ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଫେଲ ଡିଲ୍କୁ ନେଇ ପିଆଇଏଲ୍
- ସିବିଆଇ ତଦନ୍ତ ଦାବି
- ତଦନ୍ତ ଅଧିକାରୀଙ୍କୁ ବଦଳି ନକରିବାକୁ ନିବେଦନ
ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ୍ ଚୁକ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବାକୁ ରୁଜୁ ହେଲା ଆଉ ଏକ ଜନସ୍ୱାର୍ଥ ମାମଲା। ଏହି ମାମଲା ରୁଜୁ କଲେ ସାମାଜିକ କର୍ମୀ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ଏବଂ ଅରୁଣ ସୌରୀ।
ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି, “ରାଫେଲ୍ ଚୁକ୍ତିରେ ଗଡ଼ବଡ଼ ଅଛି। ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦିଆଯାଉ। ଯେଉଁ ସିବିଆଇ ଅଧିକାରୀ ମାମଲାର ତଦନ୍ତ କରିବେ ସେମାନଙ୍କୁ ଅନ୍ୟତ୍ର ବଦଳି କରା ନଯାଉ।”
ଅକ୍ଟୋବର ୪ ତାରିଖରେ ପ୍ରଶାନ୍ତ ଭୂଷଣ ଏବଂ ଅରୁଣ ସୌରୀ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଭେଟି ରାଫେଲ୍ ଚୁକ୍ତିର ତଦନ୍ତ କରିବାକୁ ଦାବି କରିଥିଲେ। ଏନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ସେତେବେଳେ ମାମଲା ରୁଜୁ ହୋଇ ନଥିଲା। କିନ୍ତୁ ଏବେ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ଛୁଟି ଦେଇଛନ୍ତି।
ରାଫେଲ ଚୁକ୍ତିର ସିବିଆଇ ତଦନ୍ତ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରିବାକୁ ଦାବି ଆବେଦନକାରୀ ଦର୍ଶାଇଛନ୍ତି।
ପୂର୍ବରୁ ରାଫେଲ ଚୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣୀ ଅକ୍ଟୋବର ୧୦ରେ ହୋଇଥିଲା। ଅକ୍ଟୋବର ୨୯ ସୁଦ୍ଧା ରାଫେଲ ଚୁକ୍ତି ପ୍ରକ୍ରିୟା ବିଷୟରେ ସମସ୍ତ ତଥ୍ୟ ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।


















