାହିଁ। ବର୍ଷରେ ମାତ୍ର ଚାରି ଦିନ ସ୍କୁଲ ଖୋଲେ। ଗଣେଶ ପୂଜା, ଶ୍ରୀପଞ୍ଚମୀ, ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ। ବାକି ଦିନ ପିଲାମାନେ ସ୍କୁଲକୁ ଯାଇ ସେହି ହତାରେ ଖେଳନ୍ତି। କହିବାକୁ ଗଲେ, ଏହି ସବୁ ଅଞ୍ଚଳରେ ରହୁଥିବା ଲୋକଙ୍କ ଭିତରୁ ପ୍ରାୟ ୯୫ ପ୍ରତିଶତ ଲୋକ ନିଜ ଜୀବଦ୍ଦଶା ଭିତରେ କେବେ ବି ଜିଲ୍ଲା ସଦରମହକୁମା ଦେଖି ନାହାନ୍ତି। ଏଭଳି ସ୍ଥଳେ ଏ ଅଞ୍ଚଳର ବିକାଶର ଚିତ୍ର ଦେଖିବା ନିଶ୍ଚିତ ଭାବେ ଦିବାସ୍ୱପ୍ନ ସଦୃଶ। ଓଟିଭିରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହେଲାବେଳେ ଲୋକମାନଙ୍କ ଦୀର୍ଘଦିନର ଦାବି ଗୁରୁପ୍ରିୟା ସେତୁ ନିର୍ମାଣ ହୋଇନଥିଲା। ଆଉ ବର୍ତ୍ତମାନ ଏହି ସେତୁର ନିର୍ମାଣ ପରେ ବିକାଶର ଚିତ୍ରରେ ସାମାନ୍ୟ ପରିବର୍ତ୍ତନ ଆସିଛି ବୋଲି କୁହାଯାଇପାରେ।

ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାରେ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ଆଦିମ ଅଧିବାସୀ ବଣ୍ଡାମାନଙ୍କ ଇଲାକା ଉପରେ ରିପୋର୍ଟିଂ କରିଥିଲା ଏହି ସୀମାରେ ଜୀବନ ଟିମ୍। ଅନେକ ପ୍ରୟାସ, ଯୋଜନା ଏବଂ ଅର୍ଥ ମଞ୍ଜୁରୀ ପରେ ବି ବିକାଶର ଚକ ଏଇଠି ଏତେ ବେଶୀ ଗଡ଼ି ପାରିନି। ମନୋରଞ୍ଜନ ଏବଂ ତାଙ୍କ ଟିମ୍ ବଣ୍ଡାଘାଟିର ମୁଦୁଲିପଡ଼ା ଏବଂ ସୀମାନ୍ତର ବଡ଼ବିଲ ଗାଁରୁ ବି ଲୋକଙ୍କ ଜୀବନ ଜୀବିକାର ଚିତ୍ରକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସେହିଭଳି ଛତିଶଗଡ଼ ସୀମାନ୍ତରେ ଥିବା ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟରେ ରହୁଥିବା ଲୋକମାନଙ୍କ ଜୀବନଶୈଳୀ ଉପରେ ରିପୋର୍ଟିଂ କଲା ବେଳେ ଏହି ଟିମକୁ ନକ୍ସଲମାନଙ୍କ ସାମ୍ନା କରିବାକୁ ପଡ଼ିଥିଲା। କହିବାକୁ ଗଲେ, ନକ୍ସଲମାନେ ନିଜ ପ୍ରତ୍ୟକ୍ଷ ଉପସ୍ଥିତିରେ ହିଁ ଏମାନଙ୍କୁ ରିପୋର୍ଟିଂ କରିବାକୁ ଦେଇଥିଲେ।

ଓଟିଭି ଟିମର ପ୍ରତିଟି ଗତିବିଧି ଉପରେ ନଜର ରଖିଥିଲେ ସେଠାରେ ଥିବା ଲାଲବାହିନୀ। ତେବେ ସବୁଠୁ ହୃଦୟ ବିଦାରକ ଥିଲା ଛତିଶଗଡ଼ ସୀମାନ୍ତରେ ଥିବା ଝାରସୁଗୁଡ଼ା ଲଖନପୁର ବ୍ଲକର ଜାମପାଲି ଗାଁର ଚିତ୍ର। ଏକଦା ସ୍ୱୟଂ ସମ୍ପୂର୍ଣ୍ଣ ସମୃଦ୍ଧ ଗାଁର ଏହି ଲୋକମାନଙ୍କୁ ରାତାରାତି ସରକାରୀ ନିର୍ଦ୍ଦେଶରେ ନିଜ ଭିଟାମାଟି ଖାଲି କରି ଯିବାକୁ ପଡ଼ିଥିଲା। ତେବେ ମାଟିର ମୋହଠୁ ବଳି ବଡ଼ ମୋହ ଆଉ କିଛି ନାହିଁ। ଯେଉଁ ମାଟିର ମୋହରେ ମହାଭାରତ ଭଳି  ଯୁଦ୍ଧ ହୋଇପାରିଲା, ସେହି ମାଟିକୁ ଛାଡ଼ି ଆସିଛନ୍ତି ଯେତେବେଳେ ଏମାନେ, ତାକୁ ମନେ ପକାଇ କାନ୍ଦି ଉଠିବା ତ ସ୍ୱାଭାବିକ କଥା। କାହାକୁ ପଟା ମିଳିଛି, ଅଥଚ ଜମିର ଚିହ୍ନବର୍ଣ୍ଣ ନାହିଁ। ବିସ୍ଥାପନ ସିନା ହୋଇଛି, ହେଲେ ଥଇଥାନ ହୋଇନି ଠିକ୍ ଭାବେ। ବିସ୍ଥାପନ ବେଳେ ଯେଉଁମାନେ ବାର ପନ୍ଦର ବର୍ଷର ଥିଲେ, ଏବେ ସେମାନେ ଅଶୀତିପରର ମଣିଷ। ଏମିତି ହିଁ ଜଣେ ବୟୋବୃଦ୍ଧା ମାଉସୀଙ୍କୁ ନେଇ ଡଙ୍ଗାରେ ହୀରାକୁଦର ବିସ୍ତୀର୍ଣ୍ଣ ଜଳରାଶି ଭିତରକୁ ଯାଇଥିଲେ ମନୋରଞ୍ଜନ।

ସେଇଠି ପାଣି ଭିତରେ ବୁଡ଼ି ରହିଥିବା ଏବଂ ମଝିରେ ମଝିରେ ମୁଣ୍ଡ ଟେକିଥିବା ଘର, ମନ୍ଦିର, ସ୍କୁଲ ଦେଖି କାନ୍ଦି ଉଠୁଥିଲେ ସେହି ମାଉସୀ ଜଣକ। ବାରମ୍ବାର ନିଜ ପଣତରେ ଆଖିର ଲୁହକୁ ପୋଛୁ ପୋଛୁ ବଖାଣି ବସୁଥିଲେ, ଜଳଭଣ୍ଡାର ନିର୍ମାଣ ପୂର୍ବରୁ ତାଙ୍କ ଗାଁରେ କେମିତି ପାଳନ ହେଉଥିଲା ବିଭିନ୍ନ ପର୍ବପର୍ବାଣୀ, ଯାନିଯାତ୍ରା। କେତେ ସମୃଦ୍ଧ ଥିଲା ତାଙ୍କ ଜୀବନଶୈଳୀ ସେ କଥା ଅନର୍ଗଳ କହିଚାଲିଥିଲେ ସେ। ହେଲେ ଆଜି ସେମାନଙ୍କ ଦୟନୀୟ ଜୀବନଚର୍ଯ୍ୟା ଦେଖିଲେ ମନେ ହୁଏ, ଏମିତି ବିକାଶର ମାନେ କ’ଣ, ଯାହା ଅନ୍ୟମାନଙ୍କ ମୁହଁରୁ ହସ ଛଡ଼ାଇ ନେଇପାରେ।

କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଗାଁଗୁଡ଼ିକୁ ବି ଯାଇଛନ୍ତି ଏହି ଟିମ୍। ସେଠାରେ ରହୁଥିବା ଲୋକମାନଙ୍କ ସମସ୍ୟାକୁ ଦୁନିଆ ଆଗରେ ଉପସ୍ଥାପନ କରିଛନ୍ତି। କେବଳ ଯେ, ଉପାନ୍ତ ଅଞ୍ଚଳ ବା ଅତି ଆଭ୍ୟନ୍ତରୀଣ ଅଞ୍ଚଳରେ ଲୋକମାନେ ସମସ୍ୟା ଘେରରେ ରହିଛନ୍ତି ତା’ ନୁହେଁ। ରାଜ୍ୟ ରାଜପଥର କଡ଼େ କଡ଼େ ଥିବା ସୀମାବର୍ତ୍ତୀ ଅଞ୍ଚଳରେ ବି ସମାନ ସମସ୍ୟା। ଗାଁର ମଝି ରାସ୍ତାରେ ସୀମା। ବାମ ପଟର ସାହି ଓଡ଼ିଶାରେ, ଡାହାଣ ପଟର ସାହି ପଶ୍ଚିମବଙ୍ଗରେ। କିଛି ଲୋକଙ୍କ ଘର ଓଡ଼ିଶାରେ, ଆଉ ଘର ପଛରେ ଥିବା ଜମି ପଶ୍ଚିମବଙ୍ଗରେ। ଏଭଳି ସ୍ଥଳେ ଯେତେବେଳେ ଓଡ଼ିଶା ସରକାର କୌଣସି ଯୋଜନାରେ କୃଷକମାନଙ୍କ ପାଇଁ ସହାୟତା ଘୋଷଣା କରୁଛନ୍ତି, ତାହା ସେମାନେ ପାଇପାରୁନାହାନ୍ତି। କାରଣ ସେମାନଙ୍କ ଜମି ପଶ୍ଚିମବଙ୍ଗରେ।

ସେହିଭଳି ଯଦି ପଶ୍ଚିମବଙ୍ଗ ସରକାର କୌଣସି ଜନହିତକର ଯୋଜନା ଘୋଷଣା କରୁଛନ୍ତି, ତା’ହେଲେ ସେଥିରୁ ବି ଏମାନେ ବଞ୍ଚିତ। କାରଣ ରେକର୍ଡରେ ଏମାନେ ଓଡ଼ିଶାର ଅଧିବାସୀ। ତା’ ମାନେ ଚାରି ଘରର କୁଣିଆ ଭୋକରେ ରହିବା ନ୍ୟାୟରେ ଭୋକିଲା ରହିଯାଆନ୍ତି ସୀମାନ୍ତର ଅଧିବାସୀମାନେ। ଏଇମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ତହସିଲ ବ୍ୟବସ୍ଥା। ତା’ ସାଙ୍ଗକୁ ଗାଁରେ ପିଲା ପ୍ରାଥମିକ ବିଦ୍ୟାଳୟ ଓଡ଼ିଆରେ ପଢ଼ିଲା ବେଳେ ହାଇସ୍କୁଲ ପଢୁଛି ପାଖ ପଶ୍ଚିମବଙ୍ଗ ସ୍କୁଲରେ ବଙ୍ଗଳାରେ। ପ୍ଲସ୍ ଟୁ ପଢୁଛି ଓଡ଼ିଆରେ ଏବଂ ପୁଣି ଡିଗ୍ରୀ ପଢୁଛି ବଙ୍ଗଳାରେ। ଫଳରେ ଏହି ଛାତ୍ରଛାତ୍ରୀମାନେ ଚାକିରି ପାଇବାରେ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ରାଜ୍ୟର ସମସ୍ତ ସୀମାନ୍ତରେ ରିପୋର୍ଟିଂ କରି ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଥିବା ମନୋରଞ୍ଜନ ଯୋଷୀ କହନ୍ତି, ନା ରାଜ୍ୟ ସରକାର, ନା କେନ୍ଦ୍ର ସରକାର, କେହି ବି ଏମାନଙ୍କୁ ଏକାଠି ରଖି ପାରିନାହାନ୍ତି। ବରଂ ଏମାନଙ୍କୁ ଓଡ଼ିଶା ସହିତ ଯୋଡ଼ି ରଖିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କାରଣ ସୀମାନ୍ତର ଏ ସବୁ ଗାଁରେ କିଛି ଥାଉ କି ନଥାଉ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିଶ୍ଚିତ ଭାବେ ରହିଛି। ମହାପ୍ରଭୁଙ୍କ ସହିତ ଲୋକମାନଙ୍କ ଏକ ଆବେଗିକ ସମ୍ପର୍କ ରହିଛି। ସେହିଁ ସମସ୍ତଙ୍କୁ ଓଡ଼ିଶା ସହିତ ଏକତା ସୂତ୍ରରେ ବାନ୍ଧିରଖିବାର ମହାସୂତ୍ର ପାଲଟିଛନ୍ତି। ଏହି ସବୁ ଅଞ୍ଚଳର ଭାଷା, ସଂସ୍କୃତି, ଖାଦ୍ୟ ସଂସ୍କୃତି, ସାମାଜିକ ଜୀବନ, ବେଶଭୂଷା ଏବଂ ଜୀବନଶୈଳୀ ସବୁକିଛି ଭିନ୍ନ ହୋଇଥିଲେ ବି, ଏମାନେ ଓଡ଼ିଶାର ଅଭିନ୍ନ ଅଙ୍ଗ ହୋଇ ରହିଛନ୍ତି କେବଳ ମହାପ୍ରଭୁଙ୍କ ପାଇଁ।

ସୀମାରେ ଜୀବନ କାର୍ଯ୍ୟକ୍ରମ ପ୍ରସ୍ତୁତି ବେଳେ ଏମିତି ହିଁ କିଛି ଜଗନ୍ନାଥ ମନ୍ଦିରର ଚିତ୍ରକୁ ଉପସ୍ଥାପନ କରିଛନ୍ତି ଏହି ଟିମ୍। ଏହି ସମୟରେ ଆଉ ଏକ କଥା ଦେଖିବାକୁ ମିଳିଛି ଯେ, ସୀମାର ଭିତର ପଟେ, ଅର୍ଥାତ୍ ଆମ ରାଜ୍ୟର ଗାଁଗୁଡ଼ିକ ଦୟନୀୟ ଅବସ୍ଥାରେ ଥିଲା ବେଳେ, ସୀମା ଆରପଟେ ଥିବା ପଡ଼ୋଶୀ ରାଜ୍ୟର ଗାଁଗୁଡ଼ିକ ବେଶ୍ ସମୃଦ୍ଧ ଅଛନ୍ତି। ଏହାର ଅର୍ଥ, ଆମେ ଆମ ସୀମାନ୍ତବର୍ତ୍ତୀ ଅଞ୍ଚଳ ପାଇଁ ଯେତେକି ଗୁରୁତ୍ୱ ଦେବା କଥା ସେତିକି ଦେଇ ପାରୁନାହାନ୍ତି। ଯାହାଫଳରେ ଏଠାକାର ଅଧିବାସୀମାନେ ନିଜକୁ ଉପେକ୍ଷିତ ମନେ କରିବା ସ୍ୱାଭାବିକ।

ଅତ୍ୟନ୍ତ ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ରିପୋର୍ଟିଂ କରିବା ବେଳେ ଦୈନନ୍ଦିନ ଅନ୍ୟୁନ ୧୫ରୁ ୧୭ କିଲୋମିଟର ଚାଲିବାକୁ ପଡ଼ିଛି ମନୋରଞ୍ଜନ ଏବଂ ତାଙ୍କ ସହଯୋଗୀମାନଙ୍କୁ। ଏହାସାଙ୍ଗକୁ ଅନେକ ଦିନ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବାକୁ ପଡ଼ିଛି। କାରଣ ଅନେକ ସମୟରେ ସେହି ସବୁ ଅଞ୍ଚଳରେ ଏମାନଙ୍କୁ କିଛି ଖାଇବାକୁ ମିଳିନାହିଁ। ସାଙ୍ଗରେ ଥିବା ବସ୍କୁଟ୍ ଏବଂ ପାଣିରେ କାମ ଚଳାଇବାକୁ ପଡ଼ିଛି ଏମାନଙ୍କୁ। ଅନେକ ସମୟରେ ରାତିରେ ରହିବା ପାଇଁ ଠିକ୍ ପାନ୍ଥଶାଳା କିମ୍ବା ବିଶ୍ରାମସ୍ଥଳୀ ମିଳିନାହିଁ। ଫଳରେ ମନୋରଞ୍ଜନ ଏବଂ ତାଙ୍କ ସହଯୋଗୀଙ୍କୁ କାହାରି ଘର ବାରଣ୍ଡାରେ ବା ସ୍କୁଲ ବାରଣ୍ଡାରେ ରାତି କାଟିବାକୁ ପଡ଼ିଛି।

ମୋଟାମୋଟି କହିବାକୁ ଗଲେ, ସୀମାନ୍ତରେ ବାସ କରୁଥିବା ଲୋକଙ୍କ ସମସ୍ୟା କଥା କହିବାକୁ ଯାଇ ଓଟିଭି ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ କଲା, ତାହା ବିକାଶମୂଳକ ସାମ୍ବାଦିକତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ। କେବଳ ଅର୍ଥ ଖର୍ଚ୍ଚ କରିଦେଲେ ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇପାରିବ ନାହିଁ। ଏଥିପାଇଁ ନିଷ୍ଠା, ନିଶା ଏବଂ କଠିନ ଅଧ୍ୟବସାୟ ଓ ପରିଶ୍ରମର ଯଥେଷ୍ଟ ଆବଶ୍ୟକତା ରହିଛି। ତା ସାଙ୍ଗକୁ ଉପଯୁକ୍ତ ଗବେଷଣା ନହେଲେ, ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ବି ସହଜ ହେବ ନାହିଁ। ୧୯ ଅକ୍ଟୋବର ୨୦୧୪ରେ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧ୍ୟାୟ ପ୍ରସାରିତ ହୋଇଥିଲା ବେଳେ ୮ ଫେବ୍ରୁଆରି ୨୦୧୫ରେ ଏହାର ଶେଷ ଅଧ୍ୟାୟ ପ୍ରସାରିତ ହୋଇଥିଲା। ଏହାରି ମଧ୍ୟରେ ମୋଟ ୧୭ଟି ଅଧ୍ୟାୟ ପ୍ରସ୍ତୁତ କରିଥିଲା ଏହି ଟିମ୍।

Tags: #DrFakirMohanNahak #LifeonBorder #Television #Media #Reporting

Comment