ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହଙ୍ଗାମା। ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ହେଲା ସାଇନ-ଏ-ଡାଏ। ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ। କ୍ୟାମ୍ପସରେ ଛାତ୍ର ବିଶୃଙ୍ଖଳା ଦେଖା ଦେବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ହଷ୍ଟେଲ ଖାଲି କରିବାକୁ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଛାତ୍ର ସଂସଦର ସାଧାରଣ ସମ୍ପାଦକ ପଦବୀ ପାଇଁ ଅଜିତ ସ୍ୱାଇଁ କରିଥିଲେ ପ୍ରାର୍ଥିପତ୍ର ଦାଖଲ। ହେଲେ ଯାଞ୍ଚ ବେଳେ ଅଜିତଙ୍କ ପ୍ରାର୍ଥିପତ୍ର ଖାରଜ ହୋଇ ଯାଇଥିଲା। ଏହାକୁ ନେଇ ଅଜିତଙ୍କ ସମର୍ଥକମାନେ କ୍ୟାମ୍ପସରେ ବିଶୃଙ୍ଖଳା ଆଚରଣ କରିଥିବା ଅଭିଯୋଗ ହୋଇଛି। ପିଜି କାଉନସିଲ ଚେୟାରମ୍ୟାନଙ୍କ ଅଫିସରେ ଉତ୍ତ୍ୟକ୍ତ ଛାତ୍ରମାନେ ଭଙ୍ଗାରୁଜା କରିବା ସହ ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀଙ୍କୁ ତାଲା ପକାଇ ଦେଇଥିଲେ। ଭିସିଙ୍କ ଅଫିସ ଆଗରେ ଟାୟାର ଜାଳି ଛାତ୍ରମାନେ ଧାରଣାରେ ବସିଥିଲେ।

କ୍ୟାମ୍ପସରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଥିଲା। ହେଲେ ଛାତ୍ର ବିଶୃଙ୍ଖଳା ଥମିବା ବଦଳରେ ଜୋରଦାର ହୋଇଥିଲା। ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତିରେ ଭିସିଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ହୋଇଥିଲା।

ପୂର୍ବରୁ ଭୁବନେଶ୍ୱର ଉତ୍କଳ, କଟକ ରେଭେନ୍ସା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଥିଲା।

Comment