ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ହାତରେ ଖଡ଼ି, ସିଲଟ ଧରି ପିଲାମାନେ ପଢୁଛନ୍ତି ଓଡ଼ିଆ ପାଠ। ଓଡ଼ିଆ ବର୍ଣ୍ଣମାଳା, ପଣିକିଆ ଏବଂ ତା’ସାଙ୍ଗକୁ ପିଲାମାନଙ୍କୁ ଶିଖାଯାଉଛି ଓଡ଼ିଆରେ କଥାବର୍ତ୍ତା। ଓଡ଼ିଶାରେ ଥିବା କୌଣସି ସ୍କୁଲରେ ନୁହେଁ, ଏହା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ। ବିଶାଖାପାଟଣା ସହରରେ ବସବାସ କରୁଥିବା ଓଡ଼ିଆମାନେ ନିଜ ପିଲାମାନଙ୍କୁ ମାତୃଭାଷା ଶିଖାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଓଡ଼ିଶାରୁ ଏମାନେ ଦୂରରେ ରହୁଥିଲେ ମଧ୍ୟ ମାତୃଭୂମୀ ଓ ମାତୃଭାଷା ପ୍ରତି ମମତା କମିନି। ନିଜ ପିଲାମାନଙ୍କୁ ଓଡ଼ିଆ ଶିଖାଇବା ପାଇଁ ଆରମ୍ଭ କରିଛନ୍ତି ନୂତନ ପ୍ରୟାସ। ଏଥିପାଇଁ ଅଗେଇ ଆସିଛନ୍ତି ବିଶାଖାପଟଣାସ୍ଥିତ ଉତ୍କଳ ଯୁବ ସମାଜ।
ବିଶାଖାପାଟଣା ଆଲିପୁରମ ନିକଟରେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ପ୍ରାୟ ୨୫୦ ଓଡ଼ିଆ ପରିବାର ରହିଆସୁଛନ୍ତି। ଜୀବିକା ନିର୍ବାହ ପାଇଁ ଏମାନଙ୍କ ପୂର୍ବଜମାନେ ସପରିବାର ଓଡ଼ିଶାରୁ ବିଶାଖାପାଟଣା ଆସି ଆଲିପୁରମଠାରେ ରହି ଆସୁଛନ୍ତି।
ଏଠାରେ ଓଡ଼ିଆ ସ୍କୁଲର ଅଭାବ ଯୋଗୁଁ ପିଲାମାନେ ଇଂରାଜୀ ଓ ତେଲୁଗୁ ମାଧ୍ୟମରେ ପାଠ ପଢୁଛନ୍ତି। ଫଳରେ ପିଲାମାନେ ମାତୃଭାଷା ଓଡ଼ିଆଠାରୁ ଦୂରେଇ ଯିବା ସହ ନିଜ ମାତୃଭାଷାରେ କଥା ବି କହିପାରୁନାହାନ୍ତି। ଏଣୁ ଆଗାମୀ ପିଢ଼ିର ପିଲାଙ୍କ ମଧ୍ୟରେ ନିଜର ମାତୃଭାଷା ପ୍ରତି ସଚେତନ କରିବା ସହ ସେମାନଙ୍କୁ ଓଡ଼ିଆ ଲେଖିବା, ପଢ଼ିବା ଓ କହିବା ଦିଗରେ ସୁଦୃଢ କରିବା ପାଇଁ ଆଲିପୁରମର ଉତ୍କଳ ଯୁବ ସେବା ସମାଜ ଆଗେଇ ଆସିଛି।
ନିଜ ଅଞ୍ଚଳର ପିଲାଙ୍କୁ ନେଇ ପ୍ରତି ରବିବାର ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ‘ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ଶିକ୍ଷା ପ୍ରଦାନ କରୁଛନ୍ତି।
ଏହି କାର୍ଯ୍ୟକ୍ରମ ଉତ୍କଳ ଯୁବ ସେବା ସମାଜର ଦ୍ୱାରା ନିର୍ମିତ ଗୋଟିଏ କୋଠଘରେ ଆୟୋଜନ କରାଯାଉଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ସ୍ଥାନୀୟ କିଛି ଶିକ୍ଷିତ ଯୁବକ ଓ ଯୁବତୀ ଆଗେଇ ଆସିଛନ୍ତି। ଛୋଟ ପିଲା ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଓଡ଼ିଆ ଭାଷାରେ ଲେଖାପଢ଼ା ପାଇଁ ଶିକ୍ଷାଦାନ କରାଯାଉଛି।
ଗତ ୨ ସପ୍ତାହ ଧରି ଆୟୋଜନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସ୍ଥାନୀୟ ୬୦ ଜଣ ଅଭିଭାବକ ନିଜ ପିଲାଙ୍କ ମଧ୍ୟରେ ମାତୃଭାଷାର ଉନ୍ନତି ପାଇଁ ଆଗେଇ ଆସିଛନ୍ତି।
“ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଏହି ଶିକ୍ଷା ପାଇଁ ପିଲାଙ୍କଠାରୁ କୌଣସି ପାଉଣା ନିଆଯାଉ ନାହିଁ। ବିନାମୂଲ୍ୟରେ ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ଦିଆଯାଉଛି”, କହିଛନ୍ତି ଉତ୍କଳ ଯୁବ ସେବା ସମାଜର ଉପ-ସଭାପତି ପ୍ରବୀଣ କୁମାର ମହାନ୍ତି।
ଓଡିଶା ସରକାରଙ୍କ ତରଫରୁ ଓଡ଼ିଆ ବର୍ଣ୍ଣମାଳା ସହ ଅନ୍ୟ କିଛି ପାଠ୍ୟପୁସ୍ତକ ପ୍ରଦାନ କରାଗଲେ ଓଡ଼ିଆ ଭାଷାର ଉନ୍ନତି ଦିଗରେ ଆୟୋଜିତ କାର୍ଯ୍ୟକ୍ରମଟି ଆହୁରି ଉନ୍ନତି ପଥରେ ଅଗ୍ରସର ହୋଇପାରନ୍ତା ପ୍ରବୀଣ କହିଛନ୍ତି।


















