ଓଡ଼ିଶାଲାଇଭ୍ ବ୍ୟୁରୋ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନ ଉଡ଼ାଣ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରରୁ କୋଚି ଓ ଗୁଆହାଟିକୁ ବିମାନ ସେବା ଯୋଗାଇ ଦିଆଯିବ।

ଓଡ଼ିଶାରୁ ଯେଉଁମାନେ କୋଚି ଓ ଗୁଆହାଟିକୁ ବିମାନ ଯାତ୍ରା କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଭଲ ଖବର। କେରଳର କୋଚି ଓ ଆସାମର ଗୁଆହାଟିକୁ ଯିବା ପାଇଁ ଆଉ ଟ୍ରେନ ଉପରେ ଆପଣଙ୍କୁ ନିର୍ଭର କରିବାକୁ ପଡ଼ିବ ନାହିଁ। ଆସନ୍ତା ନଭେମ୍ବର ୨୮ ତାରିଖରୁ ଦେଶର ପ୍ରମୁଖ ବିମାନ ଉଡ଼ାଣ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଏହି ଫ୍ଲାଇଟ ସେବା ଆରମ୍ଭ କରାଯିବ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉକ୍ତ ଦୁଇ ସହରକୁ ବିମାନ ଚଳାଇବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିସାରିଛି।

ସିଡ୍ୟୁଲ ଅନୁଯାୟୀ, ଇଣ୍ଡିଗୋ ଫ୍ଲାଇଟ ନମ୍ୱର ୬ଇ-୫୮୨ ସକାଳ ୫ଟା ୩୫ରେ କୋଚି ଛାଡ଼ି ୭.୫୫ରେ ଭୁବନେଶ୍ୱର ପହଞ୍ଚିବ। ସେହିଭଳି ୮.୨୫ରେ ଫ୍ଲାଇଟଟି କୋଚି ଅଭିମୁଖେ ଯାତ୍ରା କରିବ ଓ ୧୦.୫୫ରେ କୋଚି ପହଞ୍ଚିବ। ଇଣ୍ଡିଗୋ ଫ୍ଲାଇଟ ନମ୍ୱର ୬ଇ-୭୨୬ ଭୁବନେଶ୍ୱରରୁ ସକାଳ ୬.୩୦ରେ ବାହାରି ୮.୧୫ରେ ଗୁଆହାଟି ପହଞ୍ଚିବ। ଫେରନ୍ତା ଫ୍ଲାଇଟ ଗୁଆହାଟିରୁ ଦିନ ୧.୫୦ରେ ଗୁଆହାଟି ଛାଡ଼ି ଅପରାହ୍ନ ୩.୩୦ରେ ଭୁବନେଶ୍ୱର ପହଞ୍ଚିବ।

ଭୁବନେଶ୍ୱରରୁ କେରଳ ଓ ଆସାମର ରାଜଧାନୀକୁ ସିଧାସଳଖ ବିମାନ ସେବା ପାଇଁ ବହୁତ ଦିନରୁ ଅପେକ୍ଷା କରାଯାଇଥିଲା। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହର ସହିତ ଭୁବନେଶ୍ୱର ଯୋଡ଼ି ହେବା ଫଳରେ ଓଡ଼ିଶା, କେରଳ ଓ ଆସାମର ପର୍ଯ୍ୟଟକମାନେ ଆଉ ହଇରାଣ ହେବେ ନାହିଁ ଓ କମ ସମୟ ଭିତରେ ଏହି ସବୁ ସ୍ଥାନକୁ ଯାଇ ହେବ।

Comment