ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ୍-୨’ ନିର୍ମାଣ କରୁଛନ୍ତି। ହେଲେ ‘ସଡ଼କ୍’ର ମହାରାନୀ ଚରିତ୍ର କେଉଁଠୁ ଆସିଥିଲା ଜାଣନ୍ତି କି? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ…

ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟ ଏବେ ପୁଣି ନିର୍ଦ୍ଦେଶନା କ୍ଷେତ୍ରକୁ ଫେରୁଛନ୍ତି। ପ୍ରାୟ ୧୯ ବର୍ଷ ପରେ ସେ ପୁଣି ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଫିଲ୍ମର ଟାଇଟଲ ହେଲା ‘ସଡ଼କ୍-୨’। କୁହାଯାଉଛି ଯେ, ମହେଶ ଭଟ୍ଟ ଚାହୁଁନଥିଲେ ନିର୍ଦ୍ଦେଶନାକୁ ଫେରିବା ଲାଗି, ମାତ୍ର ଦୁଇ ଝିଅ ପୂଜା ଓ ଆଲିଆ ତାଙ୍କୁ ଏଥିପାଇଁ ମନାଇବାରେ ସକ୍ଷମ ହୋଇଛନ୍ତି।

୧୯୯୧ର ବ୍ଲକବଷ୍ଟର ଫିଲ୍ମ ‘ସଡ଼କ୍‌’ ହେଉଛି ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କର ଏକ ସ୍ମରଣୀୟ କୃତି। ଏହାର କାହାଣୀ, ସଂଳାପ ସଙ୍ଗୀତ ଓ ଅଭିନୟ ସବୁ ମନେ ରଖିବା ଭଳି ଥିଲା। ବିଶେଷ କରି ‘ସଡ଼କ’ ଫିଲ୍ମର ଖଳନାୟକ ‘ମହାରାନୀ’ ଭୂମିକାକୁ ଆଜିଯାଏଁ ଦର୍ଶକ ଭୁଲି ପାରିନାହାନ୍ତି।

ଏଥିରେ ମହାରାନୀ ଭୂମିକା ନିଭାଇଥିଲେ ଜଣାଶୁଣା ଅଭିନେତା ସଦାଶିବ ଅମ୍ରପୁରକର। ଏହି ଭୂମିକା ଲାଗି ସଦାଶିବ ତାଙ୍କ କ୍ୟାରିଅରର ପ୍ରଥମ ଓ ଅନ୍ତିମ ‘ଫିଲ୍ମ ଫେଆର ଆୱାର୍ଡ’ ପାଇଥିଲେ। ଖାଲି ସେତିକି ନୁହେଁ, ଫିଲ୍ମ ଫେଆର୍ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା, ଯେବେ ଖଳନାୟକ ଭୂମିକା ଲାଗି ପୁରସ୍କାର ଦିଆଯାଇଥିଲା, ସଦାଶିବ ଅମ୍ରପୁରକର ଯେତେ ଚରିତ୍ର ପରଦାରେ ନିଭାଇଛନ୍ତି, ସେଥିରୁ ସବୁଠାରୁ ଆଗରେ ରହିଛି ‘ସଡ଼କ’ର ମହାରାନୀ ଭୂମିକା।

ହେଲେ ଆପଣ ଜାଣନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ମନକୁ ଏହି ଭୂମିକାଟି କିପରି ଆସିଥିଲା? ସେତେବେଳେ ମହେଶ ଭଟ୍ଟ ‘ସଡ଼କ୍‌’ର କାହାଣୀ ପ୍ରସ୍ତୁତ କରିଥିଲେ। ସେହି ସମୟରେ ଦିନେ ସଞ୍ଜୟ ଦତ୍ତ ଆସି ତାଙ୍କୁ କହିଲେ ଯେ, ସେ ଡ୍ରଗ୍ସ ସେବନ କରୁଥିବା ବେଳେ ବସ୍ତିରେ ଜଣେ କିନ୍ନର ଆସି ଉତ୍ପାଦ କରୁଥିଲା। ଲୋକେ ବି ତାଙ୍କୁ ଡରୁଥିଲେ।

ସେହିଠାରୁ ମହେଶ ଭଟ୍ଟ ନିଜ ସିନେମାରେ ଜଣେ କିନ୍ନର ଖଳନାୟକ ଭୂମିକା ରଖିବାର ନିଷ୍ପତ୍ତି ନେଇଥିଲେ। ଏହି ଭୂମିକା ପାଇଁ ସେ ମନୋନୀତ କରିଥିଲେ ସଦାଶିବ ଅମ୍ରପୁରକରଙ୍କୁ। ଆଉ ସଦାଶିବ ବି ଜଣେ କ୍ରୁର କିନ୍ନର ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିଲେ।

‘ସଡ଼କ’ରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ମେନ୍ ଲିଡ୍‌ରେ ଥିଲେ। ନିର୍ଦ୍ଦେଶକ ମହେଶ ଭଟ୍ଟ ନିକଟରେ ତାଙ୍କ ଜନ୍ମ ଦିନ ସେଲିବ୍ରେଟ୍‌ କରିଛନ୍ତି। ଏହି ଅବସରରେ ସେ ନିଜ ଆଗାମୀ ଫିଲ୍ମ ‘ସଡ଼କ୍-୨’ର ଏଣ୍ଟାୟାର କାଷ୍ଟଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁର ପ୍ରମୁଖ ଯୋଗ ଦେଇଥିଲେ।

‘ସଡ଼କ-୨’କୁ ନେଇ ସଞ୍ଜୟ ଦତ୍ତ ଯେତିକି ଉତ୍ସାହିତ ଅଛନ୍ତି ଆଲିଆ ସେତିକି ଉତ୍ସାହିତ। ସଞ୍ଜୁବାବା ଦୀର୍ଘ ବର୍ଷ ପରେ ମହେଶ ଭଟ୍ଟଙ୍କ ସହ କାମ କରୁଥିବା ହେତୁ ଖୁବ୍ ଖୁସି ଅଛନ୍ତି। ଅପରପକ୍ଷରେ ପ୍ରଥମ ଥର ପାଇଁ ପିତାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ ଆଲିଆ କାମ କରିଥିବା ହେତୁ ଉଲ୍ଲସିତ ଅଛନ୍ତି।

ତାଙ୍କ ଅଭିନୀତ ‘ଆଶିକୀ’ର ସିକ୍ୱେଲ, ‘ଆଶିକୀ-୨’ ସୁପରହିଟ୍ ହୋଇଥିବା ହେତୁ ସେ ‘ସଡ଼କ୍-୨’ର ସଫଳତା ନେଇ ଆଶ୍ୱସ୍ତ ଅଛନ୍ତି ଆଦିତ୍ୟ ରୟ କପୁର। ତା’ଛଡ଼ା ଏହା ଏକ ବିଗ୍ ବ୍ୟାନର ଓ ବିଗ୍ ଡିରେକ୍ଟରଙ୍କ ଫିଲ୍ମ ହୋଇଥିବା ହେତୁ ଖୁସି ଅଛନ୍ତି ଆଦିତ୍ୟ। ତେଣେ ବହୁଦିନ ପରେ ପରଦାକୁ ଫେରୁଥିବା ଯୋଗୁଁ ପୂଜା ଭଟ୍ଟ ଉତ୍ସାହିତ ଅଛନ୍ତି।

Comment