ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଉତ୍କଳ ଭାରତ ପାର୍ଟିର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଆକ୍ରମଣ। ଏନେଇ ଖାରବେଳ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତାଙ୍କ ପାର୍ଟି କର୍ମୀ ଓ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ମାଇକ ଭାଙ୍ଗିବା ସହିତ ତାଙ୍କୁ ସଭା କରିବାକୁ ନଦେଇ ଆଳି ବଜାରରୁ ଘଉଡ଼ାଇ ଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଉତ୍କଳଭାରତ ପାର୍ଟିର ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି ପାର୍ଟିର ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁ। କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ସମୟରେ ଖାରବେଳ ତାଙ୍କ ପାର୍ଟି କର୍ମୀମାନଙ୍କ ସହ ଆଜି ପ୍ରାୟ ଅପରାହ୍ଣ ୪ଟା ସମୟରେ ଆଳି ବଜାରର ଅନ୍ନପୁର୍ଣ୍ଣା ପଡ଼ିଆରେ ଏକ ପଥପ୍ରାନ୍ତ ସଭା କରିବାକୁ ଆୟୋଜନ କରିଥିଲେ। ଏହି ସମୟରେ ନିଜକୁ ସ୍ଥାନୀୟ ବିଜେଡି କର୍ମୀ ବୋଲି ପରିଚୟ ଦେଉଥିବା କେତେକ ଯୁବକମାନେ ସେଠାରେ ପହଞ୍ଚି ତାଙ୍କୁ ଧକ୍କା ମାରିବା ସହିତ ମାଇକ ଭାଙ୍ଗି ଦେଇଥିଲେ। ତାଙ୍କ ଗାଡି ଭାଙ୍ଗି ଦେବା ସହିତ ତାଙ୍କ ସହକର୍ମୀ ଓ ଡ୍ରାଇଭରଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।

ଖାରବେଳ ଆହୁରି ଅଭିଯୋଗ କରିଛନ୍ତି ଯେ ସେ ଆଳିରେ ଏହି ପଥପ୍ରାନ୍ତ ସଭା କରିବାକୁ ଆଗରୁ ପୋଲିସ ଅନୁମତି ନେଇଥିଲେ। ହେଲେ ସେ ପହଞ୍ଚିବା ବେଳକୁ କେହି ପୋଲିସ ସେଠାରେ ନଥିଲେ। ଫଳରେ ବିଜେଡି କର୍ମୀମାନଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଲା ବୋଲି କହିଛନ୍ତି। କେନ୍ଦ୍ରାପଡା ଏସ୍‌ପି ନୀତିଶେଖର ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଖାରବେଳଙ୍କୁ କହିଥିବା ସେ ସୂଚନା ଦେଇଛନ୍ତି।

ପଟ୍ଟାମୁଣ୍ଡାଇ ଏସଡିପିଓ ଉମାଶଙ୍କର ମହାରଣା କହିଛନ୍ତି, “ଖାରବେଳଙ୍କର ପଥପ୍ରାନ୍ତ ସଭାପାଇଁ ପୁର୍ବାହ୍ନ ୧୧ଟା ସମୟ ଧାର୍ଯ୍ୟ ହୋଇଥିବା ବେଳେ ପୋଲିସ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ସେଠାରେ ରହି ଫେରି ଆସିଥିଲେ। ପରେ ଖାରବେଳ ସେଠାରେ ବୈଠକ ଆରମ୍ଭ କରିଥିବା ପୋଲିସ କହିଛି। ଖାରବେଳ ସେଠାରେ ସଭାକରିବାକୁ ବିଳମ୍ବରେ ଆସିଥିବାରୁ ପୋଲିସ ସହାୟତା ଦେଇପାରି ନଥିଲା।”

ଅନ୍ୟ ପକ୍ଷରେ ଆଳିଠାରେ ଉତ୍କଳଭାରତ ପାର୍ଟି ସଭାରେ ବିଜେଡି କର୍ମୀମାନେ କୌଣସି ଗଣ୍ଡଗୋଳ କରିନଥିବା ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି। ଏହା କେବଳ ଏକ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ ବୋଲି ଶ୍ରୀ ଦେବ ଫୋନ ଯୋଗେ ସୂଚନା ଦେଇଛନ୍ତି।

Comment