ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନୁଭବ ଏବଂ ଅରିନ୍ଦମଙ୍କ ପରେ ବଙ୍ଗଳା ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି ଓଲିଉଡ ସୋବର ବୟ ସବ୍ୟସାଚୀ।

ଓଲିଉଡର ସୋବର ବୟ ସବ୍ୟସାଚୀ ଏବେ ଏକ ବଙ୍ଗଳା ସିନେମାରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିନେମାର ଟାଇଟଲ ହେଲା ‘ରକ୍ତୋମୁଖୀ ନୀଲା’। ବଙ୍ଗଳା ଔପନାସିକ ଆଦିତ୍ୟ ନାଥ ମୁଖାର୍ଜୀଙ୍କ ଉପନ୍ୟାସ ‘ଟାକାର ରଙ୍ଗ ଲାଲ୍’ ଉପରେ ଏହି ସିନେମାର କାହାଣୀ ଆଧାରିତ ବୋଲି କୁହାଯାଉଛି। ଏହି ବଙ୍ଗଳା ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଜୟଦୀପ ମୁଖୋପାଧ୍ୟାୟ। ସେ ବଙ୍ଗଳା ଫିଲ୍ମର ଜଣେ ସମ୍ପାଦକ ଭାବେ ବେଶ୍ ପରିଚିତ।

‘ରକ୍ତୋମୁଖୀ ନୀଲା’ରେ ସବ୍ୟସାଚୀଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ ବୋଲି ଜଣାଯାଇଛି। ଏଥିରେ ଜଣେ ବଙ୍ଗଳା ଓ ଆଉ ଜଣେ ବଙ୍ଗଳା ଦେଶୀ ନାୟିକାଙ୍କୁ ନିଆଯାଇଥିବା ଜଣାଯାଇଛି। ଏହି ସିନେମାରେ ହିନ୍ଦୀ ଓ ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତା ରାଜେଶ ଶର୍ମାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଏହା ସବ୍ୟସାଚୀଙ୍କର ପ୍ରଥମ ବଙ୍ଗଳା ସିନେମା। କୁହାଯାଉଛି ଯେ ଏହା ବଙ୍ଗଳା ଓ ବାଂଲାଦେଶୀ ଭାଷା ସହିତ ଓଡ଼ିଆରେ ରିଲିଜ୍‌ ହେବ। ଇତିମଧ୍ୟରେ ଓଡ଼ିଶାର ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ କେତେକ ସ୍ଥାନରେ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଶେଷ ହୋଇଛି। ଏହାର କେତେକ ଅଂଶ ସୁଟିଂ ବାଂଲାଦେଶରେ ମଧ୍ୟ କରାଯିବାର ଯୋଜନା ରହିଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଖ୍ୟାତନାମା ବଲିଉଡ କମ୍ପୋଜର ରାଜେଶ ରୋଶନ୍‌।

ସବ୍ୟସାଚୀଙ୍କ ପୂର୍ବରୁ ଅନୁଭବ ମହାନ୍ତି ଏବଂ ଅରିନ୍ଦମ ରାୟ  ମଧ୍ୟ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ।

ଅନୁଭବ ମହାନ୍ତି:- ଓଲିଉଡର ଆଗଧାଡ଼ିର ନାୟକ ଅନୁଭବ ମହାନ୍ତି କେତୋଟି ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି। ଅନୁଭବଙ୍କ ଅଭିନୀତ ପ୍ରଥମ ବଙ୍ଗଳା ସିନେମା ହେଲା ‘ସାଥୀ ଆମାର’। ୨୦୦୫ରେ ରିଲିଜ୍‌ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ରାୟ। ଏଥିରେ ପ୍ରସେନଜିତ୍‌ ଓ  ରଚନା ବାନାର୍ଜୀଙ୍କ ସହିତ ଅନୁଭବ ନଜର ଆସିଥିଲେ।

ଏହାପରେ ଅନୁଭବଙ୍କୁ ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳା ସିନେମା ‘ଖଳନାୟକ’ରେ ବି ଦେଖିବାକୁ ମିଳିଥିଲା। ରତନ ଅଧିକାରୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ତାପସ ପାଲ୍ ଓ ରଚନା ବାନାର୍ଜୀ ନଜର ଆସିଥିଲେ। ଏତଦ୍ ବ୍ୟତୀତ ୨୦୦୬ର ରୋମାଣ୍ଟିକ ବଙ୍ଗଳା ସିନେମା ‘ଏରି ନାମ୍ ପ୍ରେମ୍‌’ ରେ ଅନୁଭବ ନାୟକ ଭୂମିକାରେ ଅଭିନୟ କରିଥିଲେ। ଏଥିରେ କୋୟଲ ମଲ୍ଲିକ ନାୟିକା ସାଜିଥିଲା। ସୁଜିତ ଗୁହା ଏହାର ନିର୍ଦ୍ଦେଶକ। ସେହି ବର୍ଷ ‘ଜୀବନ ସାଥୀ’ ଟାଇଟଲ୍‌ରେ ନିର୍ମିତ ଅନ୍ୟ ଏକ ବଙ୍ଗଳା ସିନେମାରେ ବି ନିଜର ଆସିଥିଲେ ଅନୁଭବ। ଏହାର ନିର୍ଦ୍ଦେଶକ ଥିଲେ ଶଙ୍କର ରାୟ।

ଠିକ୍ ସେହିପରି ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଦ୍ୱିଭାଷୀ ଓଡ଼ିଆ-ବଙ୍ଗଳା ସିନେମା ‘କାଳୀ ଶଙ୍କର’ର ଉଭୟ ଭର୍ସନରେ ଅନୁଭବ ଅଭିନୟ କରିଥିଲେ। ଏହାର ବଙ୍ଗଳା ଭର୍ସନରେ ସେ ପ୍ରସେନଜିତ୍, ଅନୁ ଚୌଧୁରୀ ଓ ସ୍ୱସ୍ତିକା ମୁଖାର୍ଜୀଙ୍କ ସହ ନଜର ଆସିଥିଲେ। ଏହା ୨୦୦୭ରେ ରିଲିଜ୍‌ ହୋଇଥିଲା। ଅର୍ଥାତ୍‌ ପ୍ରାୟ ୧୧ ବର୍ଷ ହେବ କୌଣସି ବଙ୍ଗଳା ସିନେମାରେ ଅଭିନୟ କରିନାହାନ୍ତି ଅନୁଭବ।

ଅରିନ୍ଦମ:- ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟୟକ ଅରିନ୍ଦମ ମଧ୍ୟ ବଙ୍ଗଳା ସିନେମାରେ ନାୟକ ଭୂମିକା ନିଭାଇଛନ୍ତି। ସେ ଅବଶ୍ୟ ଇଣ୍ଡଷ୍ଟ୍ରୀରେ ଋଷି ନାଆଁରେ ପରିଚିତ। ୨୦୦୮ରେ ଅରିନ୍ଦମ୍‌ଙ୍କୁ ତିନିଟି ବଙ୍ଗଳା ସିନେମାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଗୁଡ଼ିକ ହେଲା ସ୍ୱପନ ଶାହାଙ୍କ ନିର୍ଦ୍ଦେଶିତ ‘ଟକ୍‌କର’, ‘ଓଲଟ ପାଲଟ୍’ ଓ ନିରଞ୍ଜନ ବାନାର୍ଜୀଙ୍କ ‘ତୋମାର୍ ଜୋନ୍ୟୋ’। ଏହା ପରେ ସେ ଆଉ ବଙ୍ଗଳା ଫିଲ୍ମରେ କାମ କରିନାହାନ୍ତି। ଅର୍ଥାତ୍‌ ପ୍ରାୟ ୧୦ ବର୍ଷ ହେବ ବଙ୍ଗଳା ଫିଲ୍ମରେ ହିରୋ ବନି ନାହାନ୍ତି ଅରିନ୍ଦମ ରାୟ।

Comment