ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ହଟହଟା ହୋଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କରିବାକୁ ଆସିଥିବା ମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ରାଜନଗର ତ୍ରିନାଥ ବଜାରରେ ଏହି ଅଭାବନୀୟ ଘଟଣା ଘଟିଛି।

ରାଜ୍ୟ ସରକାରଙ୍କସ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ବଣ୍ଟନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜକନିକା ଓ ରାଜନଗର ବ୍ଲକ ଆସିଥିଲେ ମନ୍ତ୍ରୀ ନୃସିଂହ ଚରଣ ସାହୁ। ଆଜି ଜିଲ୍ଲାର ୩ଟି ବ୍ଲକରେ ୨୬,୮୮୬ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇଦେବା ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରାଯାଇଛି।

ମନ୍ତ୍ରୀଙ୍କ ଗସ୍ତକୁ ଭଣ୍ଡୁର କରିବା ପାଇଁ କଂଗ୍ରେସ ଉଦ୍ୟମ କରିଥିଲା। ହେଲେ ଆଳି ଓ ରାଜକନିକା ବ୍ଲକରେ ପୋଲିସ ପ୍ରଶାସନ ଏହାକୁ ପଣ୍ଡ କରି ଦେଇଥିଲା। ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବାକୁ ରାସ୍ତାରେ ବସି ରହିଥିବା ୧୩୦ କଂଗ୍ରେସ କର୍ମୀଙ୍କୁ ଆଗୁଆ ଗିରଫ କରିଥିଲା ପୋଲିସ।

ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଓ ତାଙ୍କର ୫୦ ଜଣ ସମର୍ଥକ ନିଆଳଠାରେ ଗିରଫ ହୋଇଥିବା ବେଳେ ରାଜକନିକାର ଭାରିଗଦାଠାରେ ୮୦ଜଣ କଂଗ୍ରେସ କର୍ମୀ ଆଗୁଆ ଗିରଫ ହୋଇଥିଲେ। ହେଲେ ରାଜନଗର ବ୍ଲକରେ ପୋଲିସ ଆଗୁଆ ପଦକ୍ଷେପ ନେଇ ମଧ୍ୟ ସଫଳ ହୋଇପାରି ନଥିଲା।

ରାଜନଗର ପୋଲିସ ୩ ଥରରେ ୪୭ ଜଣ କଂଗ୍ରେସ କର୍ମୀଙ୍କୁ ଆଗୁଆ ଗିରଫ କରିନେଇଥିଲା। ହେଲେ ମନ୍ତ୍ରୀଙ୍କ ଗାଡ଼ି ଶୋଭାଯାତ୍ରାରେ ରାଜନଗର ତ୍ରିନାଥ ବଜାରରେ ପହଞ୍ଚିବା ପରେ କେତେକ କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗାଡ଼ିକୁ କଳାପତାକା ପ୍ରଦର୍ଶନ କରିବା ସହିତ ଟମାଟୋ ଫିଙ୍ଗି ଥିଲେ।

ଏହି ଟମାଟୋ ମନ୍ତ୍ରୀଙ୍କ ଗାଡ଼ିରେ ନବାଜି ଅନ୍ୟ ନେତାଙ୍କ ଗାଡ଼ିରେ ବାଜିଥିଲା। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜକନିକା ବ୍ଲକର ୮୯୩୨, ଆଳି ବ୍ଲକର ୮୯୭୨ ଓ ରାଜନଗର ବ୍ଲକର ୮୯୮୨ ଜଣ ଗରୀବ ହିତାଧିକାରୀମାନେ ଏହି ଯୋଜନାରେ ସୁଫଳ ପାଇବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ସମେତ ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ ଓ ରାଜକନିକା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦାସ, ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ, ରାଜନଗର ବ୍ଲକ ଅଧ୍ୟକ୍ଷ ଜୟରାମ ସେଠୀ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧୃବସାହୁ ଯୋଗ ଦେଇଥିଲେ।

Comment