ଓଡ଼ିଶାଲାଇଭ୍ ବ୍ୟୁରୋ

ମାନବ ଚାଲାଣ କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଏହା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି।

ନାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ମାନବ ଚାଲାଣ କ୍ଷେତ୍ରରେ ଆଗରେ ରହିଛି ଓଡ଼ିଶା। ସର୍ବାଧିକ ୧,୪୭୫ଟି ମାନବ ଚାଲାଣ ମାମଲା ହୋଇଥିଲା। ଏମାନଙ୍କ ମଧ୍ୟରେ ୭୩୫ ଜଣ ମହିଳା ରହିଥିବାବେଳେ ୪୯୭ ଜଣ ୧୮ବର୍ଷରୁ କମ୍ ବୟସର ରହିଛନ୍ତି।

ଶୁକ୍ରବାର ଦିନ ଓଡ଼ିଶା ଓମେନ ଇନ ମିଡିଆ ପକ୍ଷରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ‘ଏମାର୍ଜିଙ୍ଗ ଟ୍ରେଣ୍ଡସ ଇନ ହ୍ୟୁମାନ ଟ୍ରାଫିକିଂ’ ଶୀର୍ଷକ କର୍ମଶାଳାରେ ଏହି ସୂଚନା ମିଳିଛି।

କର୍ମଶାଳାରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, “କୋଭିଡ ମହାମାରୀ ପରେ ଯୁବପିଢ଼ିଙ୍କ ଫେରାର ହେବା ମାମଲା ବଢ଼ିଛି। ମୋବାଇଲର ବ୍ୟବହାର ୧୪ ବର୍ଷରୁ କମ ବୟସର ପିଲାଙ୍କୁ ଅଧିକ ଅସୁରକ୍ଷିତ କରିଛି। ଆଗକୁ ପରିଣାମ କ’ଣ ହେବ ଚିନ୍ତା ନକରି କିଶୋରୀମାନେ ସମ୍ପର୍କ ରଖୁଛନ୍ତି। କିଛି ଦିନ ଏକାଠି ରହିବା ପରେ ଅଲଗା ହେଇଯାଉଛନ୍ତି। ସେଇ କିଶୋରୀମାନେ ହିଁ ମାନବ ଚାଲାଣକାରୀଙ୍କ ଟାର୍ଗେଟରେ ରହୁଛନ୍ତି।”

କଲେଜସ୍ତରରେ କର୍ମଶାଳା ଆୟୋଜନ କରି କିଶୋରୀମାନଙ୍କୁ ସଚେତନ କରାଯାଉଥିବା ସେ କହିଛନ୍ତି।

“ମାନବ ଚାଲାଣ ଏକ ଜଟିଳ ସମସ୍ୟା। ରାଜ୍ୟ ସରକାରଙ୍କ ତରଫରୁ ଏନେଇ ସମସ୍ତ ଜିଲ୍ଲାରେ ସମନ୍ଵିତ ମାନବ ଚାଲାଣ ବିରୋଧୀ ୟୁନିଟ ଖୋଲାଯାଇଛି। ପ୍ରତି ପୋଲିସ ଷ୍ଟେସନରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟକ୍ଷମ ହୋଇଛି”, କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

ଗତବର୍ଷ ମାନବ ଚାଲାଣକାରୀଙ୍କୁ ରୋକିବା ଦିଗରେ ପୋଲିସର ଭୂମିକା ଉପରେ ଆଲୋଚନା କରିଥିଲେ ଏଡ୍ ଏଟ୍ ଆକ୍ସନ ନିର୍ଦ୍ଦେଶକ ଉମି ଡାନିଏଲ୍। ଗତ ଦୁଇ ମାସ ମଧ୍ୟରେ ଓଡ଼ିଶାରେ ୧୬ ଜଣ ଶିଶୁ ଚାଲାଣର ଶିକାର ହୋଇଥିବା ମାମଲା ପଞ୍ଜିକୃତ ହୋଇଥିବା କହିଛନ୍ତି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର ସେନାପତି।

ଓଡ଼ିଶା ଓମେନ ଇନ୍ ମିଡିଆ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ୫୦ରୁ ଅଧିକ ମିଡିଆ କର୍ମୀମାନେ ସାମିଲ ହୋଇଥିଲେ।

Tags: #NCRBReport #HumanTrafficking #Odisha #Media

Comment