ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ଆଜି ତୈଳଦର ବୃଦ୍ଧିକୁ ନେଇ ବିଜେପି ଉପରେ ଦଳ ବର୍ଷିଛି। ବିଜେପି ବିକାଶର କଥା କହୁଛି କିନ୍ତୁ ଲୋକ ଏଠି ତୈଳଦର, ଗ୍ୟାସ ଦର ବୃଦ୍ଧି ଯୋଗୁଁ ହଇରାଣ ହେଉଛନ୍ତି। ଯେତେବେଳେ ଦେଶର ସାଧାରଣ ଜନତା ଭୋକିଲା ରହିବେ ସେତେବେଳେ ବିକାଶ ହୁଏନି ବୋଲି ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି।

ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଏନେଇ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୧ ତାରିଖରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହେବ।

ଏହାଛଡ଼ା ରବିବାର ଦଳ ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯିବ ଓ ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ପ୍ରମିଳା। ୫ରୁ ୭ ନଭେମ୍ବର ଯାଏଁ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି କାରଣରୁ ୧୪୭ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରାଯିବ।

କରୋନା କାଳରେ ଲୋକଙ୍କ ହାତରେ ରୋଜଗାର ନଥିବା ବେଳେ ଏଭଳି ଲଗାତାର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବେଶ ବାଧୁଛି। ଖାସକରି ପେଟ୍ରୋଲ, ଡିଜେଲ, ଏଲପିଜି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି କାରଣରୁ ସାଧାରଣ ଲୋକେ ବେଶ ହନ୍ତସନ୍ତ ହେଉଛନ୍ତି। ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଆଁ ଭାବେ ବୃଦ୍ଧି ପାଇଛି। ତେଣୁ ଲୋକଙ୍କ ପାଇଁ ବିଜେଡି ରାସ୍ତାକୁ ଓହ୍ଲାଇବ   ବୋଲି ବିଧାୟକ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

Comment