ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବଡ଼ ବଡ଼ ସହରରେ ଭିନ୍ନକ୍ଷମଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭିନ୍ନକ୍ଷମ ପହଞ୍ଚ ଅଭିଯାନ ଅନ୍ତର୍ଗତ ନିୟମ ଅନୁଯାୟୀ ରାଜଧାନୀର ଅନ୍ତତଃ ୫୦ ପ୍ରତିଶତ ସରକାରୀ ଦପ୍ତରରେ ଭିନ୍ନକ୍ଷମଙ୍କ ଯିବା ଆସିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିବା କଥା। କିନ୍ତୁ ଏଯାଏଁ ସେହି ଲକ୍ଷ୍ୟ ପୂରଣ ହୋଇପାରିନାହିଁ।

ଏହି ଦୃଷ୍ଟିରୁ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖି ବର୍ଷ ଶେଷ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ କୁହାଯାଇଛି।

ରାଜ୍ୟର ଅନ୍ୟ ସହର ପାଇଁ ଡିସେମ୍ବର ୨୦୧୯କୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଭିନ୍ନକ୍ଷମ ସୁବିଧା ପାଇଁ ଭୁବନେଶ୍ୱର ବ୍ୟତୀତ ୧୦ଟି ସହରକୁ ଚିହ୍ନଟ କରାଯାଇଛି।

ଏହି ସହରଗୁଡ଼ିକ ହେଲା – କଟକ, ପୁରୀ, ବାଲେଶ୍ୱର, ବାରିପଦା, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବ୍ରହ୍ମପୁର ଓ ଜୟପୁର। ଏ ସବୁ ସହରରେ ଥିବା ସରକାରୀ ଅଫିସରେ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ଆବଶ୍ୟକୀୟ ସୁବିଧା ରହିବ। ଆସନ୍ତା ବର୍ଷ ଡିସେମ୍ବର ମାସ ମଧ୍ୟରେ ନିହାତି ୫୦ ପ୍ରତିଶତ ଦପ୍ତରରେ ଏହି ବ୍ୟବସ୍ଥା କଡ଼ାକଡ଼ି କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।

ବିଶେଷକରି ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପାଇଁ ବଜେଟ ବ୍ୟବସ୍ଥା କରିବେ। ସାମାଜିକ ସୁରକ୍ଷା ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ମହାପାତ୍ର ଏକଥା କହିଛନ୍ତି। ସେହିଭଳି ରାଜଧାନୀରେ ଗୃହ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ, ପରିବହନ, ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ସଚିବଙ୍କ ପାଖକୁ ଚିଠି ଲେଖି ଲାଇନ ଡିପାର୍ଟମେଣ୍ଟ ତୁରନ୍ତ ଏହି ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ନିର୍ଦ୍ଦେଶକ।

ଆହୁରି ମଧ୍ୟ ରାଜଧାନୀର ଯେଉଁ ସବୁ କୋଠା ଏଥିପାଇଁ ଚିହ୍ନଟ କରାଯାଇଛି ସେଗୁଡ଼ିକ ଭିତରେ ରହିଛି ବିଡିଏ, ବିଏମସି, ମ୍ୟୁନିସିପାଲ ହସ୍ପିଟାଲ, ଉତ୍କଳ ବିଶ୍ଵବିଦ୍ୟାଳୟ, ଏକାମ୍ର କଲେଜ, ମହର୍ଷି କଲେଜ, ସମବାୟ ବ୍ୟାଙ୍କ ଭବନ, ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ, ସାଇନ୍ସ ପାର୍କ, ପାନ୍ଥ ନିବାସ, ପର୍ଯ୍ୟଟନ ଭବନ ଓ ବରମୁଣ୍ଡା ବସ ଷ୍ଟାଣ୍ଡ ପ୍ରଭୃତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ବ୍ୟବସ୍ଥା ଅନୁସାରେ ଏହି ସବୁ କୋଠାରେ ରେଟ୍ରଫିଟିଙ୍ଗ ଲାଗୁ ହେବ। ଠିକ୍ ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ପ୍ରକାର ଫର୍ମ ଯେମିତି ସୁବିଧାରେ ମିଳିପାରିବ ସେନେଇ ମଧ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Comment