ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପରିବାରରେ ଯେତେବେଳେ ବୟସ୍କା ମହିଳା ଗର୍ଭବତୀ ହୁଅନ୍ତି, ତାକୁ ନେଇ ସମାଜରେ କିଭଳି ପ୍ରତିକ୍ରିୟା ଦେଖିବାକୁ ମିଳେ, ଜାଣିବାକୁ ଚାହାଁନ୍ତି ତ ଆପଣଙ୍କୁ ଦେଖିବାକୁ ପଡ଼ିବ ‘ବଧାଇ ହୋ’ ସିନେମା…

ଘରେ ବାପା, ମାଆ, ଭାଇ ଭଉଣୀ ଓ ବୋହୂ ଅଛନ୍ତି। ବାପାଙ୍କର ବୟସ ୬୫ ଓ ମାଆଙ୍କର ଷାଠିଏ। ଏହା ଏକ ସୁଖୀ ପରିବାର। ସମସ୍ତେ ନିଜ ନିଜର ଜୀବନକୁ ନେଇ ଖୁବ୍ ଖୁସି ଥାଆନ୍ତି। ହଠାତ୍‌ ଦିନେ ସମସ୍ତଙ୍କୁ ଏକ ବିସ୍ମୟକର ଖବର ମିଳେ। ତାହା ହେଲା କି, ମାଆ ଗର୍ଭବତୀ ହୋଇଛନ୍ତି।

ଏହାକୁ ନେଇ ପରିବାରରେ ହଟଚମଟ ସୃଷ୍ଟି ହୁଏ। ଏହାକୁ ନେଇ ଉକ୍ତ ବୟସ୍କା ମହିଳାଙ୍କ ସ୍ୱାମୀ ଯେମିତି ବିସ୍ମିତ ଘରେ ପୁଅ-ବୋହୂ ବି ସେଭଳି ଲଜ୍ଜିତ ଅନୁଭବ କରନ୍ତି। ସେମାନେ ଯେଉଁ କଲୋନିରେ ରହନ୍ତି, ସେଠାରେ ମଧ୍ୟ ଲୋକେ ଏହାକୁ ଭଲ ଚକ୍ଷୁରେ ଦେଖନ୍ତି ନାହିଁ। ଏହା ପରେ ସମସ୍ତେ ଉକ୍ତ ବୟସ୍କା ମହିଳାଙ୍କୁ ବଧାଇ ଜଣାନ୍ତି। ତା’ପରେ କ’ଣ ସବୁ ଘଟେ ତାହା ହିଁ ଯେଉଁ ସିନେମାର ମୁଖ୍ୟ ପ୍ରସଙ୍ଗ ତାହା ହେଲା ‘ବଧାଇ ହୋ’।

କିଏ କେଉଁ ଭୂମିକାରେ…

‘ବଧାଇ ହୋ’ ସିନେମାରେ ବୟସ୍କା ମହିଳା ଯିଏ କି ଗର୍ଭବତୀ ହେଉଛନ୍ତି, ସେହି ଭୂମିକାରେ ଅଭିନୟ କରିଛନ୍ତି ଜଣାଶୁଣା ଅଭିନେତ୍ରୀ ନୀନା ଗୁପ୍ତା। ଏଥିରେ ନୀନାଙ୍କ ସ୍ୱାମୀ ଭୂମିକାରେ ଅଛନ୍ତି ଅଭିନେତା ଗଜରାଜ ରାଓ। ନୀନା ଗୁପ୍ତାଙ୍କ ପୁଅ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତା ଆୟୁଷ୍ମାନ୍‌ ଖୁରାନା।

ଠିକ୍ ସେହିପରି ଏଥିରେ ଆୟୁଷ୍ମାନଙ୍କ ପତ୍ନୀ ଭୂମିକାରେ ଅଛନ୍ତି ସନାୟା ମାଲହୋତ୍ରା। ଏହି ସିନେମାରେ ଜଣାଶୁଣା ଅଭିନେତ୍ରୀ ସୁରେଖା ସିକ୍ରି ଅଛନ୍ତି ନୀନା ଗୁପ୍ତାଙ୍କର ଶାଶୂ ଭୂମିକାରେ। ଠିକ୍ ସେହି ଲୋକପ୍ରିୟ ଅଭିନେତ୍ରୀ ଶିବା ଚଢ଼ା ଅଛନ୍ତି ସନାୟା ମାଲହୋତ୍ରାଙ୍କ ମାଆ ତଥା ଆୟୁଷ୍ମାନଙ୍କ ଶାଶୂ ଭୂମିକାରେ। ସେ ଏଥିରେ ଜଣେ ବିଧବା କିନ୍ତୁ ଆଧୁନିକା ମହିଳା ଚରିତ୍ରରେ ନଜର ଆସିବେ।

ଅକ୍ଟୋବର ୧୯ରେ ପରଦାକୁ ଆସୁଛି

ଜଙ୍ଗଲି ପିକ୍ଚର୍ସ ଓ କ୍ରୋମ୍‌ ପିକ୍ଚର୍ସ ବ୍ୟାନରରେ ନିର୍ମିତ ‘ବଧାଇ ହୋ’ ଆଗାମୀ ଅକ୍ଟୋବର ୧୯ ତାରିଖରେ ରିଲିଜ୍‌ ହେଉଥିବାର ସୂଚନା ମିଳିଛି। ଏହାର ନିର୍ଦ୍ଦେଶକ ହେଲେ ଅମିତ ରବିନ୍ଦ୍ର ନାଥ ଶର୍ମା। ଏହାର ପ୍ରଯୋଜକମାନେ ହେଲେ ବିନିତ ଜୈନ୍, ଆଲେୟା ସେନ୍‌, ହେମନ୍ତ ଭଣ୍ଡାରୀ, ଅମିତ ରବିନ୍ଦର ନାଥ ଶର୍ମା, ସୁଶୀଲ ଚୌଧୁରୀ ଓ ପ୍ରୀତି ସାଇନୀ।

‘ବଧାଇ ହୋ’ର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ଶାନ୍ତନୁ ଶ୍ରୀବାସ୍ତବ, ଅକ୍ଷତ ଘିଲ୍ ଦିଆଲ୍‌ ଓ ଜ୍ୟୋତି କପୁର। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତାନିଷ୍କ ବାଗ୍‌ଚୀ, ରୋଚକ କୋହଲୀ, ସନ୍ନି ବାୱରା, ଇନ୍ଦର ବାୱର୍। ଫିଲ୍ମର ପ୍ରଥମ ଲୁକ୍‌ ଇତିମଧ୍ୟରେ ରିଲିଜ୍ ହୋଇସାରିଛି। ଏହାର ଅଫିସିଆଲ୍‌ ଟ୍ରେଲର ବି ବେଶ୍‌ ମଜାଦାର ହୋଇଛି। ଏବେ ଅପେକ୍ଷା ଫିଲ୍ମର ରିଲିଜ୍‌କୁ।

ଭିକିଡୋନର୍‌, ଦମ୍‌ ଲଗାକେ ହେଇସା, ବରେଲି କି ବାର୍ଫି, ଶୁଭ ମଙ୍ଗଳ ସାବଧାନ୍ ଭଳି ସିନେମାର ନାୟକ ଆୟୁଷ୍ମାନଙ୍କର ‘ବଧାଇ ହୋ’ ଏକ କମେଡ଼ି ଡ୍ରାମା ଫିଲ୍ମ। ଏହା ତାଙ୍କୁ ସଫଳତା ଆଣି ଦେଉଛି କି ନା, ତାହା ଦେଖିବା କଥା।

Comment