ଓଡ଼ିଶାଲାଇଭ୍ ବ୍ୟୁରୋ

- ଦକ୍ଷିଣ ଓଡ଼ିଶାରେ ଆଜି ରାତିରୁ ବର୍ଷା
- ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷା
- ୧୦୦ରୁ ୧୧୦ କିଲୋମିଟର ବେଗରେ ବହିପାରେ ପବନ
- ଆବଶ୍ୟକସ୍ଥଳେ ପବନର ବେଗ ବଢ଼ିପାରେ
କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଭୟଙ୍କର ରୂପ ନେଉଛି। ଉଗ୍ରରୂପ ଧାରଣ କରି ବାତ୍ୟା ତିତ୍ଲି ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ୧୧ ତାରିଖ ସକାଳେ ଏହା ଆନ୍ଧ୍ରର କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।
ବାତ୍ୟା ତିତ୍ଲି ପ୍ରଭାବରେ ଆଜି ରାତିରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ଏବଂ ୧୧ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପବନର ବେଗ ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ରହିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ବଢ଼ିପାରେ।
ଆଇଏମ୍ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ଗୋପାଳପୁରଠାରୁ ୫୩୦ କିଲୋମିଟର ଦୂରରେ ରହିଛି ତିତ୍ଲି। ଏହାର ପ୍ରଭାବରେ ଆଜି ରାତିରୁ ବର୍ଷା ଆରମ୍ଭ ହେବ। ୧୦ ଓ ୧୧ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ରହିବ।”
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଲର୍ଟ ଜାରୀ କରିଛନ୍ତି। କଟକ ମୁଣ୍ଡଳୀ ୟୁନିଟରୁ ୬ଟି ଏନଡିଆର୍ଏଫ୍ ଟିମ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ପୁରୀ, କେନ୍ଦ୍ରାପଡ଼ା, ଗଜପତି, ଯାଜପୁର, ଭଦ୍ରକ, ନୟାଗଡ଼କୁ ଏହି ଟିମ୍ ଯାଇଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ୍ରାଫ୍ ଟିମ୍କୁ ସରକାର ସଜାଗ ରଖିଛନ୍ତି। ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରହିଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ଗଞ୍ଜାମ, ଗଜପତି, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ୧୩ ତାରିଖ ଯାଏଁ ବାତ୍ୟାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


















