ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଥର ପୂଜା ବଜାରରେ ପରଦା ପଛରେ କେତେକ ନାମୀ ଓଲିଉଡ ନିର୍ଦ୍ଦେଶକଙ୍କ ଫିଲ୍ମ ରିଲିଜ୍ ନ ହେବାସହ ବିଶିଷ୍ଟ ସଙ୍ଗୀତକାରଙ୍କର ମଧ୍ୟ ଗୀତ ଶୁଣିବାକୁ ମିଳିବ ନାହିଁ। ଆସନ୍ତୁ ଜାଣିବା ସେମାନଙ୍କୁ…

ଏଥର ପୂଜା ବଜାରରେ କେବଳ ଗୋଟିଏ ପ୍ରଯୋଜନା ସଂସ୍ଥାର ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଥିବା ଜଣାଯାଇଛି। ଏହି ପ୍ରଯୋଜନା ସଂସ୍ଥା ହେଲା ତରଙ୍ଗ ସିନେ ପ୍ରଡକ୍ସନ୍ସ। ହେଲେ ଏଥର ଦଶହରାରେ ସୀତାରାମ ଅଗ୍ରୱାଲ, ଅକ୍ଷୟ କୁମାର ପରିଜା ଓ ବିଜୟ କନ୍ଦୋଇଙ୍କ ପରି ନାମୀ ନିର୍ମାତାଙ୍କର କୌଣସି ଓଡ଼ିଆ ସିନେମା ରିଲିଜ୍‌ ହେଉନାହିଁ।

ଗତ କିଛି ବର୍ଷର ପୂଜା ରିଲିଜ୍‌କୁ ଲକ୍ଷ୍ୟ କଲେ ଅଧିକାଂଶ ବର୍ଷ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କର ଫିଲ୍ମ ପରଦାକୁ ଆସିଥାଏ। ଗତବର୍ଷ ପୂଜା ବଜାରରେ ସୁଧାଂଶୁଙ୍କ ‘ଶିବା ନଟ୍ ଆଉଟ୍’, ‘ଭଲ ପାଏ ତତେ ୧୦୦ରୁ ୧୦୦’, ୨୦୧୩ରେ ମୁଁ ରାଜା ତୁ ରାଣୀ, ୨୦୧୨ରେ ପର୍ଶୁରାମ ଆଦି ସିନେମା ରିଲିଜ୍ ହୋଇଥିଲା। ହେଲେ ଏ ବର୍ଷ ତାଙ୍କ ନିର୍ଦ୍ଦେଶିତ କୌଣସି ସିନେମା ପୂଜା ବଜାରରେ ରିଲିଜ୍‌ ହେଉନାହିଁ।

ଠିକ୍ ସେହିପରି ଓଲିଉଡର ଅନ୍ୟତମ ଚର୍ଚ୍ଚିତ ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କର କୌଣସି ସିନେମା ବି ଏଥର ନାହିଁ ପୂଜା ବଜାରରେ। ଗତବର୍ଷ ପୂଜା ବଜାରରେ ନିର୍ଦ୍ଦେଶକ ରମେଶ ରାଉତଙ୍କ ‘କାବୁଲା ବାରବୁଲା’ ମୁକ୍ତିଲାଭ କରିଥିଲା। ହେଲେ ଏଥର ତାଙ୍କ ହାତ ଖାଲି।

୨୦୧୬ ପୂଜା ବଜାରରେ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ‘ଛାତି ତଳେ ଡିଂ ଡଙ୍ଗ୍’ ରିଲିଜ୍ ହୋଇଥିଲା। କିନ୍ତୁ ୨୦୧୭ ଭଳି ୨୦୧୮ରେ ବି ତାଙ୍କର କୌଣସି ସିନେମା ପୂଜାରେ ରିଲିଜ୍‌ ହେଉନାହିଁ।

୨୦୧୫ ପୂଜା ବଜାରରେ ରିଲିଜ୍‌ ହୋଇଥିବା ‘ଜଗା ହାତରେ ପଘା’, ୨୦୧୬ ପୂଜା ବଜାରରେ ‘ବେବି’ ଭଳି ସିନେମାର ନିର୍ଦ୍ଦେଶକ କେ. ମୂରଲୀ କ୍ରିଷ୍ଣାଙ୍କ ଅବସ୍ଥା ସେଇୟା। ଏଥର ପୂଜା ବଜାରରେ ତାଙ୍କ ନିର୍ଦ୍ଦେଶିତ ସିନେମା ଆସୁନାହିଁ। ଏତଦ୍‌ ବ୍ୟତୀତ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଦିଲୀପ ପଣ୍ଡା, ବସନ୍ତ ସାହୁ, ଏସ୍. କେ. ମୁରଲୀଧରନ୍, ସୁଧାକର ବସନ୍ତ, ସଞ୍ଜୟ ନାୟକ ପ୍ରମୁଖଙ୍କର କୌଣସି ଫିଲ୍ମ ପୂଜା ଅବସରରେ ରିଲିଜ୍‌ ହେଉନାହିଁ।

ସଙ୍ଗୀତ ନିର୍ଦ୍ଦେଶକ

ଓଲିଉଡର କେତେ ଜଣ ସଙ୍ଗୀତ ନିର୍ଦ୍ଦେଶକଙ୍କ ସ୍ୱର ବି ଶୁଣିବାକୁ ମିଳୁନାହିଁ ଏଥର ଦଶହରା ସିନେମାରେ। ଏମାନଙ୍କ ମଧ୍ୟରେ ଅଛନ୍ତି ମଳୟ ମିଶ୍ର, ବିକାଶ ଦାସ, ବୈଦ୍ୟନାଥ ଦାସ ଓ ମନ୍ମଥ ମିଶ୍ରଙ୍କ ପରି ଜଣାଶୁଣା ସଙ୍ଗୀତକାର। ଗତବର୍ଷ ପୂଜାରେ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶିତ କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରିନଥିଲା, ହେଲେ ୨୦୧୬ରେ ତାଙ୍କ ଫିଲ୍ମ ‘ଛାତି ତଳେ ଡିଂ ଡଙ୍ଗ’ଓ ‘ତୋର ଦିନେକୁ ମୋର ଦିନେ’ ରିଲିଜ୍‌ ହୋଇଥିଲା।

୨୦୧୪ରେ ‘ପାଗଳ କରିଚୁ ତୁ ‘ ଓ ୨୦୧୫ରେ ‘ଭଲ ପାଏ ତତେ ୧୦୦ରୁ ୧୦୦’ ସିନେମା ପୂଜା ବଜାରକୁ ଆସିଥିଲା, ଯାହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବିକାଶ ଦାସ। ଏବେ ଓଲିଉଡର ସବୁଠାରୁ ବ୍ୟସ୍ତ ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାସ, କିନ୍ତୁ ତାଙ୍କର କୌଣସି ଫିଲ୍ମ ପୂଜାକୁ ଆସୁନାହିଁ।

ସଂଳାପ ଲେଖକ

ଓଲିଉଡର କେତେକ ଜଣାଶୁଣା ସଂଳାପ ଲେଖଖ ଲେଖିଥିବା ସଂଳାପ ବି ଶୁଣିବାକୁ ମିଳିବ ନାହିଁ ଏଥରର ପୂଜା ସିନେମାଗୁଡ଼ିକରେ। ଏଥି ମଧ୍ୟରେ ଅଛନ୍ତି ରଜନୀ ରଞ୍ଜନ। ସେ ୫୦ରୁ ଅଧିକ ସିନେମାରେ ସଂଳାପ ଲେଖିସାରିଛନ୍ତି ଓ ଏବେ ତାଙ୍କର ପ୍ରାୟ ଅଧଡଜନ ନୂଆ ଓଡ଼ିଆ ସିନେମା ଅଛି, କିନ୍ତୁ ସେଥିମଧ୍ୟରୁ କୌଣସି ପୂଜା ବଜାରକୁ ଆସୁନଥିବା ଜଣାଯାଇଛି।

ଠିକ୍ ସେହିପରି ବିଜୟ ମଲ୍ଲ, ଡକ୍ତର ନିର୍ମଳ ନାୟକ, ଚିନ୍ମୟ ଦାସ ପଟ୍ଟନାୟକ ଓ ଦିଲୀପ ଚୌଧୁରୀଙ୍କ ଭଳି ଲୋକପ୍ରିୟ ସଂଳାପକାରୀଙ୍କର ବି କୌଣସି ସିନେମା ନାହିଁ ଏଥର ପୂଜାରେ।

Comment