ଓଡ଼ିଶାଲାଇଭ ବ୍ୟୁରୋ

ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସମଗ୍ର ପୁରପଲ୍ଲୀ।

ମଙ୍ଗଳବାର ସମସ୍ତ ମଣ୍ଡପରେ ମହାମୟୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା। ମା’ ଦୁର୍ଗାଙ୍କ ପାରମ୍ପାରିକ ରୀତିନୀତି ଆରମ୍ଭ ହୋଇଯାଇଛି। ସମସ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଜଗତଜନନୀ ମା’ ଦୁର୍ଗା।

ମା’ଙ୍କ ଦର୍ଶନ ପାଇଁ ମଣ୍ଡପମାନଙ୍କରେ ଏକାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଅପରପକ୍ଷରେ ଦେବୀ ପୀଠରେ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପୀଠରେ ହେଉଛି ମା’ଙ୍କ ଷୋଡ଼ଶ ପୂଜା ଉପଚାର। ମଙ୍ଗଳବାର ସକାଳୁ ପୂଜା ମଣ୍ଡପରେ ଘଟ ପୂଜା କରାଯାଇଛି। ଜଳାଶୟରୁ ନବପତ୍ରିକା ଘଟ ପୂଜା ମଣ୍ଡପକୁ ଅଣାଯାଇ ମା’ଙ୍କର ଚକ୍ଷୁଦାନ ନୀତି ଅନୁଷ୍ଠିତ ହୋଇଛି।

ଏହାପରେ ପ୍ରାଣ ପ୍ରତିଷ୍ଠା ନୀତି କରାଯିବ। ପ୍ରତ୍ୟେକ କର୍ମ ପରେ ଚଣ୍ଡୀଙ୍କ ଆହୁତି ଓ ହୋମ କାର୍ଯ୍ୟ ଆରମ୍ଭ କରାଯିବ। ମହାସପ୍ତମୀ ଉପଲକ୍ଷେ ପୂଜା ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁମାନେ ଭୋଗ ଓ ପୂଜା ସାମଗ୍ରୀ ଧରି ଲମ୍ବା ଧାଡ଼ି ଲଗାଇଛନ୍ତି।

କେବଳ ପୂଜା ମଣ୍ଡପରେ ନୁହେଁ, ଦେବୀ ପୀଠମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଧ୍ୱନି ଏବଂ ହୋମରେ ପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ପୂଜା କମିଟିର ସଦସ୍ୟମାନେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି।

Comment