ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଓଟିଭିରେ ନ୍ୟୁଜ ପଢ଼ିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ନ୍ୟୁଜ୍ ଆଙ୍କର ‘ଲିସା’। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’କୁ ଲଞ୍ଚ କରିଥିଲେ ଓଟିଭି ନେଟୱର୍କର ପରିଚାଳନା ନିର୍ଦେଶିକା ଜଗି ମଙ୍ଗତ ପଣ୍ଡା।

“ସାଧାରଣତଃ ଆଙ୍କରମାନେ ନ୍ୟୁଜ୍‌ ରୁମ୍‌ରେ ଟେଲି ପ୍ରମ୍ପଟର୍‌ ଦେଖି ନ୍ୟୁଜ୍‌ ପଢ଼ୁଥିଲେ। ହେଲେ ବର୍ତ୍ତମାନ ଏଆଇ ସହାୟତାରେ ମଣିଷ ସଦୃଶ ଦେଖାଯାଉଥିବା ‘ଲିସା’ ପଢ଼ିବ ନ୍ୟୁଜ। ଲିସା କେବେ ଥକି ଯାଉନଥିବା ଏବଂ କେବେ ବୟସ ବଢ଼ୁନଥିବା ଜଣେ ଆକର୍ଷଣୀୟ ନ୍ୟୁଜ୍‌ ଆଙ୍କର। ଏଆଇ ଆଙ୍କର ଲିସା ଓଟିଭିର ଟିଭି ଓ ଡ଼ିଜିଟାଲରେ ପ୍ଲାଟଫର୍ମରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଖବର ପରିବେଷଣ କରିବ”, କହିଛନ୍ତି ଜଗି ମଙ୍ଗତ ପଣ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି, “ଏଆଇ ଭବିଷ୍ୟତରେ ନ୍ୟୁଜ୍‌ ରିଡରମାନଙ୍କର କିମ୍ବା ସାମ୍ବାଦିକମାନଙ୍କ ଚାକିରି ଛଡ଼ାଇ ନେବ, ସେ ଆଶଙ୍କା ଭୁଲ୍‌। ମଣିଷ ଓ ଏଆଇ ମଧ୍ୟରେ କୌଣସି ପ୍ରତିଯୋଗିତା ଏବେ ହେଉନାହିଁ। ତେବେ ମଣିଷ ଓ ଏଆଇ ଏକାସହ ମିଶି କାମ କଲେ, ଏହା ଅଧିକ ତ୍ରୁଟିଶୂନ୍ୟ ଓ ତଥ୍ୟଭିତ୍ତିକ ହୋଇପାରିବ। ମଣିଷ ତିଆରି କରିଥିବା ଏକ ଟେକ୍ନୋଲୋଜି ଯେ ମଣିଷର ସ୍ଥାନ ଦିନେ ନେଇଯିବ ତାହା ଚିନ୍ତା କରିବା ଭୁଲ ହେବ।”

“କେବଳ ଗଣମାଧ୍ୟମ ନୁହେଁ, ବିଭିନ୍ନ କମ୍ପାନୀ ‘ଏଆଇ’ କୁ ଆପଣାଇବାରେ ଲାଗିଲେଣି। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି କମ୍ପ୍ୟୁଟର ବିଜ୍ଞାନର ଏକ ପ୍ରୟୋଗ, ଯାହାକି ପ୍ରଯୁକ୍ତିବିଦ୍ୟା ଓ ପୂର୍ବରୁ ସଂରକ୍ଷିତ ତଥ୍ୟକୁ ଉପଯୋଗ କରି କୌଣସି ସମସ୍ୟାର ସମାଧାନ ପ୍ରଦାନ କରିଥାଏ। ଏହା ଦ୍ଵାରା ଅନେକ ସମସ୍ୟାର ସମାଧାନ ଆଖି ପିଛୁଳାକେ ମିଳିଯାଇଥାଏ। ଅଟୋମେଟେଡ଼ ପ୍ରୋବ୍ଲେମ ରିଜୋଲ୍ୟୁସନ ସିଷ୍ଟମର ଅନେକ ସଫଳତା ପରେ ଏବେ ଚାର୍ଟ ଜିଟିପି ମଧ୍ୟ ବହୁତ ଆଦୃତି ପାଇବ। ଏହା ଦ୍ଵାରା କମ୍ପାନୀଗୁଡ଼ିକ ବହୁତ ପ୍ରଶସ୍ତି ଓ ପ୍ରଶିଦ୍ଧି ଲାଭ କରିବ”, କହିଛନ୍ତି ଆଇଟି ସମୀକ୍ଷକ ଦେବୀପ୍ରସାଦ ମହାପାତ୍ର।

ଗଣମାଧ୍ୟମ କ୍ଷେତ୍ରରେ ଏଆଇ ଭଳି ଟେକ୍ନୋଲୋଜିର ପ୍ରୟୋଗ ଏହି କ୍ଷେତ୍ରକୁ ଆହୁରି ବ୍ୟାପକ କରିବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।

Tags: #ArtificialIntelligence #AINewsAnchor #OTV #Odisha

 

Comment