ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ କ୍ୟାମେରା। ୮ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରାଖିଲା ପୋଲିସ।

ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ। ଏମାର ମଠ ଉପରୁ ଡ୍ରୋନ ସାହାଯ୍ୟରେ ଶ୍ରୀମନ୍ଦିର ଫଟୋ ଉତ୍ତୋଳନ କରାଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ଏହାସହ ସିଂହଦ୍ୱାର ଥାନା ପୋଲିସ ୮ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଡ୍ରୋନ କ୍ୟାମେରା ମଧ୍ୟ ଜବତ କରିଛି ପୋଲିସ।

ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ କ୍ୟାମେରା ଉଡ଼ୁଥିବାରୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠିଛି। ଡ୍ରୋନ କ୍ୟାମେରା ଉଡ଼ାଇବା ନିଷିଦ୍ଧ ହୋଇଥିବା ବେଳେ କାହିଁକି ଏଭଳି ଘଟଣା ବାରମ୍ବାର ଘଟୁଛି ସେନେଇ ଭକ୍ତମାନେ ପ୍ରଶାସନ ଉପରେ ଆଙ୍ଗୁଳି ଉଠାଇଛନ୍ତି।

ଫାଇଲ୍ ଫଟୋ

୨୦୧୭ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ରାଧା ବଲ୍ଲଭ ମଠ ନିକଟରେ ଡ୍ରୋନ କ୍ୟାମେରା ଉଡ଼ାଇ ଶ୍ରୀମନ୍ଦିରର ଫଟୋ ଉତ୍ତୋଳନ କରିବା ଅଭିଯୋଗରେ ସେତେବେଳେ ୪ ଜଣ ବିଦେଶୀ ପର୍ଯ୍ୟଟକ ଅଟକ ରହିଥିଲେ।

୨୦୧୬ରେ ମଧ୍ୟ ଶ୍ରୀମନ୍ଦିର ଭିତର ବେଢ଼ା, ଭୋଗମଣ୍ଡପ, କୋଇଲି ବୈକୁଣ୍ଠ ଏବଂ ରତ୍ନଭଣ୍ଡାର ଆଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତନାଘନା ହୋଇଥିଲା।

ଶ୍ରୀମନ୍ଦିର ଆଖପାଖରେ ଡ୍ରୋନ କ୍ୟାମେରା ଉଡ଼ାଇବାକୁ ବ୍ୟାନ କରାଯାଇଥିଲା। ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ସେତେବେଳେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଏହାପରେ ବି ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିର ଫଟୋ କଏଦ କରାଯିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି।

Comment