ଓଡ଼ିଶାଲାଇଭ୍ ବ୍ୟୁରୋ
- ନିର୍ମାଣ ଶ୍ରମିକଙ୍କର ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
- ନିର୍ମାଣ ଶ୍ରମିକ ବୋର୍ଡ଼ ତରଫରୁ ଅଧ୍ୟନୟ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ
- ମୃତ୍ୟୁକାଳୀନ ସହାୟତା ରାଶି ୨ ଗୁଣା ବୃଦ୍ଧି
ଓଡ଼ିଶା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ‘ନିର୍ମାଣ କୁସୁମ’ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ଉଦ୍ଘାଟନୀ ସମାରୋହ ଶନିବାର ସ୍ଥାନୀୟ ଜୟଦେବ ଭବନରେ ପାଳିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି।
ଏହି ସମାରୋହରେ ଯୋଗ ଦେଇଥିବା ପ୍ରାୟ ୫ଶହରୁ ଅଧିକ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ସରକାରୀ ବୈଷୟିକ ଶିକ୍ଷା (ଆଇଟିଆଇ ଓ ଡିପ୍ଲୋମା) ଅନୁଷ୍ଠାନରେ ଆଇଟିଆଇ ଏବଂ ଡିପ୍ଲୋମା ଶିକ୍ଷା ପାଇଁ ଅଧ୍ୟୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ ବୋର୍ଡ଼ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଏହି ଯୋଜନା ଅନ୍ତର୍ଗତ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ପୁଅ-ଝିଅଙ୍କୁ ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକ୍ରେ ବୈଷୟିକ ଶିକ୍ଷା ନିମନ୍ତେ ଶତ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଏହି ଯୋଜନାରେ ଆଇଟିଆଇ ଶିକ୍ଷା ପାଇଁ ସର୍ବାଧିକ ୨୩,୬୦୦ ଟଙ୍କା ଏବଂ ଡିପ୍ଲୋମା ପାଇଁ ସର୍ବାଧିକ ୨୬,୩୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହାବ୍ୟତୀତ ୨୦୧୮-୧୯ ଶିକ୍ଷା ବର୍ଷ ନିମନ୍ତେ ୧,୮୭୮ ହିତାଧିକାରୀଙ୍କୁ ୧.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ସିଧାସଳଖ ଶିକ୍ଷାର୍ଥୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।
ଏହି ଅବସରରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ସ୍ୱାଭାବିକ ମୃତ୍ୟୁ ହେଲେ ମୃତ୍ୟୁକାଳୀନ ସହାୟତା ରାଶିକୁ ଏବେ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏହି ସମାରୋହରେ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ ପୌରୋହିତ୍ୟ କରିଥିବା ବେଳେ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଆଇଏଏସ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।