ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପବିତ୍ର ମହାଳୟା। ପୁରୀ ଏବଂ ଭୁବନେଶ୍ୱରରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଭୁବନେଶ୍ୱର ବିନ୍ଦୁ ସାଗର ଏବଂ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କରି ପୂଣ୍ୟ ଅର୍ଜନ କରିଛନ୍ତି ଲୋକେ।

ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ମହାଳୟା ଅମାବାସ୍ୟା ପଡ଼ିଥାଏ। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଆର୍ଶିବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଆଜି ମହାଳୟା ଅମାବାସ୍ୟା ଥିବାରୁ ପୁରୀ ଏବଂ ଭୁବନେଶ୍ୱରକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଛୁଟି ଆସିଥିଲେ।

ଆଜି ସକାଳୁ ପୁରୀ ଏବଂ ଭୁବନେଶ୍ୱରସ୍ଥିତ ବିନ୍ଦୁ ସାଗର ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ପୁରୀରେ ମହାପ୍ରଭୁ ଜଗନ୍ନାଥ, ଭୁବନେଶ୍ୱରରେ ଲିଙ୍ଗରାଜଙ୍କୁ ଦର୍ଶନ କରି ବ୍ରାହ୍ମଣମାନଙ୍କ ପାଖରେ ବସି ଲୋକେ ପିଣ୍ଡଦାନ କରିଥିଲେ।

ଆଉ କିଛି ଲୋକେ ନିଜ ଘରେ ମଧ୍ୟ ବ୍ରାହ୍ମଣଙ୍କୁ ଡାକି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି। ବ୍ରାହ୍ମଣ ଭୋଜନ ଏବଂ ଦାନ ଦକ୍ଷିଣା ଦେଇ ପୂଣ୍ୟ ଅର୍ଜନ କରିଛନ୍ତି।

ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖି ବେଶ ଅନୁଷ୍ଠିତ ହୋଇଛି।

Comment