ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଏସିଆ ବାଳିକା ରଗ୍ବୀ ସେଭେନ୍ସର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୧୮ ବର୍ଷରୁ କମ୍ ବାଳିକା ଏସିଆ ରଗ୍ବୀ ସେଭେନ୍ସ ଚାମ୍ପିୟନ୍ଶିପ୍ ମହା ସମାରୋହରେ ଉଦ୍ଘାଟିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏକ ରଙ୍ଗାରଙ୍ଗ ପରିବେଶରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରି କହିଛନ୍ତି, “ଏହି ଚାମ୍ପିୟନଶିପ୍ ରାଜ୍ୟରେ ରଗ୍ବୀର ବିକାଶରେ ବେଶ୍ ସହାୟକ ହେବ”।
ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା କହିଛନ୍ତି, “ପ୍ରଥମଥର ପାଇଁ ଏଭଳି ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଦେଶରେ ଆୟୋଜନ ହେଉଥିବାରୁ ଆମେ ଗର୍ବିତ”। ଏହାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ସହଯୋଗ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୁବନେଶ୍ୱର ଏବେ ଭାରତର କ୍ରୀଡ଼ା ରାଜଧାନୀ ରୂପେ ଗଣା ଯାଉଛି। ପୁଣି ଆଗକୁ ହକି ବିଶ୍ୱକପ୍ ଆୟୋଜନ ହେବ। ତେଣୁ ଭୁବନେଶ୍ୱର ଏବେ ବିଶ୍ୱକ୍ରୀଡ଼ାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହାଛଡ଼ା ରାଜ୍ୟରେ ଆଗକୁ ରଗ୍ବୀ ଏକାଡେମୀ ପ୍ରତିଷ୍ଠା କରିବାକୁ ପ୍ରୟାସ କରାଯିବ।
ଇଣ୍ଡିଆନ ରଗ୍ବୀ ଫୁଟବଲ ୟୁନିୟନ ଜେନେରାଲ ମ୍ୟାନେଜର ନାସିର ହୁସେନ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ସଞ୍ଚାଳନ କରିଥିଲେ। ଚାମ୍ପିୟନଶିପ୍ରେ ଯୋଗ ଦେଇଥିବା ସବୁ ଦଳର ଖେଳାଳି ଓ ଅଫିସିଅଆଲଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ।
ଏହି ଅବସରରେ ବଲିଉଡ ତାରକା ତଥା ପୂର୍ବତନ ଭାରତୀୟ ରଗ୍ବୀ ଖେଳାଳି ରାହୁଲ ବୋଷ, ମହିଳା ହେପ୍ଟାଥଲନ ତାରକା ତଥା ଏସିଆନ ଗେମ୍ସ ସ୍ୱର୍ଣ୍ଣପଦକ ବିଜୟିନୀ ସ୍ୱପ୍ନା ବର୍ମନ, ଏସିଆନ ରଗ୍ବୀ ପୁଟବଲ ୟୁନିୟନ ଅଧ୍ୟକ୍ଷ ଆଗା ହୁସେନ, ଭାରତୀୟ ରଗ୍ବୀ ଫୁଟବଲ ୟୁନିୟନ ଅଧ୍ୟକ୍ଷ ନୁମାଜର ମେହେଟ୍ଟା, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଜନ୍ଦ୍ର ସାରଥି ବେହେରା, ବିଧାୟକ ତଥା ଓଡ଼ିଶା ରଗ୍ବୀ ଆସୋସିଏଶନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ତଥା କମିଶନର ବିଶାଲ ଦେବ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଥିଲେ।
ଷ୍ଟାଡିୟମର ଫ୍ଲଡଲାଇଟ୍ ତଳେ ଉଦ୍ଘାଟନୀ ଉତ୍ସବ ବେଶ୍ ମନୋରମ ଥିଲା। ଗ୍ୟାଲେରୀରେ ବହୁ ସଂଖ୍ୟାରେ କିସ୍ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସ୍କୁଲର ବିଦ୍ୟାର୍ଥୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅତିଥିଙ୍କ ଅଭିଭାଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


















