ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀକାଳୁଆଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ରି ପୂଜା। ଏଥି ପାଇଁ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି।

ସକାଳେ ମା’ଙ୍କ ମାଜଣା ଓ ପୂଜାର୍ଚ୍ଚନା କରାଯାଇଥିଲା। କୁକୁଡ଼ାଖଣ୍ଡି ବ୍ଲକର ମହୁରୀକାଳୁଆ ପୀଠରେ ବିଜେ ମା’ ହେଉଛନ୍ତି ମହୁରୀ ରାଜାଙ୍କ ଇଷ୍ଟଦେବୀ। କିମ୍ବଦନ୍ତୀ ଅନୁସାରେ ମନ୍ଦିରକୁ ଲାଗି ରହିଥିବା ପାହାଡ଼ ଉପରେ  ମା’ ବିଜେ କରିଥିଲେ। ପ୍ରତ୍ୟହ ପାହାଡ଼ ଉପରକୁ ଯାଇ ପୂଜାର୍ଚ୍ଚନା କରିବା କଷ୍ଟସାଧ୍ୟ ହେଲା। ପ୍ରତିଦିନ ପୂଜାରୀ ପୂଜା ସାରି ଫେରନ୍ତି।

ଦିନେ ପୂଜାରୀ ପୂଜା ସାରି ଗୋଟିଏ ଢାଳ ଛାଡ଼ି ଦେଇ ଚାଲି ଆସିଥିଲେ। ଅଧା ରାସ୍ତାରେ ଯେତେବେଳେ ମନେ ପଡ଼ିଲା ହାତରେ ଢାଳ ନାହିଁ ପୁଣି ସେ ପାହାଡ଼ ଉପରକୁ ଚଢି ଯାଉଥିଲେ କିନ୍ତୁ ସେତେବେଳେ  ଶୂନ୍ୟବାଣୀ ହେଲା ଯେ ତୁ’ ଆଉ ପାହାଡ଼ ଚଢ଼େନାହିଁ ଏହି ଢାଳଟି ତଳକୁ ଫୋପାଡୁଛି। ଯେଉଁଠାରେ ଏହି ଢାଳ ପଡ଼ିବ ସେଠି ମତେ ପୂଜାର୍ଚ୍ଚନା କରିବ। ସେହି ଦିନ ଠାରୁ ପାହାଡ଼ ତଳେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଛି।

ମା’ଙ୍କ ଉପରେ ଗଞ୍ଜାମ ଜିଲ୍ଲାର ବହୁ ଲୋକଙ୍କ ବିଶ୍ୱାସ ଓ ଭକ୍ତି ରହିଛି। ଯିଏ ଯେଉଁ ପ୍ରକାରେ ମାନସିକ କରେ ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ଏଣୁ ପ୍ରତି ମଙ୍ଗଳବାର, ସଂକ୍ରାନ୍ତି ଓ ଚୈତ୍ରମାସ ସମେତ ଏହି ଆଶ୍ୱିନ ମାସରେ ନବରାତ୍ର ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। ମା’ଙ୍କ ନିକଟରେ ଭକ୍ତମାନେ ଅଖଣ୍ଡ ଦୀପ ଜାଳିଥାନ୍ତି। ଏହା ସହ ହୋମ, ଯଜ୍ଞ, ଚଣ୍ଡିପାଠ ଆଦି ପୂଜାର୍ଚ୍ଚନା କରିଥାନ୍ତି। ପ୍ରାକୃତିକ ଶୋଭାରାଶି ମଧ୍ୟରେ ମା’ ମହୁରୀକାଳୁଆ ପୀଠକୁ ପ୍ରତ୍ୟହ ଭକ୍ତମାନେ ଆସୁଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏହି ପୀଠର ଉନ୍ନତି ସକାଶେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି।

Comment