କେନ୍ଦ୍ରାପଡ଼ାରୁ ନାରାୟଣ ସହାଣୀ

ନୂଆ ବସ୍ ଷ୍ଟାଣ୍ଡ ଥାନପତିଙ୍କ ପୂଜା ମଣ୍ଡପରେ ଆଜି ପାଳିତ ହୋଇଛି ମାଣବସା।

କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଅନନ୍ୟ ପରମ୍ପରା। ଆଜି ଗୁରୁବାର ଥିବାରୁ ମା’ଙ୍କ ପୂଜାମଣ୍ଡପରେ ମାଣବସା ପାଳିତ ହୋଇଛି। ନୂଆ ବସ୍ ଷ୍ଟାଣ୍ଡ ଥାନପତିଙ୍କ ପୂଜା ମଣ୍ଡପରେ ଏହି ପରମ୍ପରା ଦେଖିବାକୁ ମିଳିଛି। ଏହି ପରମ୍ପରାକୁ କାହିଁ କେଉଁ କାଳରୁ ପାଳନ କରି ଆସୁଛନ୍ତି ଭକ୍ତମାନେ। ନୂଆ ଧାନରେ ବେଣୀ ତିଆରି କରି ନୂଆ ମାଣରେ ନୂଆ ଧାନ ଭରି ମହିଳାମାନେ ମାଣ ବସାନ୍ତି। ଦିନ ସାରା ଖିରୀ ଖେଚୁଡ଼ି, ମଣ୍ଡାପିଠା, ଫଳ ଭୋଗରେ ପୂଜା ପାଆନ୍ତି ଠାକୁରାଣୀ। ରାତିରେ ହୁଏ ଭୋଜି ଭାତ। ଏମିତି ଅନନ୍ୟ ପରମ୍ପରା ଆଉ କେଉଁଠି ଦେଖିବାକୁ ମିଳେନା।

୧୯୨୮ ମସିହାରୁ କେନ୍ଦ୍ରାପଡ଼ାର ଗଜଲକ୍ଷ୍ନୀ ପୂଜା ଆରମ୍ଭ ହୋଇଛି। ସହରର ବଡ଼କୋଠାଠାରେ ଥିବା ରାଜା ନରେନ୍ଦ୍ର ଦେବଙ୍କ ଦ୍ୱାରା ମର୍ଦ୍ଦରାଜ ଉପାଧିରେ ଭୂଷିତ ପରିବାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ମଟରଷ୍ଟାଣ୍ଡ ଗଜଲକ୍ଷ୍ମୀଙ୍କ ପୂଜା। ଏହି ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ପ୍ରାୟ ୧୯୩୦ ମସିହାରୁ ଆରମ୍ଭ ହୋଇଥିବା ଜଣାଯାଏ।  ଏହା ସହରର ଅନ୍ୟତମ ପ୍ରାଚୀନ ପୂଜାମଣ୍ଡପ ହୋଇଥିବାରୁ ଏହି ପୂଜାମଣ୍ଡପକୁ ଥାନପତିର ଆଖ୍ୟା ମିଳିଛି। ଏହି ପୂଜା ମଣ୍ଡପରେ  ଗଜଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ପୂଜା ନୀତି ପ୍ରଚଳନ କରିଥିଲେ ମର୍ଦ୍ଦରାଜ ପରିବାର। ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେବାଠାରୁ ବିସର୍ଜନ ହେବା ମଧ୍ୟରେ ପଡ଼ୁଥିବା ଗୁରୁବାରରେ ଏଠି ମାଣବସା ବ୍ରତ ପାଳନ କରାଯାଏ। ସକାଳୁ ମହିଳାମାନେ ପୂଜାମଣ୍ଡପରେ ପହଞ୍ଚି ମାଣ ବସାଇ ପୂଜା କରିଥାନ୍ତି।

ମଣ୍ଡପରେ ଚାଉଳ ପିଠଉରେ ଲକ୍ଷ୍ମୀ ପାଦପଦ୍ମ ଚିତା ପକାଯାଏ। ନୂଆ ଖଟୁଲି ଉପରେ ନୂଆ ମାଣ ବସାଇ ସେଥିରେ ନୂଆ ଧାନ ଓ ଧାନର ବେଣୀ ଖଞ୍ଜା ଯାଏ। ମୁଳା,  କଦଳୀ, ଆଖୁ ରଖି ମାଣ ଉପରେ ଲକ୍ଷ୍ମୀ ଦେବୀଙ୍କ ପ୍ରତିମାକୁ ସ୍ଥାପନ କରାଯାଏ। ତା’ପରେ ଲାଲ ରଙ୍ଗର ନୂଆ ଶାଢ଼ିରେ ଢାଙ୍କି ଦିଆଯାଇ ମାଣ ପ୍ରତିଷ୍ଠା କରାଯାଏ। ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ହୁଳହୁଳି ଦିଅନ୍ତି ମହିଳାମାନେ। ଏହାପରେ ଲକ୍ଷ୍ମୀପୁରାଣ ପାଠ କରାଯାଏ।

ସକାଳେ ମା’ଙ୍କ ନିକଟରେ ଫଳମୁଳ ଭୋଗ କରାଯାଏ। ଖରାବେଳେ ମା’ଙ୍କ ନିକଟରେ  ମଣ୍ଡାପିଠା, ଖିରୀ, ଖେଚୁଡ଼ି ଭୋଗ ଲଗାଯାଏ। ରାତିରେ ହୁଏ ଭୋଜି ଭାତର ଆସର। ଆଖପାଖ ଅଞ୍ଚଳର ଲୋକମାନଙ୍କୁ ନିମନ୍ତ୍ରଣ କରାଯାଏ ପୂଜା ମଣ୍ଡପକୁ। ଏହି ନିଆରା ପୂଜା ପାଠ ଓ ଭୋଗରାଗ ଅର୍ପଣରେ ମାଣବସା ପୂଜା ଶେଷ କରନ୍ତି ମହିଳାମାନେ।

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୨୦୦ରୁ ଅଧିକ ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୁଜା ମଣ୍ଡପ ସ୍ଥାପନ କରାଯାଇଥିଲେ ମଧ୍ୟ ଏମିତିକା ପରମ୍ପରା ଆଉ କେଉଁଠି ଦେଖିବାକୁ ମିଳେନା।

Comment