ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଗାପୂଜା ପାଇଁ ରଙ୍ଗିନ ଆଲୋକମାଳା ଏବଂ ତୋରଣରେ ଝଲସୁଛି ଟୁଇନ୍ ସିଟି କଟକ-ଭୁବନେଶ୍ୱର।

ରାଜଧାନୀ ଭୁବନେଶ୍ୱର ଦଶହରା ପର୍ବ ଉପଲକ୍ଷେ ଖୁବ୍ ସଜେଇ ହୋଇଛି। ସବୁ ବର୍ଷ ଭଳି ଏ ବର୍ଷ ବି ଶତାଧିକ ଦୁର୍ଗା ମଣ୍ଡପରେ ଦେବୀଙ୍କ ପୂଜା ଅର୍ଚ୍ଚନା ଚାଲିଛି। ଏ ବର୍ଷ ଯେତେ ସବୁ ମେଢ଼ ତିଆରି କରାଯାଇଛି ସେଗୁଡ଼ିକ ବିଭିନ୍ନ ସ୍ଥାନ ଓ ଥିମକୁ ନେଇ ହୋଇଛି।

ସମଗ୍ର ସହରରେ ବିଭିନ୍ନ ସ୍ଥାନରେ ବିଶାଳକାୟ ଦୁର୍ଗା ମୂର୍ତ୍ତି ଦେଖିବାକୁ ମିଳିଛି। ପେଣ୍ଡାଲଗୁଡ଼ିକ ମଧ୍ୟ ଭଳିକି ଭଳି ଆଲୋକମାଳାରେ ସଜ୍ଜିତ ହୋଇଛନ୍ତି। ଚାରିଆଡ଼େ ପୂଜାର ମାହୋଲ। କିଣା ବିକା ବି ଜୋର ଚାଲିଥିବା ଲକ୍ଷ୍ୟ କରାଯାଇଛି।

ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ରାଜଧାନୀର ପୂଜା କମିଟିଗୁଡ଼ିକ କୌଣସି ଉଦ୍ୟମକୁ ଏବର୍ଷ ହାତଛଡ଼ା କରିନାହାନ୍ତି। କମିଶନରେଟ ପୋଲିସର ସହାୟତାରେ ପୂଜା କମିଟିର ସଦସ୍ୟମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନେ ଯେମିତି ବିନା ଅସୁବିଧାରେ ମା’ଙ୍କ ଦର୍ଶନ କରିବାକୁ ସକ୍ଷମ ହେବେ ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ବର୍ଷ ପ୍ରାୟ ୧୬୦ଟି ପୂଜା ପେଣ୍ଡାଲ ଭୁବନେଶ୍ୱରରେ ଦେଖିବାକୁ ମିଳିଛି।

ପୁରୁଣା ଷ୍ଟେସନ ବଜାର ପୂଜା କମିଟି ଏ ବର୍ଷ ଜଗନ୍ନାଥଙ୍କ ନବଗୁଞ୍ଜର ବେଶକୁ ନେଇ ମଣ୍ଡପକୁ ସଜେଇଛନ୍ତି। ଯେଉଁମାନେ ଭୁବନେଶ୍ୱର ବାହାରେ ରହୁଛନ୍ତି ସେମାନଙ୍କ ସୁବିଧା ପାଇଁ ଏକ ଆପ୍ ତିଆରି କରିଛନ୍ତି ପୂଜା କମିଟି। ଷ୍ଟେସନ ବଜାର ପୂଜାକୁ ଏବର୍ଷ ଲାଇଭ ଷ୍ଟ୍ରିମିଙ୍ଗ କରାଯାଉଛି। ‘GCMOB’ ଆପରେ ଷ୍ଟ୍ରିମିଙ୍ଗ ଦେଖାଯାଇପାରିବ ବୋଲି କହିଛନ୍ତି ପୂଜା କମିଟି ସମ୍ପାଦକ।

ସେହିଭଳି ବମିଖାଲରେ ୮୦ ଫୁଟ ଉଚ୍ଚର ଏକ ପେଣ୍ଡାଲ କରାଯାଇଛି। ଲଣ୍ଡନର ରୟାଲ କୋର୍ଟର ଅନୁକରଣରେ ଏହି ତୋରଣ ନିର୍ମାଣ କରାଯାଇଛି। ବାହାର ଡେକୋରେସନ ସୁପାରୀକୁ ନେଇ କରାଯାଇଛି। ସହିଦ ନଗର ପୂଜା କମିଟି ପକ୍ଷରୁ ରାଜସ୍ଥାନର ଚିତ୍ତୋରଗଡ଼ ଢାଞ୍ଚାରେ ତୋରଣ ନିର୍ମାଣ କରାଯାଇଥିଲା ବେଳେ ନୟାପଲ୍ଲୀ ଦୁର୍ଗା ପୂଜା କମିଟି ଇଟାଲୀର ଅଲଟର ଡେଲ୍ଲା ପାଟିଆ ଢାଞ୍ଚାରେ ତୋରଣ ନିର୍ମାଣ କରିଛି। ବର୍ଷରେ ଥରେ ମାତ୍ର ପୂଜା ହେଉଥିବାରୁ ବିଭିନ୍ନ ପୂଜା କମିଟି ପକ୍ଷରୁ ନାନା ପ୍ରକାର ଥିମକୁ ନେଇ ତୋରଣ ସଜାଇବା ଏକ ନିୟମରେ ପଡ଼ିଯାଇଛି।

ରାଜଧାନୀ ଭୁବନେଶ୍ୱର ଭଳି କଟକରେ ମଧ୍ୟ ବେଶ୍ ଧୂମଧାମରେ ଦଶହରା ପୂଜା ଚାଲିଛି। ବିଭିନ୍ନ ପେଣ୍ଡାଲ ପାରମ୍ପରିକ ଶୈଳୀରେ ସଜ୍ଜିତ ହୋଇଛନ୍ତି। ହଜାର ହଜାର ଦର୍ଶକ ପୂଜା ମଣ୍ଡପ ବୁଲି ଦେଖୁଛନ୍ତି। ସୋମବାରଠାରୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ନବଦିନ ପୂଜା ଆରମ୍ଭ ହୋଇଛି।

କଟକର ଚଣ୍ଡୀ ମନ୍ଦିର, ଯାଜପୁରର ବିରଜା କ୍ଷେତ୍ର, ବାଙ୍କୀର ଚର୍ଚ୍ଚିକା, ବାଣପୁର ଭଗବତୀ ଭବାନୀପାଟଣାର ମାଣିକେଶ୍ୱରୀ ପୀଠରେ ମଧ୍ୟ ପାଳିତ ହେଉଛି ଦୁର୍ଗା ପୂଜା।

Comment