ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ବୁଧବାରଠାରୁ କେନ୍ଦ୍ରାପଡ଼ାରେ ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀ ପୂଜା। ମା’ଲକ୍ଷ୍ମୀ ଐରାବତ ହସ୍ତୀଙ୍କୁ ନେଇ ପୂଜାମଣ୍ଡପରେ ବିଜେ କରିବେ। ଏଥିପାଇଁ ମାଳ ମାଳ ରଙ୍ଗିନ ଆଲୋକମାଳା ଏବଂ ତୋରଣରେ ଝଲସି ଉଠୁଛି କେନ୍ଦ୍ରାପଡ଼ା।

୭ ଦିନ ଧରି ମା’ ଗଜଲକ୍ଷ୍ମୀଙ୍କ ଆବାହନୀରେ ଫାଟିପଡ଼ିବ ସାରା କେନ୍ଦ୍ରାପଡ଼ା ଜିଲ୍ଲା। ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରିବା ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ଆଖିରୁ ନିଦ ହଜି ଯାଇଛି।

ରାତି ପାହିଲେ କୁମାର ପୂର୍ଣ୍ଣିମା। ଏହି ଦିନ ଦେବତା ଓ ଦାନବ ଗଣ ସମୁଦ୍ର ମନ୍ଥନ କରିବା ଫଳରେ ସମୁଦ୍ର ଗର୍ଭରୁ ଅମୃତ କଳସୀ ଧରି ଜାତ ହୋଇଥିଲେ ମା’ ଲକ୍ଷ୍ମୀ। ପରେ ପରେ ଐରାବତ ହାତୀ ମଧ୍ୟ ସାଗର କୋଳରୁ ଜନ୍ମ ନେଇଥିଲେ। ଅମୃତ କଳସୀରେ ମା’ ଲକ୍ଷ୍ମୀଙ୍କୁ ଐରାବତ ହାତୀ ତାଙ୍କ ଶୁଣ୍ଢରେ ସ୍ନାନ କରିଦେଇଥିଲେ। ଏହି ପୌରାଣିକ କଥା ବସ୍ତୁର ଆଧାରରେ ମା’ ଗଜଲକ୍ଷ୍ମୀଙ୍କ ପବିତ୍ର ପୂଜା କୁମାର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ମା’ ଲକ୍ଷ୍ମୀ ବ୍ୟବସାୟ ବଣିଜ ତଥା କୃଷିର ପ୍ରତୀକ ହୋଇଥିବାରୁ ଏହି ପୂଜା କେନ୍ଦ୍ରାପଡ଼ା ସହିତ କାହିଁ କେଉଁ କାଳରୁ ଜଡ଼ିତ ହୋଇ ରହିଛି।

କେନ୍ଦ୍ରାପଡ଼ା ଏକ କୃଷି ତଥା ବ୍ୟବସାୟ ଭିତ୍ତିକ ଜିଲ୍ଲା ହୋଇଥିବାରୁ ଏଠାରେ ମା’ ଗଜଲକ୍ଷ୍ମୀଙ୍କୁ ଆରାଧନା କରି କୃଷି ଓ ବ୍ୟବସାୟରେ ଲାଭବାନ ହେଉଥିବା ବିଶ୍ୱାସ ରହିଛି। ଏଣୁ କେନ୍ଦ୍ରାପଡ଼ା ସହରଠାରୁ ଆରମ୍ଭ କରି ପୁରପଲ୍ଲିର ଲୋକେ ଗଜଲକ୍ଷ୍ମୀଙ୍କ ପୂଜାରେ ମଜ୍ଜି ଯାଇଥାନ୍ତି।

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ କେନ୍ଦ୍ରାପଡ଼ା ପ୍ରସିଦ୍ଧି ଅର୍ଜନ କରିଛି। ପୂଜାକୁ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ କେନ୍ଦ୍ରାପଡ଼ା ସହରରେ ବିଭିନ୍ନ ପୂଜା ମଣ୍ଡପମାନ ସଜେଇ ହେଲେଣି। ମା’ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଷ ଦେବାରେ ଲାଗିଛନ୍ତି କାରିଗରମାନେ। ପୂଜା ମଣ୍ଡପକୁ ଅଧିକ ଜୀବନ୍ତ କରିବାକୁ ମେଢ଼ କାରିଗର ବି କାମରେ ଲାଗିପଡ଼ିଛନ୍ତି। ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ କରିବାକୁ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱୀତା ଚାଲିଛି। ଲାଇଟ ଗେଟ୍ ସାଙ୍ଗକୁ ସୁ ଉଚ୍ଚ ତୋରଣ ଲୋକଙ୍କ ମନମୋହୁଛି।

ଚଳିତ ବର୍ଷ କେନ୍ଦ୍ରପଡ଼ା ସହରରେ ୬୭ଟି ପୂଜା ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ସହରର ଆଖପାଖ ଗାଁମାନଙ୍କରେ ମଧ୍ୟ ପ୍ରସ୍ତୁତି ଶେଷ ହେବାରେ ଲାଗିଛି।

କେନ୍ଦ୍ରାପଡ଼ା ସହର ବ୍ୟତୀତ ଜିଲ୍ଲାର ଚାନ୍ଦୋଳ, ମାର୍ଶାଘାଇ, ଅଙ୍ଗୁଳାଇ, କୁହୁଡ଼ି, କୁଆଁରପାଳ, ମହାକାଳପଡ଼ା, ଓଲଡିହି, ଛତା, ଛୋଟି, ନେତୁଆ, ପଲ୍ଲି ରଘୁନାଥପୁର, ସାତବାଟିଆ, ପଟ୍ଟାମୁଣ୍ଡାଇର ଗୋଗୁଆ ଆଦି ସ୍ଥାନରେ ପୂଜା ମଣ୍ଡପକୁ ବହୁ ଆଡମ୍ବରରେ ସଜା ଯାଇଛି। ଖାଲି ଗଜଲକ୍ଷ୍ମୀ ନୁହଁନ୍ତି,  ଅନ୍ୟ ଦେବାଦେବୀଙ୍କ ମେଢ଼ ମଧ୍ୟ ପୂଜାମଣ୍ଡପମାନଙ୍କରେ ପୂଜା ପାଇବାକୁ ଯାଉଛନ୍ତି।

କେନ୍ଦ୍ରାପଡ଼ା ସହରରେ ୭ଟି ସ୍ଥାନରେ ଚାନ୍ଦି ମେଢ଼ ତିଆରି ହୋଇଛି। ସେବସୁ ସ୍ଥାନ ହେଲା – ଖଡିଅଙ୍ଗ, କାକଟମଙ୍ଗଳା, ମାଛମାର୍କେଟ, ସାନମଙ୍ଗଳା, ନୂଆବସ୍ ଷ୍ଟାଣ୍ଡ ଥାନପତି ଓ ଅଯୋଧ୍ୟାନଗରର ରୋହେଣୀ ଗାଇ। ସବୁଠାରୁ ଆକର୍ଷଣୀୟ ହୋଇଛି କାକଟ ମଙ୍ଗଳାସ୍ଥିତ ଗଜଲକ୍ଷ୍ମୀଙ୍କ ମେଢ଼। ଏହି ମେଢ଼ରେ ଚଳିତ ବର୍ଷ ପ୍ରଥମ କରି ୧ କୁଇଣ୍ଟାଲ ୪୭ କିଲୋ ଚାନ୍ଦି ଓ ୩୦୦ ଗ୍ରାମ ସୁନାଅଳଙ୍କାର ଲାଗିଛି।

ଅପରାଧପ୍ରବଣ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ ଶୃଙ୍ଖଳାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି। ସାରା ସହରରେ ଶାନ୍ତି ଶୃଙ୍ଖଳା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଏହାଛଡା କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖରଙ୍କ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୧୪ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସ୍ଆଇ ଓ ଏଏସ୍ଆଇ, ୩୦୦ କନଷ୍ଟେବଳ ଓ ହାବିଲଦାର, ୪୫୦ ଜଣ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି।

ସହରର ପୁରୁଣା ମଟରଷ୍ଟାଣ୍ଡ, ସାନ୍ତ ସାହି ଓ କାକଟ ଛକରେ ୱାଚିଂ ଟାୱାର ନିର୍ମାଣ କରାଯାଇଛି। ଏହାଛଡ଼ା ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସି ଟିଭି, ବାଇନାକୁଲାର, ଭିଡିଓ ଗ୍ରାଫିର ବ୍ୟବସ୍ଥା କରିଛି ପ୍ରଶାସନ। ସହରରେ ଭିଡ଼କୁ ଲକ୍ଷ୍ୟ କରି ଏକପାଖିଆ ରାସ୍ତାର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୁଜା ମଣ୍ଡପ, ଆଭ୍ୟନ୍ତରୀଣ ଶୃଙ୍ଖଳା ଓ ଭସାଣି ଉତ୍ସବ ନିମନ୍ତେ ଭିନ୍ନ ଭିନ୍ନ ବ୍ୟବସ୍ଥାମାନ ନିଆଯିବ ବୋଲି କେନ୍ଦ୍ରାପଡ଼ା ଗୋଇନ୍ଦା ବିଭାଗ ଡିଏସପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।

୭ଟି ଚାନ୍ଦି ମେଢ଼ ପୂଜା ମଣ୍ଡପ ନିକଟରେ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି। ଆସନ୍ତା କାଲି ରାତିରେ ପୂଜା ମଣ୍ଡପମାନଙ୍କରେ ଗଜଲକ୍ଷ୍ନୀଙ୍କ ପୂଜା ଆରମ୍ଭ ହେବାର ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପୂଜା କମିଟିର ସଭାପତି ରବିନ୍ଦ୍ର ପଣ୍ଡା।

Comment