ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାଭିମାନ ସଙ୍କଳ୍ପ ସମାବେଶ ଆୟୋଜନ କରି ମହିଳା କଂଗ୍ରେସ ଆଜି ଶକ୍ତି ପ୍ରଦର୍ଶନ କରିଛି।

ବିଜେଡି ଏବଂ ବିଜେପି ପରେ କଂଗ୍ରେସ ଆଜି ମହିଳା କାର୍ଡ ଖେଳିଛି। ଭୁବନେଶ୍ୱର କଂଗ୍ରେସ ଭବନରେ ସ୍ୱାଭିମାନ ସଙ୍କଳ୍ପ ସମାବେଶ ଆୟୋଜନ କରି କଂଗ୍ରେସ ନେତୃବୃନ୍ଦ ମହିଳା ଭୋଟରଙ୍କ ନିକଟତର ହେବାକୁ ଗୋଟି ଚାଳନା କରିଛନ୍ତି।

ତୃଣମୂଳ ସ୍ତରରେ ମହିଳାମାନଙ୍କ ପାଇଁ କଂଗ୍ରେସ କର୍ମୀମାନେ କାମ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଆହ୍ୱାନ ଦେଇଛନ୍ତି।

“ରାଜ୍ୟରେ ମହିଳାମାନଙ୍କ ପ୍ରତି ଅବିଚାର କରାଯାଉଛି। ମହିଳାମାନେ ବିଭିନ୍ନ ହିଂସାର ଶିକାର ହେଉଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ସରକାର ମହିଳାଙ୍କ ବିକାଶ ପାଇଁ କିଛି ବି ପଦକ୍ଷେପ ନେଇ ନାହାନ୍ତି। କେବଳ କଂଗ୍ରେସ ହିଁ ମହିଳାଙ୍କ କଥା ଚିନ୍ତା କରୁଛି। ମହିଳାମାନଙ୍କ ହକ୍ ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିଛି”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଏହି ସମାବେଶରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ପ୍ରଭାରୀ ସନ୍ଧ୍ୟା ସୋଲାଖେ ଯୋଗଦେଇ ମହିଳା କର୍ମୀଙ୍କ ମନୋବଳକୁ ସୁଦୃଢ଼ କରିଥିଲେ। ମହିଳାମାନେ ଚାହିଁଲେ ଓଡ଼ିଶାରେ ସରକାରର ପରିବର୍ତ୍ତନ ଆସି ପାରିବ ବୋଲି ସେ କହିଥିଲେ।

“ମହିଳାମାନଙ୍କୁ ରାଜନୀତିରେ ଅଧିକ ସୁଯୋଗ ଦେବା ପାଇଁ କଂଗ୍ରେସ ଚାହୁଁଥିଲା। କଂଗ୍ରେସ ଶାସନ ଅମଳରେ ମହିଳାମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରାଯାଇଥିଲା। ନିର୍ବାଚନ ରାଜନୀତିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିବାକୁ କଂଗ୍ରେସ ଦାବି କରି ଆସୁଥିଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର। ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି”, କହିଛନ୍ତି ମହିଳା କଂଗ୍ରେସ ପ୍ରଭାରୀ।

ନିରଞ୍ଜନ ପଟ୍ଟନାୟକ ଆହୁରି କହିଥିଲେ ଯେ ଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ି ଚାଲିଛି। ବେକାରୀ ସମସ୍ୟା ଏବଂ ଦୁର୍ନୀତି ମଧ୍ୟ ବଢ଼ିଛି। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାୟୀ।

କଂଗ୍ରେସ ପୂର୍ବରୁ ବିଜେପି ଏବଂ ବିଜେଡି ମଧ୍ୟ ମହିଳାମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେପି ପୁରୀଠାରେ ମହିଳା କାର୍ଯ୍ୟକାରିଣୀ କରି ୨୦୧୯ ପାଇଁ ବିଗୁଲ୍ ଫୁଙ୍କିଥିବା ବେଳେ ବିଜେଡି ପ୍ରତି ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ ଆୟୋଜନ କରୁଛି। ଏବେ କଂଗ୍ରେସ ମଧ୍ୟ ମହିଳା ଭୋଟରଙ୍କ ଉପରେ ଫୋକସ୍ କରିଛି।

କଂଗ୍ରେସ ଭବନଠାରେ ଆୟୋଜିତ ସ୍ୱାଭିମାନ ସଙ୍କଳ୍ପ ଦିବସରେ ସାରା ରାଜ୍ୟରୁ ମହିଳା ପ୍ରତିନିଧିମାନେ ଆସିଥିଲେ। ତୃଣମୂଳ ସ୍ତରରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଗୁରୁମନ୍ତ୍ର ନେଇ ଯାଇଛନ୍ତି ମହିଳା କର୍ମୀ।

କିଛିଦିନ ତଳେ କଂଗ୍ରେସ ମହିଳା ସଙ୍ଗଠନକୁ ମଜଭୁତ କରିବା ପାଇଁ ସଭାନେତ୍ରୀ ପଦବୀରେ ଅଦଳ ବଦଳ କରିଥିଲା। ସସ୍ମିତା ବେହେରାଙ୍କୁ ହଟାଇ ସୁମିତ୍ରା ଜେନାଙ୍କୁ ସଭାନେତ୍ରୀ କରାଯାଇଥିଲା।

Comment