ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। ଶେଷରେ ଜେଲ୍ ଗଲେ ଅଭିଜିତ ଆୟାର ମିତ୍ର। ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଅଭିଜିତଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ଝାରପଡ଼ା ଜେଲ ଯାଇଛନ୍ତି ଅଭିଜିତ। ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ସେ।

ଅଜ୍ଞାତ ସ୍ଥାନରେ ସହିଦ ନଗର ଥାନା ପୋଲିସ ଅଭିଜିତଙ୍କୁ ତିନି ଘଣ୍ଟା ଧରି ପଚରା ଉଚରା କରିବା ପରେ ଆଜି ସନ୍ଧ୍ୟାରେ ତାଙ୍କୁ ଗିରଫ କରିଥିଲା। ଗିରଫ କରି ଅଭିଜିତକୁ ପ୍ରଥମେ ସହିଦ ନଗର ଥାନାକୁ ଅଣାଯିବା ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା।

ଜାମିନ ପାଇଁ ଅଭିଜିତଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଜାମିନ ଆବେଦନ ଖାରଜ କରି ଦେଇଥିଲେ।

ଓଡ଼ିଶାର ଐତିହ୍ୟ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ ଅଭିଜିତ। ବିଧାନସଭା ଗୃହ କମିଟିର ସମନ ପାଇ ସେ ଆଜି ଓଡ଼ିଶା ଆସିଥିଲେ। ଦିନ ୧୧ଟାରେ ବିଧାନସଭା ଗୃହ କମିଟିରେ ହାଜର ହୋଇଥିଲେ ଅଭିଜିତ।

ବିଧାନସଭା କମିଟି ୩ ଘଣ୍ଟା ଧରି ଅଭିଜିତଙ୍କୁ ଘାଣ୍ଟିଥିଲେ। କୋଣାର୍କ ଏବଂ ବିଧାୟକମାନଙ୍କ ବିରୋଧରେ ନକରାତ୍ମକ ଟିପ୍ପଣୀ କାହିଁକି ଦେଲେ ବୋଲି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ଅପରାହ୍ନ ୨ଟାରେ ଅଭିଜିତ ବିଧାନସଭାରୁ ବାହାରିବା ପରେ ସହିଦ ନଗର ଥାନା ପୋଲିସ ହେପାଜତକୁ ନେଇଥିଲା।

ଧାର୍ମିକ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗରେ ସହିଦନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଜିତଙ୍କୁ ଜେରା କରିବା ପରେ ଗିରଫ କରିଥିଲା।

ସହିଦ ନଗର ଥାନାରେ ଆଇପିସି ଧାରା ୨୯୪, ୨୯୫(ଏ), ୫୦୦ ଏବଂ ୧୫୩(ଏ)ରେ ମାମଲା ରୁଜୁ ହୋଇଥିଲା।

ଅଭିଜିତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋଣାର୍କ ଥାନା ପୋଲିସ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଛି। କୋଣାର୍କ ଥାନା ଆଇଆଇସି ଏବଂ ନିମପଡ଼ା ଏସ୍‌ଡିପିଓ ରିମାଣ୍ଡ ଆବେଦନ କରିଛନ୍ତି।

ଓଡ଼ିଆ ସଂସ୍କୃତି ଏବଂ ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗରେ କୋଣାର୍କ ଥାନାରେ ମଧ୍ୟ ଏକ ମାମଲା ରହିଛି।

Comment