ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆଜିଠାରୁ ଆରମ୍ଭ ହୋଇଛି। ମା’ ଲକ୍ଷ୍ମୀ ଐରାବତ ହସ୍ତୀ ସହିତ ଆଜି ପୂଜାମଣ୍ଡପରେ ବିଜେ କରିଛନ୍ତି। କେନ୍ଦ୍ରାପଡ଼ା ସହର ସମେତ ପୁରପଲ୍ଲିରେ ଉତ୍ସାହ ଲାଗି ରହିଛି। ଭକ୍ତମାନେ ଆନନ୍ଦ ଉଲ୍ଲାସରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରିବାରେ ମଜି ଯାଇଛନ୍ତି।

ପ୍ରତିବର୍ଷ ପରି ଚଳିତ ବର୍ଷ କୁଆଁର ପୁନେଇଁ ତିଥିରେ ମା’ ଗଜଲକ୍ଷ୍ମୀଙ୍କ ପୁଜା ଧୁମଧାମ୍ ରେ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲାରେ। ବେଦ ମନ୍ତ୍ର ବାଇଦ ବାଜଣାରେ ଉଠୁଛି ପଡ଼ୁଛି ଗାଁରୁ ସହର। ବିଭିନ୍ନ ପୂଜାମଣ୍ଡପରେ ଭିନ୍ନ ଭିନ୍ନ ସମୟରେ ପୂଜା ଆରମ୍ଭ ହେଉଥିବାରୁ ବାଜା ରୋସଣି  କରି ଭକ୍ତମାନେ ବିଭିନ୍ନ ଜଳାଶୟରୁ ପବିତ୍ର କଳସୀରେ ଜଳ ଆଣି ପୁର୍ଣ୍ଣକୁମ୍ଭମାନ ପୂଜା ମଣ୍ଡପରେ ସ୍ଥାପନ କରିଛନ୍ତି। ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ହୋମ ଜଜ୍ଞ କରି ଠାକୁରାଣୀଙ୍କୁ ପୂଜା ମଣ୍ଡପକୁ ଆବାହନ କରିଛନ୍ତି। ପୂଜା ମଣ୍ଡପରେ ମା’ ମନଲୋଭା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ହରିବୋଲ, ହୁଳହୁଳି, ଶଙ୍ଖ, ଘଣ୍ଟ ଘଣ୍ଟା, କାହାଳୀ ଶବ୍ଦରେ ଉଛୁଳି ପଡ଼ୁଛି ସାରା ପରିବେଶ। ଧରାଧାମରେ ମା’ ବିଜେ କରିଥିବାରୁ ଭକ୍ତମାନଙ୍କ ଗୋଡ ତଳେ ଲାଗୁନି। ମା’ଙ୍କ ପୂଜାରେ ଲାଗିପଡ଼ିଛନ୍ତି ସମସ୍ତେ।

କେନ୍ଦ୍ରାପଡ଼ା ସହରରେ ୬୭ଟି ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ସହିତ ଅନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ନୂଆ ବସ୍ ଷ୍ଟାଣ୍ଡ ଥାନପତି ଗଜଲକ୍ଷ୍ମୀ, ପୁରୁଣା ବସ୍ ଷ୍ଟାଣ୍ଡ ଥାନପତି ଗଜଲକ୍ଷ୍ମୀ, କାକଟମଙ୍ଗଳା ଗଜଲକ୍ଷ୍ମୀ, ବିମଳେଇ, ତିନିମୁହାଣୀ, ମହିପାଳ, ବଣିଆମାଳ, କଜଳା, ତହସିଲ ମାର୍କେଟ, ଧନୀ ସାହୁ ଛକ, ଦେବାଶିଷ ଜଗତି ମେଢ଼, ଗରାପୁର, ଗୁଲନଗର, ଖଡିଅଙ୍ଗ, ବାସୁଳାଇ, ଗୋପ ଆଦି ସ୍ଥାନମାନଙ୍କରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ଭକ୍ତମାନଙ୍କୁ ଆକର୍ଷିତ କରୁଛି।

ସେହିପରି ବଣିଆମାଳର ବରାହ ଅବତାର, ଜ୍ଞାନପିଠ ଛକର ରାଧାକୃଷ୍ଣ , ଚାଟରାପାଟଣା ଅନ୍ନପୁର୍ଣ୍ଣା, ଲକ୍ ଛକର ଅନନ୍ତଶୟନ, ବଡ଼ହାଟ ରାମଅଭିଷେକ, ବିରସ୍ୱତୀ ହାଟର ଗଜ ଉଦ୍ଧାରଣ, ବଡ଼ହାଟର ସୂର୍ଯ୍ୟସାଗରିକା, ମଢ଼ିଆଳର ଗଙ୍ଗା ଭାଗୀରଥୀ, ଫର୍ଜନଛକର ବ୍ୟାସସରୋବର, ମୀରପାଟଣାର ଦ୍ରୌପଦୀ ବସ୍ତ୍ରହରଣ, କୁମ୍ଭାର ସାହିରେ ସନି ଲକ୍ଷ୍ମୀ, ସାନମଙ୍ଗଳାର ରାଧାକୃଷ୍ଣ, ଅଯୋଧ୍ୟାନଗରର ରୋହେଣୀ ଗାଇ ଆଦି ପୂଜା ମଣ୍ଡପ ଆକର୍ଷଣୀୟ ହୋଇଛି। ସାରା ସହର ରଙ୍ଗବେରଙ୍ଗର ଆଲୋକ ମାଳରେ ସଜେଇ ହୋଇଛି।

ଲାଇଟ୍ ଗେଟ ସାଙ୍ଗକୁ କପଡ଼ା ଗେଟ ମାନ ପୂଜା ପରିବେଶକୁ ଅଧିକ ଆକର୍ଷଣୀୟ କରିଛି। ଆଜି ସବୁ ପୂଜା ମଣ୍ଡପ ନିକଟରେ ପୋଲିସ ଫୋର୍ସମାନଙ୍କୁ ମୁତୟନ କରାଯାଇଛି। କେନ୍ଦ୍ରାପଡ଼ା ଏସ୍ ପି ନିତିଶେଖର ସାରା ଜିଲ୍ଲାର ଆଇନ ଶୃଙ୍ଖଳା ମନିଟରିଂ କରୁଛନ୍ତି।

କେନ୍ଦ୍ରାପଡା ସହର ବ୍ୟତୀତ ଚାନ୍ଦୋଳ, ମାର୍ଶାଘାଇ, ଛତା, ଛୋଟି, ନେତୁଆ, ମହାକାଳପଡ଼ା, ପାଟକୁରା ଆଦି ଅଞ୍ଚଳରେ ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା।

Comment