ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି। ବିଶେଷଜ୍ଞ ଓ ପରିବେଶବିତମାନଙ୍କ ପରାମର୍ଶରେ ଏକ ଚିଠା ଯୋଜନା ପ୍ରସ୍ତୁତ କରାଯାଇ ଏହାକୁ କାମରେ ଲଗାଯାଇଛି। ଏ ନେଇ ସହରର ବିଭିନ୍ନ ଛକରେ ଇଲେକ୍ଟ୍ରୋନିକ ଡିସପ୍ଲେ ବୋର୍ଡମାନ ଟଙ୍ଗାଯାଇଛି। ସ୍ଥାୟୀ ଭାବେ ସ୍ଥାପିତ ଏହି ବୋର୍ଡ଼ରୁ ନାଗରିକ ମାନେ ରିଅଲ ଟାଇମ ଅନୁସାରେ ପ୍ରଦୂଷଣ ସ୍ତରକୁ ଜାଣିପାରିବେ।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃର ଜଣେ ଅଧିକାରୀ କହିଛନ୍ତି, “ପିଏମଜି ଛକ ଓ ଡମଣା ଛକରେ ପ୍ରଥମେ ଏହି ସେନସର ଲଗାଇଛୁ। ପରବର୍ତ୍ତୀ ସମୟରେ ଅନ୍ୟ ଛକ ନିକଟରେ ଏହା ଲାଗିବ। ଏହା ଫଳରେ ସମଗ୍ର ସହରର ପ୍ରଦୂଷଣ ଡାଟା ମିଳିପାରିବ।’ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ପାୱାର ହାଉସ ଛକରେ ଏହିଭଳି ବୋର୍ଡ ଲଗାଯାଇଛି। କିନ୍ତୁ ଏହି ବୋର୍ଡଟି ଅପେକ୍ଷାକୃତ ବଡ଼। ପାୱାର ହାଉସ ଛକରେ ଲାଗିଥିବା ପ୍ରଦୂଷଣ ପରିମାପକ ବୋର୍ଡରୁ ୟୁନିଟ ୧, ୟୁନିଟ ୮, ପାତ୍ରପଡା ଓ ନୟାପଲ୍ଲୀ ଅଞ୍ଚଳର ପ୍ରଦୂଷଣ ମପା ଯାଇପାରୁଛି।”

ଉକ୍ତ ଅଧିକାରୀ କହିଛନ୍ତି ଯେ ଜୁଲାଇ ମାସରେ ଯେଉଁ କର୍ମଶାଳା ହୋଇଥିଲା ସେଥିରେ କୁହାଯାଇଥିଲା ଯେ ପ୍ରଥମେ ପ୍ରଦୂଷଣ ଡାଟା ମିଳିବା ଦରକାର, ତା’ ପରେ ଯାଇ ପ୍ରଦୂଷଣ ରୋକିବା କଥା ଚିନ୍ତା କରାଯିବ। ଯୋଜନା ଅନୁସାରେ ଡାଟା ମିଳିବା ପରେ ସହରର ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ରାଜଧାନୀରେ ଦିନକୁ ଦିନ ଗାଡି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ଏହି ପଦକ୍ଷେପ ଭିତରୁ ଗୋଟିଏ ହେଉଚି ବାଇସାଇକେଲ ପ୍ରଚଳନ।ତୈଳ ବ୍ୟବହୃତ ଯାନ ଅପେକ୍ଷା ଅନ୍ୟ ସବୁ ମାଧ୍ୟମରେ ସହରର ଗମନା ଗମନ ବ୍ୟବସ୍ଥା ଉପରେ ଜୋର ଦିଆଯିବ ଓ ଲୋକେ ଏହାର ଗୁରୁତ୍ୱକୁ ବୁଝିବେ ବୋଲି ମେୟର ଅନନ୍ତ ନାରାୟଣ ଜେନା ଆଶା ପ୍ରକାଶ କରିଛନ୍ତି।

Comment