ଡକ୍ଟର ଫକୀର ମୋହନ ନାହାକ

Television Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି

୨୦୦୬ ଡିସେମ୍ବର ୨ ତାରିଖରେ ସିନା ସାଟେଲାଇଟ୍ ଚାନେଲ ଭାବେ ନିଜର ପ୍ରସାରଣ ସେବା ଆରମ୍ଭ କଲା, କିନ୍ତୁ ତା’ ପୂର୍ବରୁ ଅନେକ ତିକ୍ତ-ମଧୁର ଅନୁଭୂତିକୁ ନେଇ ନିଜର ମୂଳଦୁଆ ପ୍ରସ୍ତୁତ କରିଥିଲା ଓଟିଭି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ କେବୁଲ ଟେଲିଭିଜନ୍ ଚାନେଲ ଭାବେ ଜନ୍ମ ନେଇଥିଲା ଓଟିଭି। ୧୯୯୭ ମସିହା ଏପ୍ରିଲ ୧୮ ତାରିଖରେ ଆରମ୍ଭ କରିଥିଲା କେବୁଲ୍ ପ୍ରସାରଣ ସେବା। ତେବେ ତା’ ପଛରେ ଥିଲା ଏକ କାହାଣୀ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧୭ ତାରିଖ ଦିନ ଓଡ଼ିଶାର ଭୂମିପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ଘଟିଥାଏ। ଆଉ ତା’ ପୂର୍ବରୁ ଓଟିଭି ନାମକ ଏକ ଟେଲିଭିଜନ୍ ଚାନେଲ ଆରମ୍ଭ କରିବା ପାଇଁ ପରିକଳ୍ପନା ଚାଲିଥାଏ। ଏହି ସମୟରେ ବିଜୁବାବୁଙ୍କ ପରଲୋକ ଏବଂ ତାଙ୍କ ଶେଷ ଶୋଭାଯାତ୍ରା ସାଙ୍ଗକୁ ଅନ୍ତ୍ୟେଷ୍ଟି କ୍ରିୟାର ଚିତ୍ରକୁ ଲୋକଙ୍କ ନିକଟରେ ପହଞ୍ଚାଇବା କଥା ଚିନ୍ତା କରିଥିଲା ଓଟିଭି ଟିମ୍।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅନ୍ତ୍ୟେଷ୍ଟି କ୍ରିୟାର ଚିତ୍ର

ସେହି ସମୟରେ ରାକେଶ ମହାନ୍ତି, କ୍ୟାମେରାମ୍ୟାନ ଦିଲ୍ଲୀପ ସିହ୍ନା ଏବଂ ସଞ୍ଜୟ ମଲ୍ଲିକଙ୍କ ଭଳି କିଛି ଜଣ ଏହି ସବୁ ଦୃଶ୍ୟର ସୁଟିଂ କରିପାରିଥିଲେ। ରାକେଶ ମହାନ୍ତି ଥିଲେ କାର୍ଯ୍ୟକ୍ରମର ପ୍ରଯୋଜକ। ତାକୁ ରାତାରାତି ଏଡିଟିଂ କରିଥିଲେ ଗୋପାଳ ପାହାଳ ଏବଂ ପରଦିନ ଏହାର ପ୍ରସାରଣ ସହ ଆରମ୍ଭ ହୋଇଥିଲା ଓଟିଭିର କେବୁଲ ପ୍ରସାରଣ ସେବା। ପ୍ରକୃତପକ୍ଷେ ଏହା କେବଳ ଓରଟେଲ କମ୍ୟୁନିକେସନ ଅଧୀନରେ ଥିବା ସ୍କାଏ ଭ୍ୟୁ କେବୁଲ ଉପଭୋକ୍ତାମାନେ ହିଁ ଦେଖିପାରିଥିଲେ। ଆରମ୍ଭରୁ ମାତ୍ର ତିନି ଚାରି ଜଣ ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଓଟିଭିରେ ଧୀରେ ଧୀରେ ଆଉ ଅଧିକ ସଦସ୍ୟ ଯୋଡ଼ି ହୋଇଥିଲେ।

ଓଟିଭି ଆରମ୍ଭରୁ ହିଁ କିଛି ବରିଷ୍ଠ ସାମ୍ବାଦିକ, ପ୍ରଯୋଜକ ଏବଂ ସମ୍ପାଦକ ଏହା ସହିତ ଯୋଡ଼ି ହୋଇଥିଲେ। ସିନେ ନିର୍ମାତା ତଥା ଦୂରଦର୍ଶନର ପ୍ରଡ୍ୟୁସର ପ୍ରଫୁଲ୍ଲ ମହାନ୍ତିଙ୍କ ସମେତ ପିଟିଆଇର ସାମ୍ବାଦିକ ଅଜୟ ମିଶ୍ର ଏହାର ନ୍ୟୁଜ୍ ଏଡିଟର ଭାବେ ଯୋଗ ଦେଇଥିଲେ। ଏହି କେବୁଲ ଚାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ନେଇଥାନ୍ତି ପ୍ରତାପ ଆଦିତ୍ୟ ମିଶ୍ର। ଏହି ଟିମରେ ଭିଜୁଆଲ ଏଡିଟର ଭାବେ ସିନେମା ସମ୍ପାଦକ ଦେବେନ୍ ମିଶ୍ର ଏବଂ ଚକ୍ରଧର ସାହୁ (ପରବର୍ତ୍ତୀ ସମୟରେ ବହୁ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି) ବି ଯୋଗ ଦେଇଥାନ୍ତି। ପରବର୍ତ୍ତୀ ସମୟରେ କଳିଙ୍ଗ ଷ୍ଟୁଡିଓରୁ ଆସି ନଗେନ୍ ବାରିକ ବି ସାମିଲ ହୋଇଥାନ୍ତି ଓଟିଭିରେ। ରାକେଶ ମହାନ୍ତି, ଅମ୍ବୁଜ ଶତପଥୀ, ଅରବିନ୍ଦ ପଟ୍ଟନାୟକ ଆଦି ପ୍ରୋଗ୍ରାମିଂ ଏବଂ ପ୍ରଡକ୍ସନ ବ୍ୟବସ୍ଥା ତଦାରଖ କରୁଥିଲା ବେଳେ ପ୍ରଥମ ବ୍ୟାଚରେ ରିପୋର୍ଟର ଭାବେ ଯୋଗ ଦେଇଥିଲେ ଯଯାତି କରନ, ଶାରଦା ଲାହାଙ୍ଗିର, ସୋନାଲି ରଥ ଏବଂ ଶ୍ରୀପର୍ଣ୍ଣା ନାୟକ। ଏମାନେ ସମସ୍ତେ ଥିଲେ ଆଇଆଇଏମସି ଢେଙ୍କାନାଳର ଦ୍ୱିତୀୟ ବ୍ୟାଚ୍ ଛାତ୍ର।

ପରେ ପରେ ସନ୍ତୋଷ ସାହୁ, ଜୟନ୍ତ ସେଠ୍, ଆଲୋକ ସ୍ୱାଇଁ, ଦୁର୍ଗା ଆଚାର୍ଯ୍ୟ, ବିଶ୍ୱଜିତ୍ ବ୍ରହ୍ମା, ମନୋରଞ୍ଜନ ମିଶ୍ର, ସମୀକ୍ଷା ପଟ୍ଟନାୟକ, ହିମାଂଶୁ ସାହୁ ଏବଂ ଅରୁଣିକା ମହାପାତ୍ର ଆଦି ଯୋଗ ଦେଇଥିଲେ ଓଟିଭିରେ। ୧୯୯୮ ମସିହାରେ ବରିଷ୍ଠ ସାମ୍ବାଦିକ ସୁତନୁ ଗୁରୁ ବି ସାମିଲ ହୋଇଥିଲେ ଓଟିଭି ଟିମ୍ ସହିତ। ଚାନେଲ କେବୁଲ ଥିଲା ବେଳେ ବି ଭଲ ମାର୍କେଟିଂ କରୁଥିଲା। ଗୋପାଳ ସାହୁ ସେ ସମୟରେ ଏହି ଟିମରେ କାମ କରୁଥାନ୍ତି।

ପ୍ରତିଷ୍ଠାତା ସଦସ୍ୟ ରାକେଶ ମହାନ୍ତିଙ୍କ କହିବା ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ଗୋଟିଏ କାର୍ଯ୍ୟକ୍ରମ, ତା’ ପରେ ଦୁଇଟି, ତିନିଟି ଏମିତି ନ୍ୟୁଜ୍ ବୁଲେଟିନ୍ ପ୍ରସାରଣ କରାଗଲା। ଏହି ସମୟରେ ଏହାର ନାଁ ଥିଲା ଓଟିଭି ନ୍ୟୁଜ୍। କିନ୍ତୁ ଯେଉଁ ସମୟରେ ସପ୍ତାହର ସାତ ଦିନ ବୁଲେଟିନ୍ ପ୍ରସାରଣ କରିବା ସମ୍ଭବ ହୋଇପାରିଲା, ସେତେବେଳେ ସେହି ବୁଲେଟିନର ନାଁ ରଖାଗଲା – ପ୍ରତିଦିନ। ସାଟେଲାଇଟ୍ ଚାନେଲରେ ପରିଣତ ହେବା ପରେ ବି ଏହି ବୁଲେଟିନର ନାଁରେ ପରିବର୍ତ୍ତନ କରାଯାଇ ନାହିଁ। ତେଣୁ ଓଟିଭିର କହିବା ଅନୁସାରେ, ଏହା ରାଜ୍ୟର ସବୁଠୁ ପୁରୁଣା ବୁଲେଟିନ୍। ଗତ ୨ ବର୍ଷରୁ ଅଧିକ ସମୟ ଧରି ଏହି ପ୍ରତିଦିନ ବୁଲେଟିନ୍ ପ୍ରସାରଣ ହେଉଛି।

ପ୍ରଥମେ ନିରୁପମା ଆପାର୍ଟମେଣ୍ଟର ତିନିଟି ଫ୍ଲାଟକୁ ନେଇ ଓଟିଭି ତା’ର କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ପରବର୍ତ୍ତୀ ସମୟରେ ୮-ଭୋଇ ନଗର (ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାସଭବନ)କୁ ଏହା ସ୍ଥାନାନ୍ତରିତ ହୋଇଥିଲା। ଭୋଇନଗରରେ ଯଦିଓ କାର୍ଯ୍ୟକ୍ରମ ପ୍ରସ୍ତୁତି ହେଉଥାଏ, କିନ୍ତୁ ଏହାର ପ୍ରସାରଣ ସେହି ନିରୁପମା ଆପାର୍ଟମେଣ୍ଟରୁ କରାଯାଉଥିଲା। ଏଥିପାଇଁ ଭୋଇନଗରରୁ ନିରୁପମା ଆପାର୍ଟମେଣ୍ଟ ଯାଏଁ ପ୍ରତିଦିନର କ୍ୟାସେଟ୍ ନେଇ ପହଞ୍ଚାଇବା ଲାଗି କେହି ନା କେହି ମୋଟର ସାଇକେଲ୍ ବା ଅନ୍ୟ କୌଣସି ଗାଡ଼ିରେ ଦୌଡୁଥାନ୍ତି। କ୍ୟାସେଟ୍ ନେବା କଥା କହିଲା ବେଳେ, ଆଉ ଗୋଟିଏ କଥା କୁହାଯାଇପାରେ ଯେ, ସେତେବେଳେ ଡିଜିଟାଲ୍ ଟ୍ରାନ୍ସମିସନର କୌଣସି ବ୍ୟବସ୍ଥା ନଥିଲା। ନା ସିଧାପ୍ରସାରଣ ଲାଗି କୌଣସି ବୈଷୟିକ ଜ୍ଞାନକୌଶଳ।

ସେଥିପାଇଁ ବୁଲେଟିନକୁ ପ୍ରଥମେ ରେକର୍ଡ କରାଯାଉଥିଲା ଏବଂ ପରେ ତାକୁ ଏଡିଟିଂ କରି ପ୍ରସାରଣ ପାଇଁ ପଠାଇ ଦିଆଯାଉଥିଲା। ତେଣୁ ସେ ସମୟରେ ଯେଉଁମାନେ କାମ କରିଛନ୍ତି, ସେମାନେ ଜାଣିଛନ୍ତି ଯେ ବୈଷୟିକ ଦୃଷ୍ଟିକୋଣରୁ କିଭଳି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡିଓ ଟେପ୍ ବ୍ୟବହାର କରି କାର୍ଯ୍ୟକ୍ରମ ରେକର୍ଡ, ଏଡିଟିଂ ଏବଂ ପ୍ରସାରଣ କରାଯାଇଛି। ସେହି ସମୟରେ ଇୟୁମାଟିକ୍, ବିଟା ଏବଂ ମିନି ଡିଭି କ୍ୟାସେଟ୍ ଓ ପରେ ପରେ ଡିଭିସି ପ୍ରୋ କ୍ୟାସେଟ୍ ବ୍ୟବହାର କରାଯାଇଛି। କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ଓଟିଭି ନିଜର ନ୍ୟୁଜ୍ ବୁଲେଟିନର ସିଡି ପ୍ରସ୍ତୁତ କରି ବିଭିନ୍ନ ଯାତ୍ରୀବାହୀ ବସ୍ ମାଧ୍ୟମରେ ଭିନ୍ନ ଭିନ୍ନ ସହରରେ ଥିବା କେବୁଲ ଅପରେଟରମାନଙ୍କ ନିକଟରେ ପହଞ୍ଚାଉଥିଲା। ଏହା ସେଠାରୁ ସେହି ସ୍ଥାନୀୟ ଦର୍ଶକମାନଙ୍କ ପାଇଁ ପ୍ରସାରଣ କରାଯାଉଥିଲା।

ଓଟିଭିର ପୂର୍ବତନ ବରିଷ୍ଠ ସାମ୍ବାଦିକ ଜୟନ୍ତ ଶେଠ୍ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ସାକ୍ଷାତକାର ନେବାବେଳେ

ସେତେବେଳେ ଓଟିଭିରେ କାମ କରୁଥିବା ବରିଷ୍ଠ ସାମ୍ବାଦିକ ଜୟନ୍ତ ଶେଠ୍ କହନ୍ତି, “ଆମେ ସମସ୍ତେ ଭିତ୍ତିଭୂମିର ଘୋର ଅଭାବ ଭିତରେ ବି କେମିତି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ, ସେହି କଳାଟି ଶିଖିପାରିଥିଲୁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ହ୍ୟାଣ୍ଡିକ୍ୟାମରେ ଯେତେବେଳେ ମିନି ଡିଭି କ୍ୟାସେଟ୍ ପୂରାଇ କୌଣସି ଅଫିସର କିମ୍ବା ମନ୍ତ୍ରୀଙ୍କ ନିକଟକୁ ବାଇଟ୍ କିମ୍ବା ଭିଜୁଆଲ ସୁଟିଂ ପାଇଁ ଯାଉଥିଲୁ, ସେତେବେଳେ ସେମାନେ ଆମକୁ ପାଖ ପୂରାଇ ଦେଉନଥିଲେ। ତାତ୍ସଲ୍ୟ କରୁଥିଲେ। ସେଥିପାଇଁ ବଡ଼ କ୍ୟାମେରା କିଣିବାକୁ ପଡ଼ିଥିଲା ଓଟିଭିକୁ। କିନ୍ତୁ ସେହି ସମୟରେ ଭିଡିଓ ପ୍ରଡକ୍ସନ ପାଇଁ ବ୍ୟବହାର କରାଯାଉଥିବା ସବୁ ପ୍ରକାର ଟେପ୍ ବ୍ୟବହାର କରିବା ଅଭିଜ୍ଞତା ମିଳିପାରିଥିଲା ଆମକୁ।”

ଭୁବନେଶ୍ୱର-କଟକ ଦ୍ୱୈତନଗରୀକୁ ନେଇ ସେତେବେଳେ ସେ ପ୍ରସ୍ତୁତ କରୁଥିଲେ ଏକ କାର୍ଯ୍ୟକ୍ରମ ଟ୍ୱିନ୍ ସିଟି ରାଉଣ୍ଡ ଅପ୍। ବିଶେଷ କରି ଉଭୟ ସହରର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଛୋଟ ମୋଟ ଘଟଣା ଏଥିରେ ସ୍ଥାନ ପାଉଥିଲା। ଉଭୟ ମହାନଗରରେ ଏହି ବୁଲେଟିନ୍ ହାସଲ କରିପାରିଥିଲା ବିଶେଷ ଲୋକପ୍ରିୟତା। ପରୀକ୍ଷଣ କିଭଳି ସମସ୍ୟାର ସମାଧାନ କରିପାରୁଥିଲା ତା’ର ଅନେକ ଉଦାହରଣ ଦେଖିବାକୁ ମିଳେ ଏଇଠି। ଏଇ ଯେମିତି ଟେଲିପ୍ରମ୍ପଟର। ସେତେବେଳେ ଓଟିଭି ନିକଟରେ ଟେଲିପ୍ରମ୍ପଟରର ବ୍ୟବସ୍ଥା ନଥିଲା। ତେବେ ଯୋଗାଡ଼ ଯନ୍ତ୍ର କରି କ୍ୟାମେରା ତଳକୁ ସାମ୍ନାରେ ଗୋଟିଏ ଆଟା ଢାବଲ ଭିତରେ ନ୍ୟୁଜ କପିର କାଗଜଗୁଡ଼ିକୁ ଗୁଡ଼ାଇ ଗୁଡ଼ାଇ ଏକ ରୋଲ୍ ପ୍ରସ୍ତୁତ କରାଯାଉଥିଲା। ତାକୁ ଧୀରେ ଧୀରେ ଘୂରାଇ ସେଥିରୁ ନ୍ୟୁଜ୍ ପଢୁଥିଲେ ଆଙ୍କରମାନେ। ସେତେବେଳେ ପଲ୍ଲବିନୀ ମିଶ୍ର ଏବଂ ବର୍ତ୍ତମାନର ଆଇଏଏସ୍ ଅଧିକାରୀ ରୁପା ମିଶ୍ର ବି ଓଟିଭିର ନ୍ୟୁଜ୍ ବୁଲେଟିନ୍ ପଢ଼ିଛନ୍ତି।

ଓଟିଭି କେବୁଲ ଚାନେଲ ଥିଲା ବେଳେ ହିଁ ଏହାପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଉପଲବ୍ଧି ଥିଲା ୧୯୯୯ ମହାବାତ୍ୟା ବେଳର ଦୃଶ୍ୟକୁ କ୍ୟାମେରାରେ କଏଦ୍ କରିବା। ବାତ୍ୟା ଏବଂ ବାତ୍ୟା ପରବର୍ତ୍ତୀ ଧ୍ୱଂସସ୍ତୁପ ଭିତରୁ ଜୀବନ ସନ୍ଧାନ କରୁଥିବା ମଣିଷମାନଙ୍କ ଚିତ୍ର ଉତ୍ତୋଳନ ପାଇଁ ପଙ୍କଜ ସାହୁ ଏବଂ ସଞ୍ଜୟ ମଲ୍ଲିକଙ୍କ ସମେତ ଓଟିଭିର ଅଧିକାଂଶ କର୍ମଚାରୀ ପ୍ରୟାସ କରିଛନ୍ତି। ମହାବାତ୍ୟା ସମ୍ପର୍କିତ ଓଟିଭିର ଅଧିକାଂଶ ଭିଜୁଆଲ ସେହି ସମୟରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବ୍ୟବହାର କରିଛନ୍ତି। ଏହାସହ କୋଡ଼ିଏ ଜଣଙ୍କଠାରୁ ସଂଗ୍ରହ ହୋଇଥିବା ଭିଜୁଆଲ ଓ ବାଇଟକୁ ନେଇ ଶେଷରେ ମହାବାତ୍ୟା ଉପରେ ପ୍ରସ୍ତୁତ ହୋଇଥିଲା ଏକ ବୃତ୍ତଚିତ୍ର – ନେଚର୍ସ ଫ୍ୟୁରି (Nature’s Furry). ଏହା ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିଲା।

କେବଳ ପ୍ରତିଦିନ ବୁଲେଟିନ୍ ନୁହେଁ, ଧୀରେ ଧୀରେ ଆଉ କିଛି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ଓଟିଭି। ଏଥିରେ ଥିଲା ଏକ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ହାର୍ଟ ଟୁ ହାର୍ଟ, ଇସ୍ୟୁ ଅଫ୍ ଦ ୱିକ୍, ଏଇ ସପ୍ତାହ, ମୁଭି ମାଜିକ୍ ଇତ୍ୟାଦି। ସମୟ କ୍ରମେ ଓଟିଭିର ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ତା’ ସାଙ୍ଗକୁ ବଢ଼ିଲା ଏହାକୁ ପରିଚାଳନା କରୁଥିବା ଓରଟେଲ କମ୍ୟୁନିକେଶନର ନେଟୱର୍କ। ଏହା ଦ୍ୱୈତନଗରୀରୁ ବାହାରକୁ ଯାଇ ରାଜ୍ୟର ଅନ୍ୟାନ୍ୟ ସହରରେ ନିଜର କେବୁଲ୍ ସେବା ଯୋଗାଇବାର ବ୍ୟବସ୍ଥା କଲା।

ଧୀରେ ଧୀରେ ମୂଳଦୁଆ ବଳିଷ୍ଠ ହେବା ପରେ ଏବଂ ପ୍ରାୟ ୯ ବର୍ଷ ଧରି କେବୁଲ ଚାନେଲ ରୂପେ ପ୍ରସାରଣ ସେବା ଯୋଗାଇବା ପରେ ଓଟିଭି ପାଲଟିଲା ଏକ ସାଟେଲାଇଟ୍ ଚାନେଲ୍। ତେବେ ସାଟେଲାଇଟ୍ ଚାନେଲ ହେବା ପୂର୍ବ ଯାଏଁ ସମସ୍ତେ ଥିଲେ ଓରଟେଲ କମ୍ୟୁନିକେସନର କର୍ମଚାରୀ। କିନ୍ତୁ ଏହା ସାଟେଲାଇଟ୍ ଚାନେଲରେ ପରିଣତ ହେବାର କିଛି ଦିନ ପୂର୍ବରୁ ଓଡ଼ିଶା ଟେଲିଭିଜନ ଲିମିଟେଡ୍ ନାମକ କମ୍ପାନି ପ୍ରତିଷ୍ଠା ହେଲା ଏବଂ ଏହା ଅଧୀନକୁ କର୍ମଚାରୀମାନେ ସ୍ଥାନାନ୍ତରିତ ହୋଇଥିଲେ। ତେବେ ମୂଳ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ବିଭିନ୍ନ ବ୍ୟବସ୍ଥାରେ କିଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ ଏବଂ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇ ହେବ, ତାହାର ଏକ ଜ୍ୱଳନ୍ତ ଉଦାହରଣ-ଓଟିଭି।

 (ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #ExperimentToSuccess  #Television #OTV #News

Comment