ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକକାଳୀନ ୭ଟି ହାତୀର ଜୀବନ ଯିବାକୁ ନେଇ ସେସୁ ଏବଂ ଜଙ୍ଗଲ ବିଭାଗ ଭିତରେ ଲାଗିଛି ଟଣାଓଟରା।

ବିପଦରେ ଗଜରାଜ। କେତେବେଳେ ଟ୍ରେନ ଲାଇନରେ ଜୀବନ ଯାଉଛି ତ ପୁଣି କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଙ୍କର ଅକାଳ ବିୟୋଗ ଘଟୁଛି। ଆଜି ସେମିତି ଏକ ଦୁଃଖଦ ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲାର କମଳାଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ତାର ଲାଗି ୭ ହାତୀଙ୍କୀ ଜୀବନ ଯିବା ବନ୍ୟପ୍ରାଣପ୍ରେମୀଙ୍କୁ ବ୍ୟଥିତ କରିଛି।

ଏକାକାଳୀନ ୭ ହାତୀଙ୍କର ମୃତ୍ୟୁ ପାଇଁ କିଏ ଦାୟୀ ସେନେଇ ତନାଘନା ଚାଲିଛି। ଜଙ୍ଗଲ ବିଭାଗ ସେସୁ ଉପରେ ସବୁ ଦୋଷ ଲଦି ଦେଇଥିବା ବେଳେ ଏବେ ଢେଙ୍କାନାଳ ଏବଂ ତାଳଚେର ବିଦ୍ୟୁତ ସବଡିଭିଜନ ପରସ୍ପର ଉପରେ ଦୋଷ ଲଦିଛନ୍ତି। ଏହି ଦୋଷ ଲଦାଲଦି ଭିତରେ ସଠିକ୍ ରାସ୍ତା ବାହାରୁ ନଥିବାରୁ ବାରମ୍ବାର ଅକାଳରେ ଗଜରାଜଙ୍କର ମୃତ୍ୟୁ ଘଟୁଛି।

“ହାତୀ ମୃତ୍ୟୁ ପାଇଁ ସେସୁ ହିଁ ଦାୟୀ। ହାତୀ ଚଳାଚଳ ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ଝୁଲିକି ରହିଥିଲା। ଏ ସମ୍ପର୍କରେ ବାରମ୍ବାର ସେସୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନଥିଲା। ଫଳରେ ଆଜି ୭ଟି ହାତୀଙ୍କର ମୃତ୍ୟୁ ଘଟିଛି। ହାତୀଙ୍କ ଜୀବନ ପ୍ରତି ସେସୁର ଦାୟିତ୍ୱବୋଧ ନଥିବା ପରି ମନେହେଉଛି”, କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି, “ହାତର ଚଳପ୍ରଚଳ ରାସ୍ତାରେ ବିଦ୍ୟୁତ ତାର ଓହଳି ରହିଥିଲା। ବିଦ୍ୟୁତ ବିଭାଗର ଖାମଖିଲ ନୀତି ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି।”

ଢେଙ୍କାନାଳ ଜିଲ୍ଲାପାଳ ତିନି ବିଭାଗକୁ ରିପୋର୍ଟ ତଲବ କରିଛନ୍ତି। ରେଳ ବିକାଶ ନିଗମ, ସେସୁ ଏବଂ ବନବିଭାଗକୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଆସିବା ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିଶ୍ଚିତ ବୋଲି କହିଛନ୍ତି ଜିଲ୍ଲାପାଳ।

ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା କହିଛନ୍ତି, “ଯେଉଁଠି ଏହି ଅଘଟଣ ଘଟିଛି ସେଠାରେ କୌଣସି ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ କରାଯାଇନାହିଁ। ରେଳ ବିଭାଗର କନଷ୍ଟ୍ରକ୍ସନ କାମ ପାଇଁ ଅସ୍ଥାୟୀ ଭାବେ ବିଦ୍ୟୁତ ଯୋଗାଣ କରାଯାଇଥିଲା। ତେବେ ଏ ସମ୍ପର୍କରେ ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରାଯାଇ ଢେଙ୍କାନାଳ ପଠାଯାଇଛି।”

Comment