ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ।

ପୁରୀ ହିଂସାକାଣ୍ଡ ଏବଂ ଭଙ୍ଗାରୁଜା ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଆଜି ୪ ଜଣ କନଷ୍ଟେବଳ ଏବଂ ଜଣେ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି।

ପୁରୀ ହିଂସାକାଣ୍ଡ ବେଳେ ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଆନ୍ଦୋଳନକାରୀମାନେ ଭଙ୍ଗାରୁଜା କରିଥିଲେ। ହେଲେ ପୋଲିସ ସୁରକ୍ଷା ଦେଇପାରି ନଥିଲା। ସିସିଟିଭି ଫୁଟେଜ ଯାଞ୍ଚ ପରେ କର୍ତ୍ତ୍ୟବ୍ୟରେ ଅବହେଳା ଅଭିଯୋଗ ଆଣି ପୁରୀ ଏସ୍‌ପି ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏପଟେ ୧୫ ଜଣ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଏସ୍‌ପି କହିଛନ୍ତି।

ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ଦଇତାପତି ବିନାୟକ ଦାସ ମହାପାତ୍ର, ସୋମନାଥ ଖୁଣ୍ଟିଆ, ଭବାନୀ ଦାସମହାପାତ୍ର, ଦାମୋଦର ଦାସ ମହାପାତ୍ର, ଦାମୋଦର ମହାସୁଆର, ଗୋପାଳ ପଣ୍ଡା, ପ୍ରସନ୍ନ ଦାସ ପ୍ରମୁଖଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଏସ୍‌ପି କହିଛନ୍ତି, “ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ୪୭ ଜଣ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ।”

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର ୪ ତାରିଖରେ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ବେଳେ ହିଂସାକାଣ୍ଡ ଦେଖାଦେଇଥିଲା।

ଆନ୍ଦୋଳନକାରୀମାନେ ଶ୍ରଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ପୁରୀ ଏସ୍‌ପି ଏବଂ ରାଜସ୍ୱମନ୍ତ୍ରୀଙ୍କ ବାସଭବନକୁ ଢେଲା ମାଡ଼ କରିଥିଲେ। ବଡ଼ଦାଣ୍ଡରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ପୋଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଯାଇ ଲାଠି ମାଡ଼ କରିଥିଲା। ଲୁହ ବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ କରିଥିଲା। ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ବଡ଼ଦାଣ୍ଡରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା।

Comment