ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୀର୍ଘ ଦିନ ହେଲା ପରସ୍ପରକୁ ଡେଟିଂ କରି ଆସୁଥିବା ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ବିଗବସ୍‌ରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ଶେଷରେ ବିବାହ ବନ୍ଧନରେ ପରିଣତ ହୋଇଛି। ବିଗବସ୍‌ ସିଜନ – ୯ର ପ୍ରତିଯୋଗୀ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ଶୁକ୍ରବାର ରାତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସେମାନଙ୍କର ବିବାହ ବଡ଼ ଧୁମଧାମରେ ପାଳନ ହୋଇଥିଲା। ଏହାଛଡ଼ା ୟୁଭିକା ତାଙ୍କ ବିବାହରେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ପ୍ରିନ୍ସ କ୍ରିମ ରଙ୍ଗର ସେର୍‌ୱାନୀ ପିନ୍ଧିଥିଲେ।

ହାତଗଣ୍ଠି ପଡ଼ି ସାରିବାପରେ ପ୍ରିନ୍ସ, ୟୁଭିକାଙ୍କ ପାଇଁ ଏକ ପଞ୍ଜାବୀ ଡ୍ୟାନ୍ସ ମଧ୍ୟ ପରିବେଷଣ କରିଥିଲେ। ଏହି ବିବାହ ଉତ୍ସବରେ ବଲିଉଡ଼ ସମେତ ଟିଭି ଜଗତର ନାମୀଦାମି କଳାକାର ପ୍ରମୁଖ ଯୋଗ ଦେଇଥିଲେ।

ନେହା ଧୁପିଆ, ତବ୍ବୁ, ସୋହେଲ୍ ଖାନ୍, ସୁନୀଲ ସେଟ୍ଟୀ, ରଣବିଜୟ ସିଂ, ପ୍ରିୟାଙ୍କ ଶର୍ମା, କରନ ମେହେରା, ବରୁଣ ସୁଢ଼ ଆଦି କଳାକାର ଯୋଗ ଦେଇଥିଲେ।

ବିବାହ ପୂର୍ବରୁ ୟୁଭିକା ଓ ପ୍ରିନ୍ସଙ୍କ ସଙ୍ଗୀତ ଓ ମେହେନ୍ଦୀର ଫଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଏବେ ପ୍ରିନ୍ସ ବିବାହର ଫଟୋ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି। ଏହାପରେ ଚାରିଆଡ଼ୁ ସେଲିବ୍ରିଟିଙ୍କର ଶୁଭେଚ୍ଛାର ସୁଅ ଛୁଟିଥିଲା।

ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ଉଭୟ ‘ବିଗ୍ ବସ୍ ସିଜନ୍ – ୯’ରେ ନଜର ଆସିଥିଲେ। ଶୋ’ରେ ପ୍ରିନ୍ସ, ୟୁଭିକାଙ୍କୁ ପ୍ରପୋଜ୍ କରିଥିଲେ। ଏହାପରେ ଉଭୟଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା।

ଲମ୍ବା ସମୟ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିନ୍ସ୍ ରୋଡିଜ୍, ବିଗବସ୍ ଏବଂ ବଢୋ ବୋହୂ ଭଳି ଧାରାବାହିକରେ କାମ କରିସାରିଛନ୍ତି। ୟୁଭିକା ଚୌଧୁରୀ ମଧ୍ୟ ବଲିଉଡ ଫିଲ୍ମ ‘ଓମ୍ ଶାନ୍ତି ଓମ୍‌’ରେ ନଜର ଆସିଥିଲେ।

Comment